ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର : ଜଣେ ଦୁଷ୍କର୍ମକାରୀକୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ କୁମାର ମିଶ୍ର  ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ୨୦୧୫ ମସିହା ଡିସେମ୍ବର ୧୪ ତାରିଖ ହରିଚନ୍ଦନପୁର ଥାନା ଖଡ଼ିବାହାଳି ଗ୍ରାମର ଦାସ ମାଝି ଖେଦିଆମୁଣ୍ଡା ଗ୍ରାମକୁ ଯାଇଥିଲା। ଗାଁ ରାସ୍ତାରେ ଜଣେ ୫ ବର୍ଷର ନାବାଳିକାକୁ ଏକାକୀ ବୁଲୁଥିବାର ଦେଖି ତାଙ୍କୁ  ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଫଳରେ ଝିଅଟି ସଂଜ୍ଞାହୀନ ହୋଇପଡ଼ିଥିଲା। ତେଣୁ ଘଟଣାସ୍ଥଳରେ ଝିଅକୁ ଛାଡ଼ି ଦାସ ମାଝି ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ଝିଅର ପରିବାର ଲୋକ ଜାଣିବା ପରେ ଝିଅକୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପିଏସ କେସ୍‌ ନମ୍ବର ୧୫୬/ ୧୫-୧୨-୨୦୧୫  ଦଫା ୩୭୬ (୨)(ଆଇ) ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୫ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ବିଚାରପତି ଦାସ ମାଝିଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନଦେୟ ହେଲେ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ପୀଡ଼ିତାକୁ ଦେଢ଼ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସ୍ୱତନ୍ତ୍ର ପିପି ପ୍ରଫୁଲ୍ଲ କୁମାର ପାତ୍ର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର