ଯାଜପୁରଟାଉନ/ସଦର: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀକୁ ୨୦ବର୍ଷ କାରାଦଣ୍ଡ ଓ ୭୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୨୧ମାସ ଜେଲ୍ଦଣ୍ଡ ପାଇଁ ରାୟରେ କୁହାଯାଇଛି। ୨୦୨୨ ଅଗଷ୍ଟ ୫ରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ତଥା ଅଳକୁଣ୍ଡ ଫାଣ୍ଡି ଅଞ୍ଚଳର ଜଣେ ୯ବର୍ଷର ନାବାଳିକା ଘରକୁ ଫେରିବା ବାଟରେ ନୂଆଗାଁ ଗ୍ରାମର ପ୍ରକାଶ ମଲ୍ଲିକ(୨୩) ସାଇକଲରେ ବସାଇ ନେଇ ଯାଇଥିଲା।
ଅଭିଯୁକ୍ତ ଅଳକୁଣ୍ଡ-ପ୍ରୀତିପୁର ରାସ୍ତାରେ ଏକ ପାଣିପମ୍ପ ଭଙ୍ଗାଘରେ ଦୁଷ୍କର୍ମ କରିଥିଲା। ପରିବାର ଲୋକଙ୍କୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତେବେ ନାବାଳିକା ଜଣକ ଘଟଣା ସମ୍ପର୍କରେ ମାଙ୍କୁ କହିବା ପରେ ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ବିଂଝାରପୁର ପୁଲିସ କେସ୍ ନମ୍ବର ୪୬୯/୨୨, ଦଫା ୩୬୩/୬୭୬(ଏବି)/୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରକାଶକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ ପଲେଇ ୨୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରକାଶ ମଲ୍ଲିକକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୭୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାଜୀବ କୁମାର ମହାନ୍ତି ପରିଚାଳନା କରୁଥିଲେ। ପୀଡ଼ିତାଙ୍କୁ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ୭ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/dgdagdagdgdgd-1.jpg)