ସମ୍ବଲପୁର: ଆଜି ସ୍ବତନ୍ତ୍ର ପକ୍ସୋ ଜଜ୍(ଫାଷ୍ଟଟ୍ରାକ୍) ପି.କେ.ଦାସ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅବିନାଶ ମାଝୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦୧୯ ମସିହାରେ ରେଢ଼ାଖୋଲ ଥାନା ପୁରୁଣାଗଡ଼ ଅଂଚଳର ଅବିନାଶ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲା। ରେଢ଼ାଖୋଲରୁ ଝାରସୁଗୁଡ଼ା ଏବଂ ସେଠାରୁ ଟ୍ରେନ୍ ଯୋଗେ ଚେନ୍ନାଇ ନେଇ ଯାଇଥିଲା। ସେଠାରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲା।
ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ ଚେନ୍ନାଇ ଯାଇ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଅବିନାଶକୁ ଗିରଫ କରିଥିଲା। ଏହି ମାମଲାର ବିଚାର ବେଳେ ଅବିନାଶ ଦୋଷୀ ସାବ୍ୟସ୍ତ ହୋଇଥିଲା। ସ୍ବତନ୍ତ୍ର ପକ୍ସୋ ଜଜ୍(ଫାଷ୍ଟଟ୍ରାକ୍) ପି.କେ.ଦାସ ଆଜି ଏହି ମାମଲାର ରାୟ ଶୁଣାଇ ଅଭିଯୁକ୍ତ ଅବିନାଶ ମାଝୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ବାଦଦ ଅର୍ଥ ଅନାଦେୟ ହେଲେ ଆହୁରି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବସନ୍ତ ମିଶ୍ର ଏହି ମାମଲାର ପରିଚାଳନା କରୁଥିଲେ।