ଢେଙ୍କାନାଳ: ସଦର ଥାନା ନରଣପୁର ଅଞ୍ଚଳର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପରହରଣ କରି ଦୁଷ୍କର୍ମ କରିଥିବା ମାମଲାକୁ ଜିଲ୍ଲା ପୋକ୍ସୋ କୋର୍ଟ ବିଚାରପତି ଆକାଂକ୍ଷିତ ମିଶ୍ର ବିଚାରକରି ଅଭିଯୁକ୍ତ ରାମ ପ୍ରଧାନ (୨୬)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ନରଣପୁର ଗ୍ରାମର ଜଣେ ନାବାଳିକା ଗତ ୨୦୨୧ ନଭେମ୍ବର ୧୫ ତାରିଖ ସକାଳ ୧୦ଟା ସମୟରେ କଲେଜକୁ ଯାଉଥିଲେ। ଗ୍ରାମର ଯୁବକ ରାମ ପ୍ରଧାନ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରିନେଇଥିଲେ। ସେ ନାବାଳିକାଙ୍କୁ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଅନ୍ୟ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ। ନାବାଳିକା ପରିବାର ଲୋକ ଝିଅକୁ ଖୋଜାଖୋଜି କରି ନପାଇବାରୁ ୧୭ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସଦର ଥାନାରେ ୫୯୪/୨୪ ଦଫା ୩୬୩/୩୬୬/୩୭୫ ଆଇପିସି ଏବଂ ଦଫା ୬ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା।
ଏହି ମାମଲାର ସିଟି ସ୍ପେଶାଲ ପୋକ୍ସୋ କେସ୍ ନମ୍ବର ୭୦/୨୦୨୧କୁ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ବିଚାରକରି ୨୨ ଜଣ ସାକ୍ଷ୍ୟ ପ୍ରମାଣ ଓ ୨୫ଟି ଦସ୍ତାବିଜ ଆଧାରରେ ଅଭିଯୁକ୍ତ ରାମକୁ ୨୦ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନାଦେୟ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତ କରିବା ସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ନିରଞ୍ଜନ ସାହୁ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/jail.jpg)