୨୦ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ପରିବାର ଦୁଇ ରୋଜଗାରିଆ ପୁଅ ମାନସିକ ବିକାରଗ୍ରସ୍ତ, ଆଧାରକାର୍ଡ ନଥିବାରୁ ମିଳୁନି ରାସନ୍‌

ବାଲେଶ୍ୱର : ପୁଅ ଜନ୍ମ ହେବା ପରେ ଖୁସିରେ ଫାଟି ପଡ଼ିଥିଲେ ପରିବାର ଲୋକେ। ପାଠପଢି ପୁଅ ବଡ଼ ଚାକିରି କରିବ। ପରିବାର ସମ୍ଭାଳିବ। ବୃଦ୍ଧ ଅବସ୍ଥାରେ ସାହାରା ସାଜିବ ବାପାମା’ଙ୍କ କେତେ ସ୍ବପ୍ନ ଥିଲା। ହେଲେ ଯେତେ ଯେତେ ବୟସ ବଢିଲା, ଏହି ସ୍ବପ୍ନ ମଉଳିବାକୁ ଲାଗିଲା। ଧୀରେ ଧୀରେ ପୁଅ ଭିତରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଲା। ଆଉ ପରେ ପୁଅ ମାନସିକ ବିକାରଗ୍ରସ୍ତ ବୋଲି ଡାକ୍ତର କହିଲେ। କିଛି ବର୍ଷ ପରେ ଦ୍ବିତୀୟ ସନ୍ତାନ ଜନ୍ମ ହେଲା। ବାପାମା’ ବହୁତ ଖୁସି ହୋଇଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ଏମିତି, ଦ୍ବିତୀୟ ସନ୍ତାନ ବି ମାନସିକ ବିକାରଗ୍ରସ୍ତ ଜଣାପଡ଼ିଲା। ପରିବାରରେ ଦୁଇ ପୁଅର ଏମିତି ଅବସ୍ଥା ଦେଖି ପାଇଁ ବାପାମା’ ଭାଙ୍ଗିପଡ଼ିଲେ। ଶେଷରେ ନିଜ ଭାଗ୍ୟକୁ ଆଦରି ଦୁଇ ମାନସିକ ବିକାରଗ୍ରସ୍ତ ପୁଅକୁ ଧରି ରହିଛନ୍ତି।

ବାଲେଶ୍ବର ଚାନ୍ଦିପୁର ପରଖୀ ପଞ୍ଚାୟତ ବଳରାମଗଡ଼ି ଅଞ୍ଚଳର ବିଜୟ ଗିରି(୫୪) ଓ ମା’ ଯୁମନାଙ୍କ ପୁଅ ହେଉଛନ୍ତି ଗୋପାଳ(୩୦) ଓ ରାମ(୨୮)। ବିଜୟଙ୍କର ଦୁଇପୁଅ ପରେ ସବା ସାନ ଝିଅ ବି ରହିଛି। ସେ କିନ୍ତୁ ସଂପୂର୍ଣ୍ଣ ସୁସ୍ଥ। ହେଲେ ଦୁଇପୁଅ ଜନ୍ମରୁ ମାନସିକ ବିକାରଗ୍ରସ୍ତ। କେହି କଥା ହୋଇପାରନ୍ତି ନା କିଛି ବୁଝିପାରନ୍ତି। ବଡ଼ ପୁଅ ଗୋପାଳଙ୍କୁ ବିଜୟ ଏଠିସେଠି ଦେଖି ଘରର ଯାହା ପୁଞ୍ଜି ଥିଲା ସବୁ ସାରିଦେଲେ। ହେଲେ ପୁଅକୁ ଭଲ କରିପାରିଲେନାହିଁ। ପରିବାର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା ଯେ ଦ୍ବିତୀୟ ସନ୍ତାନ ରାମକୁ ଡାକ୍ତର ଦେଖାଇ ଭଲ କରିବେ।

ବିଜୟ ଚାଷବାସ କରିବା ସହିତ ପର ଘରେ ମୁଲ ଲାଗି ପରିବାର ଚଳାନ୍ତି। ବୋଝ ଉପରେ ଲଳିତାବିଡ଼ା ପରି ଦୁଇ ମାନସିକ ବିକାରଗ୍ରସ୍ତ ପୁଅକୁ ସମ୍ଭାଳିବା ତାଙ୍କ ପକ୍ଷେ କଷ୍ଟକର ହେଉଛି। ଆଜକୁ ୨୦ ବର୍ଷ ହେଲା ପୁଅ ଗୋପାଳଙ୍କୁ ଶିକୁଳିରେ ବାନ୍ଧି ରଖାଯାଉଛି। ବାତ ଥିବାରୁ କେତେବେଳେ ଗୋପାଳଙ୍କୁ ସମ୍ଭାଳିବା ବି ମୁସ୍କିଲ ହୋଇପଡ଼ୁଛି। ସାନପୁଅକୁ ଯଦିଓ ଶିକୁଳିରେ ବନ୍ଧା ଯାଉନାହିଁ। ହେଲେ ସେ ବି ଚଲାବୁଲା କରିପାରନ୍ତି ନାହିଁ।

ବଡ଼କଥା ହେଲା, ଆଧାରକାର୍ଡ ନାହିଁ ବୋଲି ୧୪ ମାସ ହେଲା ଦୁଇ ଭାଇଙ୍କୁ ଚାଉଳ ମିଳୁନାହିଁ। ପାଉଥିବା ଭତ୍ତ‌ା ବି କେତେ ବେଳେ କଟିଯାଇପାରେ ତାହା କହିହେବ ନାହିଁ ବୋଲି ବିଜୟ କହିଛନ୍ତି। ଆଙ୍ଗୁଳି ଟିପ ନେଇନପାରିବାରୁ ଆଧାରକାର୍ଡ ହୋଇପାରୁ ନାହିଁ। ସମ୍ପତ୍ତି କହିଲେ ଯାହା ଝାଟିମାଟିର ଘର ଖଣ୍ଡେ। ଆବାସ ଘର ବି ମିଳିନାହିଁ। ଯେଉଁ ବୟସରେ ପୁଅର ରୋଜଗାର ଖାଇବା କଥା ସେଇ ବୟସରେ ବିଜୟ ପର ଘରେ ମୁଲ ଲାଗି ପରିବାର ଚଳାଉଛନ୍ତି। ତେବେ ଦୁଇ ପୁଅର ଏଭଳି ଅବସ୍ଥା ଦେଖି ବାପାମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ।

ସରପଞ୍ଚ କବିତା ପାତ୍ର କହିଛନ୍ତି, ଆଧାରକାର୍ଡ ନଥିବାରୁ ରାସନ୍‌ ମିଳିପାରୁ ନାହିଁ। ହାତର ଟିପ ବି ନିଆଯାଇପାରୁ ନାହିଁ। ଯଦି ଆଖିର ଲେନ୍ସ ମାଧ୍ୟରେ ଆଧାର କରିହେବ। ହେଲେ ସରକାରଙ୍କ ଏହି ସୁବିଧା ହୋଇନାହିଁ। ଯାହାଫଳରେ ଏହି ଅସୁବିଧା ହେଉଛି। ତାଙ୍କର ବିକଳ୍ପ ବ୍ୟବସ୍ଥା ସେମିତି ବି କିଛି ନାହିଁ।

ସମ୍ବନ୍ଧିତ ଖବର