ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ଦୋଷୀକୁ ୨୦ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ଜଣକ ‌ପାଟପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିଗୁଡ଼ାର ସିମିୟା ମଣ୍ଡଳ(୩୬)। ଏହାସହିତ ୫୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୭ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ‌ସେହିପରି ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ୨୦୧୮ ଡିସେମ୍ବର ୬ତାରିଖରେ ସିମିୟା ଜନୈକା ନାବାଳିକାଙ୍କୁ ଭୟଭୀତ କରି ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଗର୍ଭବତୀ ହେବାପରେ ଘଟଣା ଜଣା ପଡ଼ିଥିଲା। ଏ ନେଇ ପୀଡ଼ିତାଙ୍କ ପରିବାରବର୍ଗ ପାଟପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ସିମିୟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାରଣା ବେଳେ ୧୨ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତିକରି ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।