ମହିଳାଙ୍କୁ ଗଣଦୁ‌ଷ୍କର୍ମ ମାମଲା: ୩ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳର ମହିଳା ଗଣଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ ବେଣୁଧର ପାତ୍ର ତିନି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୫ ହଜାର ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ ଜେଲ ଭୋଗିବାକୁ ପଡିବ। ୧୩ ସାକ୍ଷୀଙ୍କ ବୟାନ, ପାରିପାର୍ଶ୍ବିକ ସ୍ଥିତି ଓ ସରକାରୀ ଆଇନଜୀବୀଙ୍କ ବଳିଷ୍ଠ ଯୁକ୍ତି ପ୍ରମାଣ ଆଧା‌ରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବିଶ୍ରା ବିରକେରାର ନିହିମିଆ ଲାକ୍ରା (୩୫), ରାଜେଶ ଲାକ୍ରା(୩୩) ଓ ଅଜିତ ଗୁଡିଆ (୪୩)। ପୀଡିତାଙ୍କୁ ଧମକଚମକ ଦେବା ଅଭିଯୋଗରେ ନିହିମିଆ ଲାକ୍ରାକୁ ଅଧିକ ୩ ମାସ ଜେଲ ଭୋଗିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଜରିମାନା ଅର୍ଥ ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ମାମଲାକୁ ପବ୍ଳିକ ପ୍ରସେକ୍ୟୁଟର ପ୍ରଦୀପ କୁମାର ଦାଶ ପରିଚାଳନା କରୁଥିଲେ।

ଏମିତି ଅଭାବନୀୟ ଘଟଣା ଘଟିଥିଲା ଗତ ୨୦୧୭ ଜୁଲାଇ ୧୭ରେ। ବିଶ୍ରା ଥାନା ବିରକେରା ଗ୍ରାମର ୪ଜଣ ମହିଳା ବିଲରୁ କାମ ସାରି ସଂଧ୍ୟାରେ ଘରକୁ ଫେରୁଥିଲେ। ‌ସେହି ଗ୍ରାମର ଦୁଇ ଯୁବକ ରାଜେଶ ଲାକ୍ରା (୩୫), ନିହିମିଆ ଲାକ୍ରା (୩୩) ଚାରି ମହିଳାଙ୍କ ମଧ୍ୟରୁ ୨୯ ବର୍ଷିଆ ରେଖା (ଛଦ୍ମନାମ)ଙ୍କୁ ରାସ୍ତାକଡ ଏକ ଗଛମୂଳକୁ ଉଠାଇ ନେଇଥିଲେ। ଅନ୍ୟ ୩ ମହିଳା ପ୍ରାଣ ବିକଳରେ ସେଠାରୁ ଦୌଡି ପଳାଇଥିଲେ। ପୀଡ଼ିତା କାକୁତିମିନତୀ ହୋଇ ଛାଡିଦେବାକୁ ଦୁଇ ଯୁବକକୁ ନିବେଦନ କରିଥିଲେ। ମାତ୍ର ସେମାନେ କୌଣସି କଥା ଶୁଣି ନଥିଲେ। ଜଣେ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ସେହି ଗ୍ରାମର ଅଜିତ ଗୁଡିଆ ଓରଫ୍‌ ଲାଲା (୪୩) ସେଠାରେ ପହଞ୍ଚିଥିଲା। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଭାବିଥିଲେ ଅଜିତ ତାଙ୍କୁ ଉଦ୍ଧାର କରିବେ। ଓଲଟା ଅଜିତ ଦୁଇ ଯୁବକ ସହ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏ ସଂକ୍ରାନ୍ତରେ ଅନ୍ୟ କାହାକୁ କହିଲେ ଜୀବନରେ ମାରିଦେବାକୁ ନିହିମିଆ ପୀଡ଼ିତାଙ୍କୁ ଧମକ ଦେଇଥିଲା। ସେଠାରେ ପୀଡିତାଙ୍କୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ପୀଡିତା ଘରକୁ ଫେରି ସମସ୍ତ କଥା କହିଥିଲେ। ପରିବାରଙ୍କ ଲୋକଙ୍କ ସହାୟତାରେ ପୀଡିତା ବିଶ୍ରା ଥାନାରେ ଲିଖିତ ଏତଲା ଦେଇଥିଲେ। ବିଶ୍ରା ପୁଲିସ ମାମଲା ରୁଜୁ କରିବା ସହ ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର