ସମ୍ବଲପୁର: ଆଜି ଜଣେ ଦୁଷ୍କର୍ମ ଅଭିଯୁକ୍ତ ପୁରୁଷୋତ୍ତମ ଭୋଇକୁ ସ୍ବତନ୍ତ୍ର ପକ୍ସୋ ଫାଷ୍ଟଟ୍ରାକ୍ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.କେ.ଦାସ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୯ ଅଗଷ୍ଟ ୨୦୨୦ରେ ଯୁଯୁମୁରା ଥାନା ବାରଲୋଇ ଗାଁର ଜଣେ ୧୭ ବର୍ଷର ନାବାଳିକା ପାଖ ନାଳାକୁ ଗାଧୋଇ ଯାଇଥିଲେ। ତାଙ୍କୁ ଏକାକୀ ପାଇ ସେହି ଗ୍ରାମର ପୁରୁଷୋତ୍ତମ ଏକ ବାଇକ୍ରେ ତାଙ୍କୁ ଅପହରଣ କରି ନେଇଥିଲା। ଅଭିଯୁକ୍ତ ତାର ସାଂଗ ଘରେ ଏବଂ ଜଂଗଲକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଘରକୁ ନଫେରିବାରୁ ତାଙ୍କ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ପୁରୁଷୋତ୍ତମକୁ ଗିରଫ କରିଥିଲା।
ଏହି ମାମଲାର ବିଚାର ବେଳେ ୨୪ ଜଣଙ୍କ ସାକ୍ଷ୍ୟ ଓ ୨୩ଟି ଦସ୍ତାବେଜ୍ ଅନୁଧ୍ୟାନ କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.କେ.ଦାସ ଅଭିଯୁକ୍ତ ପୁରୁଷୋତ୍ତମକୁ ଆଇପିସିର ଧାରା ୩୬୩, ୩୬୬, ୩୭୬(୨(ଏନ୍) ଏବଂ ୬ ପକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ବିଚାର କରି ଅଭିଯୁକ୍ତ ପୁରୁଷୋତ୍ତମକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରମାନା ଅନାଦୟେ ହେଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବସନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।