ସୋନପୁର: ତିନି ବର୍ଷ ତଳେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁବର୍ଣ୍ଣପୁର ଏଡିଜେ ପୂର୍ଣ୍ଣିମା ଜେନା ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ବୀରମହାରାଜପୁର ଥାନା ତେନ୍ତୁଳିମହଦା ଗାଁର ସୁନୀଲ ଓରଫ ସମୀର ସାହୁକୁ ଆଇପିସି ଧାରା ୩୭୬(୩)ରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଆଇପିସି ଧାରା ୩୨୩ରେ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ସମସ୍ତ ଦଣ୍ଡ ଏକକାଳୀନ ଭୋଗିବାକୁ ରାୟରେ ଶୁଣାଇଛନ୍ତି।

Advertisment

ସୂଚନା ଅନୁସାରେ, ୨୦୨୦ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ସୁନୀଲ ଓରଫ ସମୀର ଉକ୍ତ ନାବାଳିକା (୧୫ବର୍ଷ)ଙ୍କୁ ପଡ଼ୋଶୀ ଘରର ବାରିପଟକୁ ନେଇ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ପୀଡ଼ିତାଙ୍କ ବାପା ବୀରମହାରାଜପୁର ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ଏଡିଜେ କୋର୍ଟରେ ବିଚାରାଧୀନ ଥିଲା। ଏଥିରେ ୧୩ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦଶରଥ ମାହାଣା ମାମଲା ପରିଚାଳନା କରୁଥିଲେ।