ପାଳଲହଡ଼ା: ପାଳଲହଡ଼ା ବ୍ଲକ୍‌ ରୋହିଲା ପଞ୍ଚାୟତର ସୀମାନ୍ତ ଗାଁ ବେଣୀପଥର ନୂଆସାହି ବର୍ଷ ବର୍ଷ ଧରି ଅବହେଳିତ ହୋଇରହିଛି। ଏଠାକୁ ଭଲ ରାସ୍ତା ନାହିଁ। ପାନୀୟଜଳ ଯୋଗାଣ ଠପ୍ ହୋଇଯାଇଛି। ଏକମାତ୍ର ନଳକୂଅରୁ ହଳଦିଆ ପାଣି ବାହାରୁଥିବା ବେଳେ ଗତ ୫ ବର୍ଷ ମଧ୍ୟରେ କିଡ୍‌ନି ରୋଗରେ ୨୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଯଦି ଗାଁର ଏସବୁ ମୌଳିକ ସମସ୍ୟାର ସମାଧାନ କରା ନଯାଏ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ଠିକା ନେଇଥିବା ସଂସ୍ଥା କେବଳ ଦୁଇଟି ପାଇପ୍‌ ସଂଯୋଗ କରି କାମ ସାରିଦେଇଛି। ଫଳରେ ପାଣି ଗ୍ରାମବାସୀଙ୍କ ପାଖରେ ପହଞ୍ଚିପାରି ନାହିଁ। ଗାଁରେ ଥିବା ଏକମାତ୍ର ନଳକୂଅ ଉପରେ ୩ ଶହ ଲୋକ ନିର୍ଭର କରୁଛନ୍ତି। ଏହି ନଳକୂଅରୁ ପ୍ରଥମେ ଭଲ ପାଣି ବାହାରୁଥିଲା। କିଛିଦିନ ପରେ ଏହାର ପାଣି ହଳଦିଆ ହୋଇଯାଇଛି। ଏଥିରୁ ଲୁହାଗୁଣ୍ତ ବାହାରୁଛି। ଏହି ପାଣି ପିଇବା ଉପଯୁକ୍ତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ବାଧ୍ୟ ହୋଇ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରାଯାଉଛି। ଫଳରେ ଗ୍ରାମର ଅଧିକାଂଶ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗାଁଲୋକ କହିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଗୌରାଙ୍ଗ ସାହୁ, ଗୋଲେଖ ସାହୁ, ଅଲେଖ ସାହୁ, ସାବିତ୍ରୀ ସାହୁ, ମାଗୁଣି ସାହୁ, ପାଲୁଣି ସାହୁ, କରୁଣା ସାହୁ, ବିମ୍ବା ପେଣ୍ଠୋଇ, ବିଦ୍ୟାଧର କିସାନ, ହାଡି କିସାନ, ଜୁଆଙ୍ଗ କିସାନ ପ୍ରମୁଖ ୨୦ ଜଣ ବ୍ୟକ୍ତିଙ୍କର କିଡ୍‌ନି ରୋଗରେ ମୃତ୍ୟୁ ଘଟିଛି। ଗୋଟିଏ ପରିବାରର ୩ ଭାଇ ଗୌରାଙ୍ଗ, ଗୋଲଖ, ଓ ଅଲେଖ ଆଗପଛ ହୋଇ କିଡ୍‌ନି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇାଲେଣି। ୩ ଭାଇଙ୍କ ମୃତ୍ୟୁ ପରେ ସେମାନଙ୍କ ପତ୍ନୀ ବେସାହାରା ହୋଇଛନ୍ତି। ବିଧବାମାନଙ୍କୁ ଏ ପର୍ଯ୍ୟନ୍ତ ବିଧବା ଭତ୍ତା ମିଳି ନାହିଁ। ବାରମ୍ବାର ପ୍ରଶାସନକୁ ଗାଁର ଏସବୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗାଁକୁ ରାସ୍ତା ନିର୍ମାଣ ସହ ପାନୀୟ ଜଳ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରା ନଗଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏ ସଂପର୍କରେ ପଚାରିବାରୁ ତାଳଚେର ଗ୍ରାମ୍ୟ ଜଳ ପରିମଳ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାସମଲ କହିଛନ୍ତି, ନଳକୂଅରେ ବିଶୁଦ୍ଧ ପାଣି ଆଣିବା ପାଇଁ ଆଇରନ୍‌ ପ୍ରୋଟେକ୍‌ସନ୍‌ ସିଲିଣ୍ତର ବସାଯିବ। ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଖୁବ ଶୀଘ୍ର ଏହା ବସାଯିବ। ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଶଶିକାନ୍ତ ବେହେରା କହିଛନ୍ତି ଯେ ଅତୀତରେ ନଳକୂଅର ପାଣି ପରୀକ୍ଷା କରିଥିଲୁ। ସେଥିରେ କୌଣସି ତ୍ରୁଟି ନଥିଲା। ଅନ୍ୟ କୌଣସି କାରଣରୁ କିଡ୍‌ନି ରୋଗ ହୋଇଥାଇପାରେ। ଏବେ ଯଦି ପାଣି ଦୂଷିତ ହୋଇଥାଏ, ତେବେ ଆମେ ପରୀକ୍ଷା କରିବୁ। ଯେପରି କିଡ୍‌ନିରୋଗ ଆତଙ୍କ ନ ଖେଳାଇବ, ସେ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।