କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ଓଡ଼ିଶା‌ର ୨୦ ଯୁବକ!

ଭୁବନେଶ୍ବର, କଟକରୁ ବି ସାମିଲ୍‌ ଥିଲେ, ମୁମ୍ବାଇ ଛାଡ଼ିଲେଣି ୧୫, ଏନ୍‌ସିବି ସ୍କାନର୍‌ରେ ୩

ରାଉରକେଲା : ଏବେ ଚର୍ଚ୍ଚାର ଘେରରେ ଥିବା ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଯୁବକ ସାମିଲ୍‌ ଥିଲେ। ଏହି ୨୦ ଜଣଙ୍କ ମଧ୍ୟରୁ ରାଉରକେଲାର ପ୍ରାୟ ୧୪ ଜଣ ଏବଂ ଭୁବନେଶ୍ବର, କଟକରୁ ୬ ଜଣ ଯୁବକ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ମୁମ୍ବାଇ ଛାଡ଼ି ସାରିଥିବାବେଳେ ଆଉ ୫ ଜଣ ଏବେ ବି ମୁମ୍ବାଇରେ ଏନ୍‌ସିବି ସ୍କାନର୍‌ରେ ଥିବା କୁହାଯାଉଛି। ଏହି ଯୁବକମାନେ ଗୋଟିଏ ଦଳରେ ନଥିଲେ, ସେମାନେ ଦୁଇଟି ପୃଥକ୍‌ ଦଳରେ ନିଜ ନିଜ କ୍ରୁଜ୍‌ ପାର୍ଟିରେ ସାମିଲ ହୋଇଥିଲେ। ତେବେ, କ୍ରୁଜ୍ ଜାହାଜରେ ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାଁଙ୍କ ପୁଅ ଆର୍ୟ୍ୟନ ଖାଁ ନିଜ ବନ୍ଧୁମାନଙ୍କ ସହିତ ମଉଜମସ୍ତି କରୁଥିବା ଘଟଣା ସହିତ ଏହି ଦୁଇଟି ଦଳର କୌଣସି ସଂପର୍କ ନଥିଲା।

ମିଳିଥିବା ସୂଚନା ଅନୁସାରେ, ରାଉରକେଲାର ଜଣେ ଯୁବକଙ୍କର ବିବାହ ନିକଟ ଭବିଷ୍ୟତରେ ହେବାର ଅଛି। ଏଣୁ ସେ ତାଙ୍କର ପ୍ରାୟ ୧୫ ଜଣ ବନ୍ଧୁଙ୍କୁ ନେଇ ବ୍ୟାଚେଲର୍‌ ପାର୍ଟି ପାଇଁ ମୁମ୍ବାଇ ଯାଇଥିଲେ। ଏହି ୧୫ ଜଣଙ୍କ ମଧ୍ୟରୁ ରାଉରକେଲାର ୯ ଜଣ ଥିବାବେଳେ ଭୁବନେଶ୍ବର ଓ କଟକର ୬ ଜଣ ସାମିଲ ଥିଲେ। ଏନ୍‌ସିବିର ଚଢ଼ଉବେଳେ ଏହି ୧୫ ଜଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏଣୁ ସମସ୍ତଙ୍କୁ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚପରେ ଏମାନେ ବେଆଇନ ନିଷେଧ ନିଶା ଦ୍ରବ୍ୟ ସେବନ କରିନଥିବା ପ୍ରମାଣିତ ହେବାପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଅପରପକ୍ଷରେ ଗିରଫ ହୋଇଥିବା ମନୀଷ ଗାଗାରିଆ ଓ ଅଭିନ ସାହୁ ତାଙ୍କର ଅନ୍ୟ ୩ ଜଣ ବନ୍ଧୁଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲେ। ଏହି ୫ ଜଣିଆ ଦଳ କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିଲେ। ମନୀଷ ଓ ଅଭିନ୍ନଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୩ ଜଣ ମଧ୍ୟ ସ୍କାନର୍‌ରେ ଅଛନ୍ତି। ମନୀଷଙ୍କ ପାଖରୁ ପ୍ରାୟ ୨.୪ ଗ୍ରାମ୍‌ର ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଜବତ ହୋଇଥିବାବେଳେ ଅଭିନ ନିଷେଧ ମାଦକ ଦ୍ରବ୍ୟ ଖାଇ ପାର୍ଟିରେ ଯୋଗଦେଇଥିବା ଜଣାପଡ଼ିଥିଲା।

ଅପରପକ୍ଷରେ, ନିଜ ପୁଅମାନେ ନିର୍ଦ୍ଦୋଷ ବୋଲି ଅଭିଯୁକ୍ତ ଦ୍ବୟଙ୍କ ବାପା କହିଛନ୍ତି। ଜଣେ ଅଭିଯୁକ୍ତଙ୍କ ବାପାଙ୍କ କହିବାନୁସାରେ, ତାଙ୍କ ପୁଅଠାରୁ କୌଣସି ପ୍ରକାର ଡ୍ରଗ୍ସ ମିଳିନଥିଲା। ଶାହରୁଖ୍ ଖାଁଙ୍କ ପୁଅ ଆର୍ୟ୍ୟନ ଖାଁଙ୍କ ପାର୍ଟି ସହ ମଧ୍ୟ ତାଙ୍କ ପୁଅର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ଅନ୍ୟତମ ଅଭିଯୁକ୍ତଙ୍କ ବାପାଙ୍କ କହିବାନୁସାରେ, ତାଙ୍କ ପୁଅ ସହରର କିଛି ବନ୍ଧୁଙ୍କ ସହ ମିଶି ମୁମ୍ବାଇ ବୁଲିବାକୁ ଯାଇଥିଲେ। ସେମାନେ କ୍ରୁଜ୍‌ରେ ପାର୍ଟି କରିବାକୁ ଯାଇନଥିଲେ, କେବଳ କ୍ରୁଜ୍‌ ଦେଖିବାକୁ ଯାଇଥିଲେ। ସେମାନେ ଡ୍ରଗ୍ସ ସେବନ କରିନାହାନ୍ତି କିମ୍ବା ସେମାନଙ୍କଠାରୁ ଡ୍ରଗ୍ସ ଉଦ୍ଧାର ହୋଇନାହିଁ। ଜଣେ ଅଭିଯୁକ୍ତଙ୍କ ବାପା ଇତିମଧ୍ୟରେ ମୁମ୍ବାଇ ଯାଇ ସାରିଛନ୍ତି। ପୁଅ ଗିରଫ ହେବାର ଖବର ପାଇବା ସାଙ୍ଗେସାଙ୍ଗେ ସେ ମୁମ୍ବାଇ ଅଭିମୁଖେ ବାହାରିଯାଇଥିଲେ। ଅନ୍ୟ ଅଭିଯୁକ୍ତଙ୍କ ବାପା ଏବେ ରାଉରକେଲାରେ ଥିବାବେଳେ ଦିନେ ଦୁଇଦିନ ଭିତରେ ମୁମ୍ବାଇ ଯାଇ ଆଇନଗତ ଲଢ଼େଇ ଲଢ଼ିବାକୁ ପ୍ରକ୍ରିୟା ଆରମ୍ଭ କରିବେ କହିଛନ୍ତି।

ସମ୍ବନ୍ଧିତ ଖବର