ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ: କଳାହାଣ୍ଡିର ରୂପାନ୍ତର ସାରା ଦେଶରେ ଉଲ୍ଲେଖନୀୟ

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି କଳାହାଣ୍ଡି: ଅନିଲ ଅଗ୍ରୱାଲ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ ବାନ୍ଦୋପଲା ସରକାରୀ ଇଞ୍ଜିନିୟରିଂ କଲେଜରେ ୨୦୦ ଶଯ୍ୟା ବିଶିଷ୍ଟ ବେଦାନ୍ତ ଗ୍ରୁପ୍‌ ସହଯୋଗରେ ନିର୍ମିତ ବିଶ୍ବସ୍ତରୀୟ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲକୁ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ହସ୍ପିଟାଲ୍‌ରେ ୧୬ଟି ଆଇସିୟୁ ଓ ୧୬ଟି ଏଚ୍‌ଡିୟୁ ଶଯ୍ୟା, ୧୫ଟି ଏନ୍‌ଆଇଭି ଯୁକ୍ତ ଶଯ୍ୟା ସହ ଭେଣ୍ଟିଲେଟର ଉପଲବ୍ଧ ରହିଥିବା ବେଳେ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଉପକରଣର ବ୍ୟବସ୍ଥା ରହିଥିବା ଏହି ଏହି କୋଭିଡ୍‌ ହସ୍ପିଟାଲରେ କଳାହାଣ୍ଡିବାସୀ ତୃତୀୟ ଲହର ମୁକାବିଲା ପାଇଁ ଉନ୍ନତମାନର ଚିକିତ୍ସା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ହସ୍ପିଟାଲ ପାଇଁ ବେଦାନ୍ତ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ ଏଠାରେ ଚିକିତ୍ସାଠାରୁ ଆରମ୍ଭ କରି ରୋଗ ଚିହ୍ନଟ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ରୋଗୀଙ୍କୁ ସେବା ପ୍ରଦାନ କରାଯିବ ବୋଲି କହିଥିଲେ। ଏକବିଂଶ ଶତାବ୍ଦୀର କଳାହାଣ୍ଡିର ପରିବର୍ତ୍ତନ ସାରାଦେଶ ପାଇଁ ଉଲ୍ଲେଖନୀୟ ଅଟେ। କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି। କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି। କୋଭିଡ୍‌ ମୁକାବିଲାରେ ନିମନ୍ତେ ଓଡ଼ିଶାରେ ରାଜ୍ୟରେ ୧୫ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ୨ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। ଦେଶରେ ଅକ୍ସିଜେନ୍‌ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା। ଏଭଳି ସମୟରେ ଓଡ଼ିଶାରୁ ୧୮ଟି ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଇ ବହୁ ମୂଲ୍ୟବାନ୍‌ ଜୀବନ ବଞ୍ଚାଇପାରିଛି। ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍‌ କୁମାର, ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଓ ଲାଞ୍ଜିଗଡ଼ର ବିଧାୟକ ପ୍ରଦୀପ ଦିଶାରୀ ଯୋଗଦେଇ କୋଭିଡ୍‌ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗଦେଇ ବେଦାନ୍ତ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ। କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି। ମୁଁ ତାଙ୍କୁ ଯେତେବେଳେ ଭେଟିଛି, ସେ ସବୁବେଳେ କଳାହାଣ୍ଡିର ବିକାଶ ସମ୍ପର୍କରେ ମୋ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ବେଦାନ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଶର୍ମା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର