‘ସମଲେଇ’ ପାଇଁ ୨୦୦ କୋଟି, ୧୦୮ ଏକର ଜମିରେ ବିକାଶ ନିଷ୍ପତ୍ତି

୨୨ ଏକର ଜମିରେ ହ୍ରଦ କୂଳର ବିକାଶ ଯୋଜନା, ଉଦାର ଥଇଥାନ ପ୍ୟାକେଜ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସମ୍ବଲପୁରରେ ବିରାଜିତା ମାଆ ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ (Samaleswari Temple Area Management & Local Economy Initiatives) ‘ସମଲେଇ’ ଘୋଷଣା କରିଛନ୍ତି। ପୂର୍ତ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଉପସ୍ଥାପନ କରାଯାଇଥିବା ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସ୍ଥିର ହୋଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ବିନିମୟରେ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ମାଆଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତମାନେ କିଭଳି ଗୋଟିଏ ସ୍ବତନ୍ତ୍ର ଅନୁଭୂତି ନେଇ ଫେରିବେ, ସେଥିପାଇଁ ଏହି ପ୍ୟାକେଜରେ ବ୍ୟବସ୍ଥା କରାଯାଇଛି। ପୁରୀର ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ଭଳି ୫-ଟି ଅଧୀନରେ ସମଲେଇଙ୍କ ମନ୍ଦିର ବିକାଶ ଯୋଜନା ପ୍ରସ୍ତୁତ ହୋଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମଲେଶ୍ବରୀ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ରହିଛି। ଏଠାକୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ଦେବୀଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ। ମନ୍ଦିରର ଚାରି ଦିଗରେ ୪ଟି ଐତିହ୍ୟ ଦ୍ବାର ନିର୍ମାଣ ହେବ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ରହିବ। ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ। କେବଳ ସେତିକି ନୁହେଁ, ଯାତ୍ରୀମାନଙ୍କ ପାଇଁ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ। ତା’ସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହେବ। ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତା କରାଯିବ। ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଆଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ କରାଯାଇପାରିବ। ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ ଦୈନିକ ୫ନିୟୁତ ଲିଟର ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ୍ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ। ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀ ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ମାନବୀୟ ଦୃଷ୍ଟିରୁ ବିଚାର କରି ଏକ ଉଦାର ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି। ଏହି ଚିଠା ମାଷ୍ଟର ପ୍ଲାନ ସଂପର୍କରେ ଜନସାଧାରଣ [email protected] ଜରିଆରେ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କର ମୂଲ୍ୟବାନ ମତାମତ ଦେଇପାରିବେ ବୋଲି ସରକାର ସୂଚନା ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର