କଳିଙ୍ଗ ଷ୍ଟୁଡିଓର ବିକାଶ ପାଇଁ ୨୦୦ କୋଟି, ଷ୍ଟୁଡିଓକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ

ଆଧୁନିକ ସିନେମା ଷ୍ଟୁଡିଓର ସବୁ ସୁବିଧା ମିଳିବ

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓ ନୂଆ ରୂପ ନେବ। ଏହାକୁ ‘‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବ। ଆଧୁନିକ ସିନେମା ଷ୍ଟୁଡିଓର ସବୁ ସୁବିଧା ଏଠାରେ ମିଳିବ। ତାହା ସହ ପର୍ଯ୍ୟଟନ ଓ ସାମାଜିକ ‌େକନ୍ଦ୍ର ଭାବେ ମଧ୍ୟ ଏହାର ଲୋକଙ୍କର ଆକର୍ଷଣର କେନ୍ଦ୍ର ପାଲଟିବ। କଳିଙ୍ଗ ଷ୍ଟୁଡିଓର ଏହି ନବକଳେବରରେ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି। ସିନେମା ଶିଳ୍ପ କ୍ଷେତ୍ରରେ କଳିଙ୍ଗ ଷ୍ଟୁଡିଓର ଅବଦାନ ଓ ଭବିଷ୍ୟତ ଅଭିବୃଦ୍ଧିକୁ ବିଚାର କରି ଏହାକୁ ଏକ ନିଯୁକ୍ତି ସୃଷ୍ଟିକାରୀ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଷ୍ଟୁଡିଓ ଭାବେ ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଷ୍ଟୁଡିଓକୁ ସାଂସ୍କୃତିକ ଛାପ ଦେବା ସହ ଚଳଚଞ୍ଚଳ କରିପାରିବେ। ଏହା ଦ୍ବାରା ଷ୍ଟୁଡିଓର ଆୟ ମଧ୍ୟ ବଢ଼ିବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ କଳିଙ୍ଗ ଷ୍ଟୁଡିଓକୁ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଏକ ଅତ୍ୟାଧୁନିକ କେନ୍ଦ୍ର ଭାବେ ବିକଶିତ କରିବାର ସମସ୍ତ ସମ୍ଭାବନା ରହିଛି। ଏହି ସବୁ ସମ୍ବଳ ଓ ସମ୍ଭାବନାକୁ ଭିତ୍ତି କରି ପୁନର୍ବିନ୍ୟାସ ଯୋଜନା ପ୍ରସ୍ତୁତ କରାଯାଇଛି। ୨୬ ଏକର ଜାଗାରେ ନିର୍ମିତ ଷ୍ଟୁଡିଓରେ ବର୍ତ୍ତମାନ ରେକର୍ଡିଂ ପରୀକ୍ଷାଗାର, ଇନ୍‌ଡୋର ସୁଟିଂ ସ୍ଥାନ, ଖୋଲା ଉଦ୍ୟାନ, ମନ୍ଦିର ଓ କୁଡ଼ିଆ ଆଦି ରହିଛି। ବର୍ତ୍ତମାନ ଏହା ମାସିକ ୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ କରୁଛି।
ପ୍ରସ୍ତାବିତ ପୁନର୍ବିନ୍ୟାସ ନିମନ୍ତେ ପାଣ୍ଠି ବିନିଯୋଗ, ଏହା ମାଧ୍ୟମରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି, ଷ୍ଟୁଡିଓକୁ ଆତ୍ମନିର୍ଭରଶୀଳ ଓ ନିରନ୍ତର କରିବା ନିମନ୍ତେ ରାଜସ୍ବ ସଂଗ୍ରହ ପନ୍ଥା ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା କହିଥିଲେ।
ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ କଟକସ୍ଥିତ ବିଜୁ ପଟ୍ଟନାୟକ ସିନେମା ଓ ଦୂରଦର୍ଶନ ପ୍ରତିଷ୍ଠାନରୁ ଶିକ୍ଷା ଲାଭ କରୁଥିବା ଓଡ଼ିଆ ଯୁବକ, ଯୁବତୀମାନେ ସୃଜନକଳା ଶିଳ୍ପରେ ବେଶ୍‌ ସଫଳତା ହାସଲ କରିଛନ୍ତି। ରାଜ୍ୟର ଏହି କୁଶଳୀ ମାନବ ସମ୍ବଳ ଆଧୁନିକ ସିନେମା ଷ୍ଟୁଡିଓ ବିକାଶରେ ବିଶେଷ ସହାୟକ ହେବେ।

ନୂଆ ଷ୍ଟୁଡିଓରେ ମୁଖ୍ୟତଃ ତିନିଟି ଜୋନ୍‌ ପ୍ରସ୍ତୁତ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଜୋନ୍‌-୧ରେ ଇନ୍‌ଡୋର ସୁଟିଂ ଫ୍ଲୋର୍‌, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍ ଜୋନ୍, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବ। ଜୋନ୍‌-୨ରେ ଆଉଟ୍‌-ଡୋର୍‌ ସୁଟିଂ ସୁବିଧା, ବିଷୟ ଭିତ୍ତିକ ସୁଟିଂ ସ୍ଥାନ, କିଡ୍‌ସ୍‌ ଜୋନ୍‌, ଦୁର୍ଗ ଦୃଶ୍ୟ, ବରଫ ଜୋନ୍‌ ଓ ସାହାସିକତା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସ୍ଥାନ ରହିବ। ଜୋନ୍‌-୩ରେ ଫୁଡ୍‌ କୋର୍ଟ, କଳାକାରଙ୍କ ନିମନ୍ତେ ରହିବା ଓ ଖାଇବା ସୁବିଧା, ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ରହିବ। ବର୍ତ୍ତମାନ ରହିଥିବା କିଛି ମୁଖ୍ୟ ଗୃହକୁ ଷ୍ଟୁଡିଓର ଐତିହ୍ୟ ନିମନ୍ତେ ସୁରକ୍ଷିତ ରଖାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା ସୂଚନା ଦେଇଥିଲେ।

ପୁନର୍ବିନ୍ୟାସ ଯୋଜନାକୁ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ତୁରନ୍ତ ଏହାର ଟେଣ୍ଡର୍‌ ପ୍ରକ୍ରିୟା‌ ଆରମ୍ଭ କରି ବର୍ଷା ଦିନ ପୂର୍ବରୁ କ୍ଷେତ୍ରସ୍ତରୀୟ ମାଟି କାମ ସାରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଇପିକଲ୍‌ର ସିଏମ୍‌ଡି ନୀତିନ ଭାନୁଦାସ ଜାୱଲେ ଓ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଳିଙ୍ଗ ଷ୍ଟୁଡିଓ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର