ଅଫିସ୍ରେ ପଶିଲେ ଏଜେଣ୍ଟ, ଜମାକାରୀ ମ୍ୟାନେଜରଙ୍କୁ ଅଟକ, ଛାନିଆରେ କର୍ମଚାରୀ ଫେରାର
କଟକ : ୧୫ ହଜାର କଟକିଆଙ୍କ ଟଙ୍କା ସାହାରା ସଂସ୍ଥାରେ ଫସି ରହିଛି। ପାଖାପାଖି ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପଡ଼ି ରହିଛି। ପ୍ରାୟ ୫୦୦ ଏଜେଣ୍ଟ ଓ ୧୫ ହଜାର ଜମାକାରୀଙ୍କ ଟଙ୍କା ଫେରସ୍ତ କରୁନାହାନ୍ତି ସାହାରା କର୍ତ୍ତୃପକ୍ଷ। ବାରମ୍ବାର ସାହାରାର ଚଣ୍ଡୀଛକ ଅଫିସକୁ ଦୌଡ଼ି ଦୌଡ଼ି ଥକିଯାଇଥିବା ବେଳେ ଗୁରୁବାର ସ୍ଥିତି ବିସ୍ଫୋରକ ହୋଇଥିଲା। ଶାଖାର ମ୍ୟାନେଜରଙ୍କୁ ଉଭୟ ଏଜେଣ୍ଟ ଓ ଜମାକାରୀମାନେ ଅଟକ ରଖିଥିଲେ। ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ପହଞ୍ଚିବା ପରେ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥିଲା। ମ୍ୟାନେଜରଙ୍କ ବ୍ୟତୀତ ଅନ୍ୟ କର୍ମଚାରୀମାନେ ଶାଖାରୁ ପଳାଇ ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସାହାରାର କଟକ ସହରରେ ବଜ୍ରକବାଟୀ ଶାଖା ପରେ ଦ୍ବିତୀୟ ଶାଖା ଚୌଧୁରୀବଜାରରେ ୧୯୯୩ରୁ ଖୋଲିଥିଲା। ସବୁଠାରୁ ଅଧିକ ଜମାକାରୀ କଟକ ସହରରେ ଚୌଧୁରୀ ବଜାର ଶାଖାରେ ଥିଲେ। ପାଖାପାଖି ୧୫ ହଜାର ଜମାକାରୀ ଟଙ୍କା ଜମା କରିଥିଲେ। ଏହି ଶାଖାରେ ସର୍ବାଧିକ ୫୦୦ ଏଜେଣ୍ଟ କାମ କରୁଥିଲେ। ପରବର୍ତ୍ତୀ ସମୟରେ ଚୌଧୁରୀ ବଜାର ଶାଖା ଚଣ୍ଡୀଛକକୁ ସ୍ଥାନାନ୍ତର ହୋଇଥିଲା। ଜମାକାରୀଙ୍କ ଅଭିଯୋଗ ଅନୁଯାୟୀ ୨୦୧୭-୧୮ ପରଠାରୁ କୌଣସି ଜମାକାରୀଙ୍କ ଟଙ୍କା ମ୍ୟାଚୁରିଟି ପରେ ଫେରସ୍ତ କରୁନାହାନ୍ତି କର୍ତ୍ତୃପକ୍ଷ। ଜମାକାରୀଙ୍କ ଚାପରେ ଏଜେଣ୍ଟ୍ ମାନେ ମାନସିକ ଭାବେ ପ୍ରଭାବିତ ହେଉଥିବା ଦେଖଇବାକୁ ମିଳୁଛି। ଚଣ୍ଡୀଛକ ଅଞ୍ଚଳର ଜଣେ ଏଜେଣ୍ଟ ୨୦୨୦ରେ ହୃଦ୍ଘାତରେ ପ୍ରାଣ ହରାଇଥିବା ବେଳେ ଚାଉଳିଆଗଞ୍ଜ ଅଞ୍ଚଳରେ ଆଉ ଜଣେ ଏଜେଣ୍ଟ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଟଙ୍କା ନମିଳିବା ଘଟଣା ସମ୍ପର୍କରେ ଜମାକାରୀ ୨୦୨୧ ଅକ୍ଟୋବରରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଫେରାଦ ହୋଇଥିଲେ। ୨୦୨୦ରୁ ୨୦୨୧ ଭିତରେ ଜିଲ୍ଲାପାଳ ଓ ଡିସିପିଙ୍କୁ ବାରମ୍ବାର ଭେଟି ଅଭିଯୋଗ କରିଛନ୍ତି। କିନ୍ତୁ ମାମଲା ଏଯାଏ ରୁଜୁ ହୋଇ ନାହିଁ। ଗଲା ୨୦୨୧ ସେପ୍ଟେମ୍ବର ୩ ତାରିଖରେ ଏଜେଣ୍ଟ ଓ ଜମାକାରୀମାନେ ବିଧାନସଭା ଘେରାଉ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ।
ସେଲଟର୍ ଛକ ଅଞ୍ଚଳର ଏଜେଣ୍ଟ ପ୍ରକାଶ ସିଂହ କହିଛନ୍ତି ଯେ ସେ ନିଜର ୨୦ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହାବାଦ୍ ୧୫୦ ଜଣ ଜମାକାରୀଙ୍କ ୫ କୋଟି ଟଙ୍କା ଜମା କରିଛନ୍ତି। ୩ ବର୍ଷ ହେବ ସାହାରା ଅଫିସ ଦୌଡ଼ୁଥିବା ବେଳେ ଟଙ୍କା ମିଳୁନାହିଁ। ଶିଖରପୁର ଅଞ୍ଚଳର ଜମାକାରୀ କବିତା କାହାଳୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାନ ଭଉଣୀର ଆସନ୍ତା ଫେବ୍ରୁଆରି ୫ ତାରିଖରେ ବାହାଘର ଥିବାରୁ ୧୦ ଲକ୍ଷ ଟଙ୍କାରୁ ଏବେ ୫ ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଛନ୍ତି। କିନ୍ତୁ ଶାଖାର କର୍ମଚାରୀ ୧୦ ହଜାର ଟଙ୍କା ଦେବାକୁ କହୁଛନ୍ତି। ପରିବାରର ୭ ଜଣ ସଦସ୍ୟ ଏଠି ଟଙ୍କା ଜମା କରିଛନ୍ତି। ଏବେ ଭଉଣୀ ବାହାଘର ଥିବାରୁ ଟଙ୍କା କେଉଁଠାରୁ ଆଣିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଟାଙ୍ଗୀ ବଇଁଚୁଆର କଳ୍ପଲତା ଗଡ଼ନାୟକ ୨୦୧୦ରେ ୧୦ ଲକ୍ଷ ଟଙ୍କା ଜମା କରିଥିଲେ। ନାତୁଣୀ ପାଠପଢ଼ା ପାଇଁ ଟଙ୍କାର ଆବଶ୍ୟକତା ରହିଛି। ୩ ବର୍ଷ ହେବ ଟଙ୍କା ପାଇଁ ଦୌଡ଼ୁଥିବା ବେଳେ ଟଙ୍କା ମିଳୁନାହିଁ।
ସେହିଭଳି କଲେଜ ଛକ ଅଞ୍ଚଳର କ୍ରିଷ୍ଣା ସାଙ୍କ ପରିବାରର ୪ ଜଣ ପ୍ରାୟ ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଟଙ୍କା ମ୍ୟାଚୁରିଟି ହୋଇସାରିଥିବା ବେଳେ ଗଲା ଦୁଇ ବର୍ଷ ହେବ ଅଫିସକୁ ଦୌଡ଼ୁଛନ୍ତି। କିନ୍ତୁ ଟଙ୍କା ମିଳୁନାହିଁ। ଘଟଣା ସମ୍ପର୍କରେ ଶାଖାର ମ୍ୟାନେଜର ସଚ୍ଚିକାନ୍ତ ବଡ଼ୁ କହିଛନ୍ତି ଯେ ଆମେ ଜମାକାରୀଙ୍କୁ କିଛି କିଛି ଟଙ୍କା ଦେଉଛୁ। ବର୍ତ୍ତମାନର ସ୍ଥିତି ଯାହା ଏତେ ଲୋକେ ଏକକାଳୀନ ମାଗିବାରୁ ଦେଇପାରୁ ନାହୁଁ। ସର୍ବାଧିକ ୫ ହଜାର ଟଙ୍କା ଦେଉଛୁ। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦିନକୃଷ୍ଣ ମିଶ୍ର କହିଛନ୍ତି ଯେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ରେଜିଷ୍ଟର କୋ-ଅପରେଟିଭ ସୋସାଇଟିର ନିର୍ଦ୍ଦେଶ ନହେଲେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ।