କଟକ: ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ବର୍ଣ ଆଇସିୟୁରେ ଦୀର୍ଘ ୨ଶହ ଦିନ ରହି ଚିକିତ୍ସିତ ହେବା ପରେ ଶେଷରେ ନୂଆ ଜୀବନ ପାଇଛନ୍ତି ମୋହିନୀ ବାଗ। ୩୦ ବର୍ଷୀୟା ମୋହିନୀଙ୍କ ଶରୀରରେ ଏହି ସମୟ ଭିତରେ ୬ ଥର ଅସ୍ତ୍ରୋପଚାର ହୋଇଥିଲା। ଏହି ଅସ୍ତ୍ରୋପଚାର ଓ ଚିକିତ୍ସା ସମୟରେ ତାଙ୍କୁ ୧୮ୟୁନିଟ୍ ରକ୍ତ, ୨୦ ୟୁନିଟ୍ ପ୍ଲାଜମା, ୩୦ ୟୁନିଟ୍ ଆଲବୁମିନ୍, ୧୮ ବୋତଲ ଅତି ଆବଶ୍ୟକ ଆମିନୋ ଏସିଡ୍ ସହ ୫ଲକ୍ଷ ଟଙ୍କାର ଔଷଧ ଯୋଗାଇ ଦିଆଯାଇଥିଲା। ଏସିଡ୍ ମାଡ଼ରେ ମୋହିନୀଙ୍କ ଶରୀରର ୪୫ ପ୍ରତିଶତ ପୋଡି ଯାଇଥିଲା।
ଝାରସୁଗୁଡା ଜିଲ୍ଲା ଲଇକିରା ଥାନା ବାଗଡିହି ଗ୍ରାମର ମୋହିନୀ ଫେବ୍ରୁଆରି ୭ ତାରିଖରେ ସ୍କୁଟିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଏସିଡ୍ ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଫେବ୍ରୁଆରି ୧୦ ତାରିଖରୁ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦେବ ମହାନ୍ତି, ସର୍ଜରି ବିଭାଗ, ପଲ୍ୟୁମନାରୀ ମେଡିସିନ୍, ମେଡିସିନ୍, କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ଟିମ ମୋହିନୀଙ୍କ ଚିକିତ୍ସା କରୁଥିଲେ। ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ବିଭିନ୍ନ ଚିକିତ୍ସା ପଦ୍ଧତି ସହ ମୃତ ଟିସୁର ଗ୍ରାପ୍ଟିଂ କରାଯାଇ ୬ଥର ଅସ୍ତ୍ରାପଚାର କରାଯାଇଥିଲା। ଚିକିତ୍ସା ପରେ ମୋହିନୀ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।