ରାଜ୍ୟର ୩ ପୁରାତନ ମେଡିକାଲ କଲେଜରେ ୨ଶହ କ୍ବାରାଣ୍ଟାଇନ୍ ଶଯ୍ୟା

ଭୁବନେଶ୍ବର : ରାଜ୍ୟର ୩ ପୁରାତନ ମେଡିକାଲ କଲେଜରେ କରୋନା ସନ୍ଦିଗ୍ଧଙ୍କ ପାଇଁ ୨ଶହ ପୃଥକ୍ ଶଯ୍ୟା ବା କ୍ବାରାଣ୍ଟାଇନ୍ ଶଯ୍ୟା ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ‌ପାଖରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ନାହିଁ ମାତ୍ର ସେମାନେ କରୋନା ସଂକ୍ରମିତ ଦେଶରୁ ଫେରିଛନ୍ତି ସେମାନଙ୍କ ପାଇଁ ଏହି କ୍ବାରାଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ଅନେକଙ୍କୁ ଘରେ ପୃଥକ୍ ଭାବେ ବା କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦେଶ ଦିଆଯାଉଛି। ମାତ୍ର ଅନେକ ଏହାକୁ ଖାତିର କରୁ ନାହାନ୍ତି। ତେଣୁ ସେମାନଙ୍କ ପାଇଁ ମେଡିକାଲ କଲେଜରେ କ୍ବାରାଣ୍ଟାଇନ୍ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କରୋନା ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ୧୮୯୭ ମସିହା ଭାରତୀୟ ଏପିଡେମିକ୍ ଆଇନ୍‌କୁ କାର୍ଯ୍ୟକାରୀ କରାଯାଇଛି। ବିଦେଶରୁ ଫେରୁଥିବା ଅନେକ ବ୍ୟକ୍ତି ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଉ ନାହାନ୍ତି କିମ୍ବା କ୍ବାରାଣ୍ଟାଇନ୍‌ ଓ ରକ୍ତ ନମୁନା ସଂଗ୍ରହ ପାଇଁ ଲୁଚୁଥିବା ନଜରକୁ ଆସିଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂଆ ଆଇନ କାର୍ଯ୍ୟକାରୀ କରାଯିବା ଫଳରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିକଟରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି। ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରିଥିଲେ ହେଁ କ୍ବାରାଣ୍ଟାଇନ୍‌ ପାଇଁ ଲୁଚୁଥିବା ନଜରକୁ ଆସିଛି। ତେଣୁ ସେସବୁ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍ ଓ ସେମାନଙ୍କ ରକ୍ତ ନମୁନା ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କ୍ଷମତାପ୍ରାପ୍ତ ହୋଇଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ଏମ୍‌କେସିଜିରେ ୧୦୦ଟି, ଏସ୍‌ସିବିରେ ୬୦ ଓ ଭିମ୍‌ସାରରେ ୪୦ଟି କ୍ବାରାଣ୍ଟାଇନ୍ ଶଯ୍ୟା ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯାହାଫଳରେ ଏହି ବିଦେଶ ଫେରନ୍ତା ବ୍ୟକ୍ତିମାନଙ୍କୁ ସେଠାରେ ରଖାଯିବ। କରେନା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ଯଦି ରାଜ୍ୟରେ କେହି କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତେବେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ସିନେମା ହଲ, ସ୍କୁଲ ଓ ମଲ ଭଳି ଭିଡ଼ ସ୍ଥାନକୁ ବନ୍ଦ କରାଯାଇପାରେ ବୋଲି ଡା.ମହାନ୍ତି କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ସଂଗୃହୀତ ସମସ୍ତ ୧୭ଟି ନମୁନା ନେ‌ଗେଟିଭ୍ ରହିଛି। ଏ ପର୍ଯ୍ୟନ୍ତ ୧୩୮ଜଣ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷୁ ସ୍କ୍ରିନିଂ କରାଯାଇଛି। ଏବେ ୨୬ଜଣ ବ୍ୟକ୍ତି ‌ଘରେ କ୍ବାରାଣ୍ଟାଇନ୍‌ରେ ରହିଛନ୍ତି। କାର୍ଯ୍ୟକ୍ଷେତ୍ରରେ କରୋନା ପାଇଁ ସତର୍କ ରହିବା ପାଇଁ ମାଗଦର୍ଶିକା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି।

ସମ୍ବନ୍ଧିତ ଖବର