୪ ଥାନା ପାର୍‌ କରି ସ୍କ୍ରାପ୍‌ ଚୋରାଚାଲାଣ; ମାସକୁ ଚାଲାଣ ହେଉଛି ୨ ଶହ ଟନ୍‌

ଚକ୍ରଧରପୁର, ଟାଟାନାଗର, ଜାମଶେଦପୁର, ବଡ଼ବିଲକୁ ଚୋରାଚାଲାଣ

ରାଉରକେଲା: ସହରରେ ସ୍କ୍ରାପ୍‌ ବେପାର ପୁଣିଥରେ ଜମିବାରେ ଲାଗିଛି। କୋଭିଡ୍‌ ମହାମାରୀ ସମୟରେ ଅତ୍ୟଧିକ ଯାଞ୍ଚ୍‌ ଯୋଗୁଁ ସ୍କ୍ରାପ୍‌ ଚୋରାଚାଲାଣ ଆଖିଦୃଶିଆ ହ୍ରାସ ପାଇଥିଲା; ଏବେ କିନ୍ତୁ ଏହା ପୁଣି ବେଗ ଧରିଲାଣି। ମାସକୁ ପାଖାପାଖି ୨ ଶହ ଟନ୍‌ ସ୍କ୍ରାପ୍‌ ଚୋରାଚାଲାଣ ହେଉଛି। ୪ଟି ଥାନା ଅତିକ୍ରମ କରି ଏହି ଚୋରାଚାଲାଣ ଚାଲିଛି। ବିଡ଼ମ୍ବନାର ବିଷୟ ଏହା ଯେ, ପୁଲିସ କିନ୍ତୁ ସବୁ ଜାଣି ଚୁପ୍‌ ବସିଛି।

ରାଉରକେଲା ସମେତ ବେଦବ୍ୟାସ, କଳୁଙ୍ଗା ଆଦି ଶିଳ୍ପାଞ୍ଚଳରୁ ସ୍କ୍ରାପ୍‌ ଚୋରାଚାଲାଣର ଇତିହାସ ଢ଼େର୍‌ ପୁରୁଣା। ଏବେ ମୁଖ୍ୟତଃ ରାଉରକେଲାର ବିଭିନ୍ନ ଅଞ୍ଚଳ, ଯଥା- ମାଲଗୋଦାମ, ଫାଟାପାଇପ୍, ତିଲକାନଗର, ବନ୍ଧମୁଣ୍ଡାର କୁକଡ଼ା ଫାଟକ ନିକଟରେ ବେଆଇନ ଲୁହା ବ୍ୟବସାୟ ଜୋର୍‌ ଧରିଛି। ବିଶେଷକରି ମାଲଗୋଦାମରେ କାରବାର ଆଶାତୀତଭାବେ ବୃଦ୍ଧି ପାଇଛି। ଗାଡ଼ି ଚାଳକଙ୍କ ସହ ଭିତିରିଆ ସଲାସୁତୁରା କରି ଆର୍‌ଏସ୍‌ପିରୁ ବାହାରୁଥିବା ପିଗ୍‌ ଆଇରନ୍‌କୁ ଚୋରି କରୁଛନ୍ତି। ପ୍ରକାଶଥାଉକି, ଆର୍‌ଏସ୍‌ପିରୁ ପରିବହନ ହେଉଥିବା ପିଗ୍‌ ଆଇରନ ଭର୍ତ୍ତି ଗାଡ଼ି ପ୍ରଥମେ ପ୍ଲାଣ୍ଟ୍‌ସାଇଟ୍‌ସ୍ଥ ପାର୍କିଂରେ ରହୁଛି। ସେଠାରେ ଗାଡ଼ି ଚାଳକମାନେ ଭୋଜନ କରିବା ବାହାନାରେ କିଛି ସମୟ ଅଟକି ରହୁଛନ୍ତି। ଏତିକିବେଳେ ପୂର୍ବ ଯୋଜନା ଅନୁଯାୟୀ ସ୍କ୍ରାପ୍‌ ମାଫିଆଙ୍କ ଦ୍ବାରା ନିୟୋଜିତ କର୍ମଚାରୀ ପିଗ୍‌ ଆଇରନ୍‌କୁ ଅନଲୋଡ୍‌ କରୁଛନ୍ତି।

ଏତଦ୍‌ବ୍ୟତୀତ ଆର୍‌ଏସ୍‌ପି ଭିତରୁ ଚୋରି ହେଉଥିବା ସ୍କ୍ରାପ୍‌କୁ ମାଫିଆମାନେ କିଣୁଛନ୍ତି। ଏସବୁ ସ୍କ୍ରାପ୍‌କୁ ସେଠାରୁ ସ୍ଥାନାନ୍ତର କରି ମାଲଗୋଦାମ ଖଟାଲ ନିକଟସ୍ଥ ସ୍କ୍ରାପ୍‌ ଗୋଦାମରେ ଗଚ୍ଛିତ କରୁଛନ୍ତି। ସେଠାରୁ ବିଳମ୍ବିତ ରାତିରେ ପିକ୍‌ଅପ୍‌ ଯୋଗେ ଝାଡ଼ଖଣ୍ଡର ଚକ୍ରଧରପୁର, ଟାଟାନାଗର, ଜାମଶେଦପୁର, ବଡ଼ବିଲ ଅଞ୍ଚଳକୁ ପଠାଯାଉଛି। ତେବେ ଏମାନେ କୌଣସି ଚୋରାପଥରେ ନୁହେଁ, ବରଂ ବୀର୍ସା ଛକ-ବନ୍ଧମୁଣ୍ଡା ରାସ୍ତା ଦେଇ ଚାଲାଣ କରୁଛନ୍ତି। ଅର୍ଥାତ୍‌ ଏମାନେ ଉଦିତନଗର-ପ୍ଲାଣ୍ଟ୍‌ସାଇଟ୍‌-ବନ୍ଧମୁଣ୍ଡା-ବିଶ୍ରା ଥାନା ଅତିକ୍ରମ କରି ଚାଲାଣ କରୁଛନ୍ତି।

ମାଫିଆମାନେ ମାସିକ ପାଖାପାଖି ୨ ଶହ ଟନ୍‌ ସ୍କ୍ରାପ୍‌ ଚାଲାଣ କରୁଥିବା ଆକଳନ କରାଯାଉଛି। ପ୍ରାୟତଃ ଏମାନେ ପିକ୍‌ଅପ୍‌ରେ ଚାଲାଣ କରୁଛନ୍ତି। ପିକ୍‌ଅପ୍‌ରେ ଏକାଥରକେ ୧୭/୧୮ ଟନ୍‌ ଲୋଡ୍‌ କରାଯାଉଛି। ସପ୍ତାହକୁ ଅନ୍ୟୁନ ୩ ଥର ଚାଲାଣ ହେଉଛି। ଅର୍ଥାତ୍‌ ସପ୍ତାହକୁ ପାଖାପାଖି ୫୦ ଟନ୍‌ର ସ୍କ୍ରାପ୍‌ ହିସାବରେ ମାସିକ ୨ ଶହ ଟନ୍‌ ଚାଲାଣ ହେଉଛି। ଉଲ୍ଲେଖଯୋଗ୍ୟ, ଗୋଟିଏ କେଜି ସ୍କ୍ରାପ୍‌ର ଦାମ୍‌ ୧୪ ଟଙ୍କା। ଏହି ହାରରେ ଚୋରାଚାଲାଣ ହେଉଥିବା ୨ ଶହ ଟନ୍‌ ସ୍କ୍ରାପ୍‌ର ମୂଲ୍ୟ ପାଖାପାଖି ୨୮/୩୦ ଲକ୍ଷ ହେବ। ପୂର୍ବରୁ ମାଫିଆମାନେ ଟ୍ରେନ୍‌ରେ ଚାଲାଣ କରୁଥିଲେ। ତେବେ କୋଭିଡ୍‌ ମହାମାରୀ ସମୟରେ ଟ୍ରେନ୍‌ ଚଳାଚଳ ବନ୍ଦ ହେବାସହ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଏଣୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏଣୁ ଏମାନେ ଟ୍ରେନ୍‌ ପରିବର୍ତ୍ତେ ପିକ୍‌ଅପ୍‌ରେ ଚାଲାଣ କରିବା ଆରମ୍ଭ କରିଦେଇଛନ୍ତି। ରେଳବାଇର ପାର୍ସଲ୍‌ ବିଭାଗ କର୍ମଚାରୀ-ଆର୍‌ପିଏଫ ସହ ମିଶି ଅବାଧରେ ଚାଲାଣ ଚାଲିଥିଲା। ଏ ଦିଗରେ ପୁଲିସର ନିଷ୍କ୍ରିୟତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିୟମିତ ବ୍ୟବଧାନ‌ରେ ଚୋରାଚାଲାଣ ହେଉଥିଲେ ସୁଦ୍ଧା ପୁଲିସ ହାତବାନ୍ଧି ବସିବା ପଛରେ ସ୍କ୍ରାପ୍‌ ମାଫିଆ-ପୁଲିସର ଅନୈତିକ ମେଣ୍ଟ୍‌ ଥିବା ଅଭିଯୋଗ ହୁଏ।

ସମ୍ବନ୍ଧିତ ଖବର