ରାଉରକେଲା: କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ । ଘରୋଇ, ସରକାରୀ ଅଫିସ, ଟ୍ରେନ୍ ଚଳାଚଳ ବି ସମ୍ପୂର୍ଣ୍ଣ ବନ୍ଦ। ଦେଶର ଲକ୍ଡାଉନ୍ ସମୟ ସୀମାକୁ ଆସନ୍ତକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଆହୁରି ବଢ଼ାଇ ପାରନ୍ତି। ଏଭଳି କଠିନ ସମୟରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଅଟୋ ଚାଳକଙ୍କ ଦୁଃଖ ଯନ୍ତ୍ରଣା ବଢ଼ିଯାଇଛି। ଯାହା କିଛି ସାଇତି ରଖିଥିଲେ ସେତକ ବି ସରିଯାଇଛି। ଲକ୍ଡାଉନ୍ ପାଇଁ ସ୍କୁଲ ପିଲାଙ୍କ ମାସିକ ଭଡା ଦେଉଥିବା ଅଭିଭାବକମାନେ ମଧ୍ୟ ରୋକ୍ଠୋକ୍ ମନା କରି ଦେଇଛନ୍ତି। ସ୍କୁଲ ଆସନ୍ତା ଜୁନ୍ ୧୭ ପର୍ଯ୍ୟନ୍ତ ଛୁଟି ଥିବାରୁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଭଡା ନ ମାଗିବାକୁ କହିଛନ୍ତି। ସେପଟେ ଋଣ ଛାଡ ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ସେମିତି କିଛି ପଦକ୍ଷେପ ନିଆଯାଇ ନାହିଁ। ଏଭଳି ସ୍ଥିତିରେ ଋଣ କରି ଅଟୋ ନେଇଥିବା ଅଟୋ ଚାଳକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। କିପରି ଋଣ ସୁଝିବେ, ଘରେ ଚୁଲି ଚଳିବ ଏସବୁ ଭାବି ଭାବି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏଭଳି ଦୟନୀୟ ସ୍ଥିତି ଉପୁଜିଛି ସ୍ମାର୍ଟ ସିଟି ରାଉରକେଲାର ୨ ହଜାରରୁ ଅଧିକ ଅଟୋ ଚାଳକ ପରିବାରଙ୍କ କ୍ଷେତ୍ରରେ। ଏମାନଙ୍କ ପାଇଁ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସୁନ୍ଦରଗଡ ଅଟୋ କର୍ମଚାରୀ ସଂଘ, ପାନପୋଷ ଅଟୋ କର୍ମଚାରୀ ସଂଘ, ଅଟୋ ଚାଳକ ମହାସଂଘ ସମେତ ୪ଟି ସଂଘର ନେତାମାନେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ଦୁର୍ଦ୍ଦିନରେ ଅଟୋ ପରିବାର ପେଟ କଥା ବୁଝିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଊତ୍ତରପ୍ରଦେଶ ସରକାର ପରି ସମସ୍ତ ଅଟୋ ଚାଳକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ଓଡ଼ିଶା ସରକାର ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ସୁନ୍ଦରଗଡ ଅଟୋ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭୁବନ ବେହେରା କହିଛନ୍ତି ସହରରେ ଅଟୋ ଚଳାଇ ପରିବାର ଚଳାଉଥିବା ଅଟୋ ଚାଳକଙ୍କ ଦୁଃଖ କହିଲେ ନ ସରେ। ଦିନକୁ ଦୁଇ ଓଳା ଠିକ୍ ଭାବେ ଖାଇବାକୁ ପାଉ ନାହାନ୍ତି। ଅର୍ଦ୍ଧାଧିକ ସମୟରେ ପରିବାର ସହ ସେମାନଙ୍କୁ ଉପାସରେ ରହିବାକୁ ପଡୁଛି। ଯେଉଁମାନେ ଋଣ ନେଇଛନ୍ତି ସେମାନଙ୍କ ଦୁଃଖତ ଆହୁରି ବଢ଼ି ଯାଇଛି।
ଏଭଳି ସ୍ଥିତିରେ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ତେଣୁ ପରିବାର ଚଳିବା ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ ସରକାରଙ୍କ ପରି ୫ ହଜାର ଟଙ୍କା ଲେଖାଏଁ ଦେଲେ ସେମାନଙ୍କ ପରିବାର ଚଳିଯାଆାନ୍ତେ। ପାନପୋଷ ଅଟୋ କର୍ମଚାରୀ ସଂଘର ରମେଶ ବଳ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଭୋକ ଉପାସରେ ରହୁଥିବା ଅଟୋ ଚାଳକଙ୍କ ପରିବାର ସରକାର ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି। ଅଟୋ ଚାଳକ ପ୍ରଶନ୍ନ କୁମାର ତନ୍ତି କହିଛନ୍ତି, ସ୍କୁଲ, ଦୋକାନ ବଜାର ସବୁ ବନ୍ଦ ରହିଛି। ଅଟୋ ନ ଚଳାଇବେ ପରିବାର ଚଳିବା ବଡ କଷ୍ଟକର। ଅନ୍ୟମାନଙ୍କ ପାଇଁ ସରକାର କେତେ କ’ଣ ଦାନ କରୁଛନ୍ତି, ଆମ ଗରିବ ଅଟୋ ପରିବାର ପେଟର ଯନ୍ତ୍ରଣା ଟିକେ ବୁଝନ୍ତୁ ବୋଲି ସରକାରଙ୍କୁ ଗୁହାରି ଜଣାଇଚନ୍ତି। ସ୍ମାର୍ଟ ସିଟି ରାଉରକେଲାରେ ବିଶ୍ରାଛକ, ସିଭିଲଟାଉନ୍ସିପ୍, ରେଲୱେ ଷ୍ଟେସନ, ପାନପୋଷ, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ସେକ୍ଟର-୮, ଏସ୍ଟିଆଇ, ଆଇଟିଆଇ, ଉଦିତନଗର ଆମ୍ବେଦକର ଛକ, ସେକ୍ଟର-୨୧ ନୟାବଜାର, ସେକ୍ଟର-୨ ବିଜୁ ପଟ୍ଟନାୟକ ଛକ, ବନ୍ଧମୁଣ୍ଡା, ଫର୍ଟିଲାଇଜର, ବେଦବ୍ୟାସ, ଟ୍ରାଫିକ୍ ଆଦି ୩୦ରୁ ଅଧିକ ଅଟୋ ଷ୍ଟାଣ୍ଡରେ ଦୈନିକ ୧୪୦୦ ଅଟୋ ଛିଡା ହେଉଛନ୍ତି। ଏଥିସହ ୬୦୦ ରୁ ଅଧିକ ଅଟୋ ଚାଳକ ବିଭିନ୍ନ ସହରର ଘରୋଇ ଓ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରି ମାସକୁ ବେଶ୍ ଦି ପଇସା ରୋଜଗାର କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଟୋ ଚାଳକ ଓଡ଼ିଶା ସମେତ ପଡୋଶୀ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ସହରକୁ ଆସି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/fh87sdf98h7sdf98h7sfhsffffffffffffffffffffffffffffffff.jpg)