କଟକ: ରାଜ୍ୟରେ ଥିବା ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥାର ୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତି ନିଲାମ ନ ହୋଇ ପଡ଼ିରହିଛି। ଏହି ନିଲାମ ଅର୍ଥ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବଣ୍ଟନ ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ବି କାର୍ଯ୍ୟକାରୀ ହୋଇପାରୁନି। ୮ ବର୍ଷରୁ ଅଧିକ ହେଲାଣି ଅଚଳାବସ୍ଥା ଲାଗି ରହିଛି। ଏଭଳି ସ୍ଥିତିରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ଟଙ୍କା ପାଇପାରୁ ନାହାନ୍ତି।
ସୂଚନା ଅନୁଯାୟୀ କଟକର ସ୍ବତନ୍ତ୍ର ଚିଟ୍ଫଣ୍ଡ ଅଦାଲତ ୨୦୧୫ରୁ ୨୦୨୪ ମଧ୍ୟରେ ୨୫ଟି ଚିଟ୍ଫଣ୍ଡ ସଂସ୍ଥାର ସଂପତ୍ତି ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରାଯିବ ବୋଲି ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ରୋଜଭ୍ୟାଲି ଗ୍ରୁପ୍, ହାଇଟେକ୍ ଇଷ୍ଟେଟ୍ସ ଓ ଜିଏଲ୍ପି ଡେଭଲପର୍ସ ଭଳି ମାତ୍ର ୩ଟି ସଂସ୍ଥାର ସଂପତ୍ତି ନିଲାମ ହୋଇ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୨୨ଟି ସଂସ୍ଥାର ସଂପତ୍ତି ନିଲାମ ହୋଇପାରି ନାହିଁ। ସାଫେକ୍ସ ଇନଫ୍ରା ଇଣ୍ଡିଆ, ଗୋଲଡେନ୍ ଲ୍ୟାଣ୍ଡ ଡେଭେଲପର୍ସ, ସାଇ ପ୍ରଗତି ଆସେଟ୍ସ ଆଣ୍ଡ ପ୍ରପରଟିଜ୍, ଉମାମଣି ହୋମ କ୍ରିଏସନ୍, ଶିରିଡି ସାଇ ଇଷ୍ଟେଟ, ଶ୍ରୀଭୂମି କନଷ୍ଟ୍ରକସନ୍, ସେଡିଲ ଡେଭେଲପମେଣ୍ଟ ଇଣ୍ଡିଆ, ଲ୍ୟାଣ୍ଡ ଇଣ୍ଡିଆ ରିୟଲ ଇଷ୍ଟେଟ, ଭିଷ୍ଟା ମ୍ୟାନେଜମେଣ୍ଟ, ଏବି ରିୟଲଟେକ୍ ସର୍ଭିସେସ, ଏକ୍ସିଲେଣ୍ଟ ଇଷ୍ଟକନ, ଏଏମ୍ ଫଣ୍ଡ ମ୍ୟାନେଜର୍ସ, ମା ତାରିଣୀ ଇଷ୍ଟକନ୍, ୱେଲମେଡ୍ ବିଲ୍ଡର, ସିସୋର ଗ୍ରୁପ୍, ଓଡ଼ିଶା ହୋମ୍ସ, ଆଶୀର୍ବାଦ ମଲ୍ଟିପରପୋଜ କୋଅପରେଟିଭ୍, ସାରଳା ରିୟଲକନ୍, ସୂର୍ଯ୍ୟ ନିର୍ମାଣ ରିସୋର୍ସେସ୍, ଅର୍ଥତତ୍ତ୍ବ ଗ୍ରୁପ, ସେଭେନ ହିଲ୍ସ ଇଷ୍ଟେଟସ ଭଳି ସଂସ୍ଥାର ସଂପତ୍ତି ନିଲାମ ପାଇଁ ସ୍ବତନ୍ତ୍ର ଅଦାଲତ ଅନୁମତି ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।
୨୦୨୧ରୁ ସିସୋର ସ˚ସ୍ଥାର ସଂପତ୍ତି ନିଲାମ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇ ସାରିଛନ୍ତି। ସିସୋରର ଏହି ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୬୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ସେହି ସଂପତ୍ତି ନିଲାମ ହୋଇପାରୁନି। ସେହିଭଳି ୨୦୨୩ରେ ଅର୍ଥତତ୍ତ୍ବ ସଂସ୍ଥାର ସଂପତ୍ତି ନିଲାମ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅର୍ଥତତ୍ତ୍ବର ସଂପତ୍ତି ମୂଲ୍ୟ ବି ୫୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଅନ୍ୟ ୨୦ଟି ସଂସ୍ଥାର ନିଲାମ ସଂପତ୍ତି ଆକଳନ କଲେ ତାହା ବି ୯ଶହ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ମୋଟାମୋଟି ଭାବେ ଚିଟ୍ଫଣ୍ଡ ସଂସ୍ଥାର ୨ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି ନିଲାମ ହୋଇ ପାରୁ ନଥିବାରୁ କ୍ଷତିଗ୍ରସ୍ତମାନେ ବି ସେମାନଙ୍କ ଟଙ୍କା ଫେରି ପାଇ ପାରୁ ନାହାନ୍ତି।
ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ଓଡିଶା ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରେଷ୍ଟସ୍ ଅଫ୍ ଡିପୋଜିଟରସ୍(ଇନ୍ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍) ପ୍ରଣୟନ କରିଥିଲେ। ଓପିଆଇଡି ଆଇନର ଧାରା ୩ରେ ଚିଟଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସଂପତ୍ତିର ପରିଚାଳନା ଭାର ଅର୍ଥ ବିଭାଗ ପକ୍ଷରୁ ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶ (ଆଡ୍ ଇଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ) ଜାରି କରାଯାଇ ପ୍ରାଧିକୃତ ଅଧିକାରୀଙ୍କ ଉପରେ ନ୍ୟସ୍ତ କରିବା ବ୍ୟବସ୍ଥା ରହିଛି। ଏହି ନିର୍ଦ୍ଦେଶ ପାଇବାର ୩୦ ଦିନ ଭିତରେ ପ୍ରାଧିକୃତ ଅଧିକାରୀ ଓପିଆଇଡି ଆଇନର ଧାରା ୪(୩)ରେ ଚିଟଫଣ୍ତ ସ˚ସ୍ଥାର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ସହିତ ନିଲାମଲବ୍ଧ ଅର୍ଥ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ବାଣ୍ଟିବା ଲାଗି ଅନୁମତି ଲୋଡି ସ୍ବତନ୍ତ୍ର ଅଦାଲତରେ ଆବେଦନ କରିବା ବ୍ୟବସ୍ଥା ରହିଛି। ସଂପତ୍ତି ନିଲାମ ପାଇଁ ଅଦାଲତ ଅନୁମତି ଦେଇ ସାରିଥିଲେ ବି ତାହା କାର୍ଯ୍ୟକାରୀ କରାଯାଉନି।