ବଡ଼ ବଡ଼ିଆଙ୍କ ଚିନ୍ତା ବଢ଼ାଇଛି ୨ ହଜାର ଟଙ୍କିଆ ନୋଟ୍‌, ଦୈନିକ ବ୍ୟାଙ୍କରେ ବଦଳି ହେଉଛି ୬୦ ଲକ୍ଷ

ବିନିଯୋଗ ହେଉଛି ଋଣ ପରିଶୋଧ ଓ ସୁନା କିଣାରେ

ରାଉରକେଲା: ଆସନ୍ତା ‌ସେପ୍ଟେମ୍ବରରୁ ଅଚଳ ହେବାକୁ ଯାଉଛି ୨ ହଜାର ଟଙ୍କିଆ ନୋଟ୍‌। ବଢ଼ି ଯାଇଛି ବଡ଼ ବଡ଼ିଆଙ୍କ ଚିନ୍ତା। କଳା ଟଙ୍କାକୁ ଧଳା କରିବାକୁ ଲାଗିପଡ଼ିଛନ୍ତି। ଗୋଟିଏ ମୋବାଇଲ ନମ୍ବରରେ ଦୈନିକ ୨ ହଜାର ଟଙ୍କିଆ ମାତ୍ର ୨୦ ହଜାର ଟଙ୍କା ବଦଳାଇକୁ ରିଜର୍ଭବ୍ୟାଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିବାରୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଏମାନେ। ଜଣେ ବ୍ୟାଙ୍କ ଅଧିକାରୀ କହିବାନୁଯାୟୀ ସହରରେ ଦୈନିକ ପାଖାପାଖି ୬୦ ଲକ୍ଷରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଯାଉଛି। ଏମିତି ଭାବେ ମାସକୁ ପ୍ରାୟ ୧୮ରୁ ୨୦ କୋଟି ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳାଯାଉଥିବା ବ୍ୟାଙ୍କରୁ ଜଣାପଡିଛି। ଧରାପଡ଼ିବା ଭୟରେ ବଡ଼ ବଡ଼ିଆମାନେ ୨ ହଜାର ଟଙ୍କିଆ ନୋଟ୍‌କୁ ସୁନା କିଣା, ଋଣ ପରିଶୋଧ ଓ ଠିକା ଶ୍ରମିକମାନଙ୍କ ସାପ୍ତାହିକ ମଜୁରିରେ ବିନିଯୋଗ କରୁଛନ୍ତି।

କେବଳ ଏତିକି ନୁହେଁ କିଛି ବଡ଼ ବଡ଼ିଆ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳ କରିବାକୁ ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ବ୍ୟବହାର କରୁଛନ୍ତି। ସେମାନଙ୍କ ଜରିଆରେ କଳା ଟଙ୍କାକୁ ଧଳା କରୁଛନ୍ତି। ଜଣେ ଜଣେ କର୍ମଚାରୀଙ୍କୁ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ କରିବାକୁ ଦେଇଥିବା ଶୁଣିବାକୁ ମିଳୁଛି। ସେମିତି ବ୍ୟାଙ୍କ ସୁଧ ଟଙ୍କା ପରିଶୋଧ କରିବାରେ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ଜମା କରିବାରେ କୌଣସି ପ୍ରତିବନ୍ଧକ ନଥିବାରୁ କଳାବେପାରୀମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ସହରର କିଛି ଶିଳ୍ପପତି, ବେପାରୀ, ବିଲ୍‌ଡର ଏଭଳି କରୁଥିବା ନଜରକୁ ଆସିଛି। ଆଉ କିଛି ବଡ଼ ବଡ଼ିଆ ଲୋକ ସୁନା ଅଳଙ୍କାର କିଣାରେ ୨ ହଜାର ଟଙ୍କିଆ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଛନ୍ତି।

ପ୍ରତ୍ୟେକ ଦିନ ସୁନାଗହଣା ସୋ’ ରୁମ୍‌ରେ ଏମିତି କିଛି ଗ୍ରାହକଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ କି ଦୁଇଟି ସୁନା ଦୋକାନରେ ନୁହେଁ, ସହରର ପ୍ରମୁଖ ସୁନାଗହଣା ଦୋକାନରେ ଏମିତି କିଛି ଗ୍ରାହକଙ୍କୁ ଦେଖିବାକୁ ମିଳୁଛି। ରାଉରକେଲା ମୁଖ୍ୟ ମାର୍ଗରେ ଜଣେ ସୁନା ବ୍ୟବସାୟୀ କହିଛନ୍ତି, ପୂର୍ବରୁ ଆମ ପାଖକୁ ଏତେଟା ଦୁଇ ହଜାର ଟଙ୍କିଆ ନୋଟ୍‌ ଆସୁ ନଥିଲା। ଯେବେଠୁ ରିଜର୍ଭବ୍ୟାଙ୍କ ଦୁଇ ହଜାର ଟଙ୍କିଆ ଆଗକୁ ଚଳିବ ନାହିଁ ବୋଲି ଘୋଷଣା କଲାଣି, ସେବେଠୁ ଆମ ପାଖକୁ ୨ ହଜାର ଟଙ୍କିଆ ନୋଟ୍‌ ଆସୁଛି। କିଛି ଗ୍ରାହକ ଏକକାଳୀନ ୩/୪ ଟଙ୍କାର ସୁନାଗହଣା କିଣୁଛନ୍ତି। କେବଳ ୨ ହଜାର ଟଙ୍କିଆ ନୋଟ୍‌ ଦେଉଛନ୍ତି। ୨ ହଜାର ଟଙ୍କିଆ ନୋଟ୍‌ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ଠାରୁ ଆଧାର କାର୍ଡ ଜେରେକ୍ସ ସହ ଏକ ଅଣ୍ଡରଟେକିଂ ଲେଖି ରଖୁଛୁ। ଯେଉଁମାନେ ଆଧାର କାର୍ଡ କିମ୍ବା ଅଣ୍ଡରଟେକିଂ ଦେବାକୁ ଅରାଜି ହେଉଛନ୍ତି, ସେମାନଙ୍କ ନିକଟରୁ ଆମେ ଏକକାଳୀନ ୩/୪ ଲକ୍ଷ ଦୁଇ ହଜାର ଟଙ୍କିଆ ନୋଟ୍‌ ଗ୍ରହଣ କରୁ ନାହୁଁ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ଆଉ କିଛି ବଡ଼ ବଡ଼ିଆ ପ୍ଲଟ କିଣାରେ ଦୁଇ ହଜାର ଟଙ୍କିଆ ନୋଟ୍‌ ବିନି‌ଯୋଗ କରୁଛନ୍ତି। ରାଉରକେଲା ସହର ନୁହେଁ ଏହାର ଆଖପାଖ କିଛି ବ୍ଲକରେ ବଡ଼ ବଡ଼ିଆମାନେ କଳା ଟଙ୍କାକୁ ଧଳା କରିବାକୁ ଏମିତି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର