କରୋନା ସତର୍କତା: ରାଜ୍ୟ ବାହାରୁ ଆସିଥିବା ୨୦୦୦ ଯାତ୍ରୀଙ୍କୁ ସ୍କ୍ରିନିଂ କରି ଘରକୁ ପଠାଗଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୨୨ ତାରିଖ ଠାରୁ୨୯ ପର୍ଯ୍ୟନ୍ତ ଲକ ଡାଉନ କରାଯାଇଥିବା ବେଳେ ବାହାର ରାଜ୍ୟ ଓ ଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ବ ହେଲେ ବି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇ, ଚେନ୍ନାଇ, ସୁରଟ ଓ ଅନ୍ୟ ରାଜ୍ୟରୁ ଫରୁଥିବା ଶ୍ରମିକମାନଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ସ୍କ୍ରିନିଂ କରାଯାଇଛି। କୋଣାର୍କ ଏକ୍ସପ୍ରେସ, ଗରିବ ରଥ ଓ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସରେ ଫେରିଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି। ପାଖାପାଖି ୨୦୦୦ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଛି। ଯାତ୍ରୀମାନେ ଘରେ ପହଂଚିବା ପାଈଁ ପ୍ରଶାସନ ପକ୍ଷରୁ ବସ ବ୍ୟବସ୍ଥା କରାଯାଇଥିଲା। ୪୦ଟି ବସରେ ଯାତ୍ରୀଙ୍କୁ ଘରକୁ ପଠାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦାତାତ୍ର୍ୟୟ ଭୁସହେବ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତକାଲି ଠାରୁ ଓଡ଼ିଶାର ୫ ଜିଲ୍ଲା ଓ ୧୧ ସହରରେ ତାଲା ବନ୍ଦ ଜାରି ରହିଛି ।  ଖୋର୍ଦ୍ଧା , ଗଞ୍ଜାମ , କଟକ , କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରେ ତାଲାବନ୍ଦ କରାଯାଇଛି । ଠିକ୍ ସେହିପରି ୧୧ ଟି ସହରରେ ବି ତାଲାବନ୍ଦ ଲାଗୁ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର , ରାଉରକେଲା, ଭଦ୍ରକ , ପୁରୀ , ବ୍ରଜରାଜନଗର,ନବରଙ୍ଗପୁର,ଉମରକୋଟ ,ଯାଜପୁରରୋଡ଼ ଓ ଯାଜପୁର ଟାଉନରେ ଗତକାଲିଠାରୁ ତାଲାବନ୍ଦ ଲାଗୁ ହୋଇଥିବା ଜଣାଯାଇଛି। ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ନିୟମ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଛି।

ଏହି ସମୟରେ ହସ୍ପିଟାଲ୍ , ଔଷଧ ଦୋକାନ , ସଉଦା , ପରିବା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଛି । ଖାଦ୍ୟ , ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିଛି। ପେଟ୍ରୋଲ୍ ପମ୍ପ , ଗ୍ୟାସ୍ ଏଜେନ୍ସି ଓ ଗୋଦାମ ଖୋଲା ରହିଛି । ମାଛ , ମାଂସ , ଅଣ୍ଡା , ଚିକେନ ଦୋକାନ ଖୋଲାଆଦି ଖୋଲା ରହିଛି । ବ୍ୟାଙ୍କ , ଏଟିଏମ୍ ଓ ପେଟ୍ରୋଲ୍ ପମ୍ପ ଖୋଲା ରହିବ । ଥାନା , ସ୍ୱାସ୍ଥ୍ୟସେବା , ପୌର ସଂସ୍ଥା , ଅଗ୍ନିଶମ ବିଭାଗ ଖୋଲା ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର