ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା ଓ ଲୋକସଭାକ୍ଷେତ୍ରରେ ବିଜେଡି ପ୍ରଥମଥର ପାଇଁ ଖାତା ଖୋଲିବ। ଏହି ଆଶାରେ ବିଜେଡି ଓ ଦଳୀୟ ପ୍ରାର୍ଥୀ ପୂରା ଦମ୍ ଲଗାଇ ଦେଇଛନ୍ତି। ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋର୍ କରି ଦେଇଛନ୍ତି। ଏହିକ୍ରମରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଶଙ୍କର ମ୍ୟାରେଜ ହଲରେ ପ୍ରବଳ ଉତ୍ସାହ ମଧ୍ୟରେ ଏକ ମହାମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ସହରର ବିଭିନ୍ନ ରାସ୍ତାରେ ଶହ ଶହ ଯୁବକର୍ମୀ ବଡ଼ ଶୋଭାଯାତ୍ରାରେ ଆସି ଉତ୍ସାହର ସହ ଦଳରେ ସାମିଲ ହୋଇଥିଲେ। ଏଥିରେ ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡାଇ ଉପସ୍ଥିତ ରହି ବିଜେପି ଓ କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ୨ ହଜାରରୁ ଅଧିକ ନେତା, କର୍ମୀ, ନୂଆ ଭୋଟରଙ୍କୁ ସ୍ବାଗତ ଜଣାଇଛନ୍ତି। କଂଗ୍ରେସର ଯୁବ ଚେସହେରା ସଂଜୟ ସାହୁ ବିଜେଡିରେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଜଣାଇଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ. ଦିଲିପ ତିର୍କି, ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ସୁନ୍ୟାନୀଙ୍କ ସହିତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଜିଲ୍ଲା ଛାତ୍ର ବିଜେଡି ସଭାପତି ସହବାଜ ହୁସେନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନଯାପନ, ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ବିକାଶର ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ସ୍ବାଗତ ସମ୍ବର୍ଦ୍ଧନା ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ମହିଳା, ପୁରୁଷ, ଆଇନଜୀବୀ, ବିଭିନ୍ନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଜେଡିରେ ଯୋଗ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ ପାଇଁ ସଂକଳ୍ପ କରିଥିଲେ। ସଭାକୁ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ସଂଯୋଜନା କରିଥିଲେ। ମିଶ୍ରଣ ପର୍ବରେ ଦଳର ବହୁ ବରିଷ୍ଠ ନେତା, କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।