ମଦ ଗାଡ଼ି ଛାଡ଼ିବାକୁ ୨୦ ହଜାର ଲାଞ୍ଚ, ଭିଜିଲାନ୍ସ ପଞ୍ଛାରେ ଥାନା ବାବୁ

ବଲାଙ୍ଗୀର/ଲୋଇସିଂହା/ବରଗଡ଼: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ। ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ, ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଞ୍ଚଳର ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡ଼ିକୁ ସାଲେଭଟା ଫାଣ୍ଡି ପୁଲିସ ଧରିଥିଲା। ଗତ ୧୧ ତାରିଖ ଗାଡ଼ିକୁ ପୁଲିସ ଟିମ୍‌ ଜବତ କରିଥିଲା। କେସ୍‌ ନଂ ୨୬୦ରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେବେ ଜବତ ଗାଡ଼ିକୁ ଛାଡ଼ିବାକୁ ଥାନାଧିକାରୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଇସେନ୍ସ ଥାଇ କାରବାର କରିବା ସମୟରେ ଧରପଗଡ଼ ହେବାରୁ ମଦ ବ୍ୟବସାୟୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଟିମ୍‌ ପୂର୍ବ ଯୋଜନା ମୁତାବକ ସବୁ ପ୍ରସ୍ତୁତି କରିଥିଲା। ଗାଡ଼ି ଛାଡ଼ିବାକୁ ଭାବଗ୍ରାହୀ ସାହୁ କେମିକାଲମିଶା ଟଙ୍କା ଥାନାବାବୁଙ୍କୁ ଦେଇଥିଲେ। ତାପରେ ଭିଜିଲାନ୍ସ ଟିମ ଥାନାକୁ ଯାଇ ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଧରିଥିଲା। ଟିମ୍‌ ଅଫିସର କାଗଜପତ୍ର ଓ ଉକ୍ତ କେସ୍‌ ଫାଇଲ ସବୁ ଯାଞ୍ଚ କରିଥିବା ସୂଚନା ମିଳିଛି। ବରଗଡ଼ର ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଓ ଅନ୍ୟମାନେ ସଂଗ୍ରାମ ପଟ୍ଟାନାୟକଙ୍କୁ ଗାଡ଼ିରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଲୋଇସିଂହା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ବଲାଙ୍ଗୀର ଟାଉନ ଥାନାରେ ଅବସ୍ଥାପିତ ଥିଲେ। ସେ ବଲାଙ୍ଗୀର ସହରର ବିଭିନ୍ନ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ଆଦାୟ କରୁଥିବା ଅଭିଯୋଗ ହେଉଥିଲା। ଏପରିକି ତାଙ୍କ ସମୟରେ ଆଇନଶୃଙ୍ଖଳା ବିଗିଡ଼ିଥିଲା। ଗୁଣ୍ଡାଗର୍ଦ୍ଦି ଓ ବେଆଇନ କାରବାର ସହରରେ ବଢ଼ିଥିଲା। ଯାହାକୁ ନେଇ ସହରବାସୀ ଅତିଷ୍ଠ ହୋଇଥିଲେ। ସହରବାସୀ ଆନ୍ଦୋଳନକୁ ବି ଓହ୍ଲାଇଥିଲେ। ପରେ ତାଙ୍କୁ ସଇନ୍ତଳା ଥାନାକୁ ଏସ୍‌ପି ବଦଳି କରିଥିଲେ। ସଇନ୍ତଳାରୁ ସେ ଲୋଇସିଂହାକୁ ପୁଣି ବଦଳି ହୋଇ ଯାଇଥିଲେ। ଲୋଇସିଂହାରେ ମଧ୍ୟ ତାଙ୍କ କାର୍ଯ୍ୟକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଥିଲେ। ଏବେ ତାଙ୍କର ଅସଲ ଚେହେରା ପଦାରେ ପଡ଼ିଛି। ତାଙ୍କ ଆୟବହିର୍ଭୂତ ସମ୍ପତ୍ତି ସବୁ ଯାଞ୍ଚ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର