ଟୋକନ୍‌ ପାଇ ଧାନ ବିକି ପାରିଲେନି ୨୦ ହଜାର ଚାଷୀ

ଖରିଫ୍‌ରେ ବି ବିକି ନଥିଲେ ୨ ଲକ୍ଷ ୮୦ ହଜାରରୁ ଅଧିକ, ଲାପ୍‌ସ ଟୋକନ୍‌ର ପୁନଃପ୍ରଚଳନ ପାଇଁ ଚାଷୀଙ୍କ ଦାବି

ଭୁବନେଶ୍ବର : ଚଳିତ ରବି ଋତୁରେ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରି ପାରିନାହାନ୍ତି ୨୦ ହଜାର ୭୦୬ ଚାଷୀ। ଏମାନଙ୍କ ମଧ୍ୟରେ ସର୍ବାଧିକ ବାଲେଶ୍ବର, ପୁରୀ ଓ ବରଗଡ଼ ଚାଷୀ ରହିଛନ୍ତି। ଗତ ଖରିଫ ଋତୁରେ ବି ଟୋକନ ପାଇ ମଧ୍ୟ ୨ ଲକ୍ଷ ୮୦ ହଜାର ୯୯୫ ଚାଷୀ ଧାନ ବିକି ନ ଥିଲେ। ଦୁଇ ବର୍ଷ ହେଲା ରାଜ୍ୟ ମହାମାରୀ କରୋନା କବଳରେ ଥିଲେ ହେଁ କୃଷି କ୍ଷେତ୍ରରେ ଉତ୍ପାଦନ ସ୍ବଭାବିକ ହେଉଛି। ଏହା ସତ୍ତ୍ବେ ଏତେ ସଂଖ୍ୟକ ଚାଷୀ ଟୋକନ୍‌ ପାଇ ମଧ୍ୟ କାହିଁକି ଧାନ ବିକ୍ରି କରି ନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟୋକନ୍‌ ଲାପ୍‌ସ ଏହାର ବଡ଼ କାରଣ ବୋଲି ଚାଷୀମାନେ କହୁଛନ୍ତି। ଏଥି ପାଇଁ ଲାପ୍‌ସ ହୋଇଥିବା ଟୋକନ୍‌ ପୁନଃପ୍ରଚଳନ ପାଇଁ ବିଭିନ୍ନ ସ୍ଥାନରେ ଦାବି ହେଉଛି। ମାତ୍ର ରାଜ୍ୟ ସରକାର ବାସ୍ତବ ସମସ୍ୟା ନ ବୁଝି ଆଉ ଧାନ ସଂଗ୍ରହ କରାଯିବ ନାହିଁ ବୋଲି ଏକପାଖିଆ ଘୋଷଣା କରି ସାରିଛନ୍ତି।

ରାଜ୍ୟରେ ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ହୁଏ। ଖରିଫ ତୁଳନାରେ କମ୍‌ ପରିମାଣର ଧାନ ସଂଗ୍ରହ ଯୋଗୁଁ ପ୍ରତିବର୍ଷ ରବି ଧାନ ସଂଗ୍ରହ ସ୍ବାଭାବିକ ରହିଥାଏ। ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରିପାରି ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ବରଗଡ଼ ଜିଲ୍ଲାରେ ବିକ୍ରି ହୋଇ ନ ଥିବା ଧାନକୁ ନେଇ ଭାଗୀରଥି ପ୍ରଧାନ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିବା ସ୍ଥିତିକୁ ଆହୁରି ଜଟିଳ କରି ଦେଇଥିଲା। ଚଳିତ ରବି ଋତୁରେ ବାଲେଶ୍ବର ଜିଲ୍ଲାରେ ଟୋକନ ପାଇଥିବା ୨୬ ହଜାର ୫୨୮ ଚାଷୀଙ୍କ ମଧ୍ୟରୁ ବିକ୍ରି କରି ପାରି ନ ଥିବା ଚାଷୀଙ୍କ ସଂଖ୍ୟା ହେଲା ୪୭୧୮ ଚାଷୀ। ପୁରୀ ଜିଲ୍ଲାର ୧୨ ହଜାର ୧୮୨ ଚାଷୀଙ୍କ ମଧ୍ୟରୁ ୩୨୫୭, ବରଗଡ଼ ଜିଲ୍ଲାରେ ୭୧ ହଜାର ୩୧୯ ଚାଷୀଙ୍କ ମଧ୍ୟରୁ ୩୨୩୪, କଳାହାଣ୍ଡି ଜିଲ୍ଲାରେ ୩୦ ହଜାର ୭୫୮ ଚାଷୀଙ୍କ ମଧ୍ୟରୁ ୨୭୮୬, କୋରାପୁଟର ୧୩ ହଜାର ୬୪୯ ମଧ୍ୟରୁ ୧୦୬୧, ସମ୍ବଲପୁର ଜିଲ୍ଲାର ୧୩ ହଜାର ୯୫୫ ଚାଷୀଙ୍କ ମଧ୍ୟରୁ ୮୪୯, ବଲାଙ୍ଗୀର ଜିଲ୍ଲାର ୩୫୯୮ ଜଣଙ୍କ ମଧ୍ୟରୁ ୩୮୧, ବୌଦ୍ଧର ୩୯୬୬ ମଧ୍ୟରୁ ୪୬୭, କଟକର ୩୨୦୯ ମଧ୍ୟରୁ ୫୨୧, ଯାଜପୁରର ୩୩୦୦ ମଧ୍ୟରୁ ୭୩୬, ଖୋର୍ଧାର ୧୫୮୭ ମଧ୍ୟରୁ ୧୦୩, ମୟୂରଭଞ୍ଜର ୨୦୨୧ ମଧ୍ୟରୁ ୧୬୮, ନବରଙ୍ଗପୁରର ୬୨୭ ମଧ୍ୟରୁ ୧୬୧, ନୂଆପଡ଼ାର ୬୬୧୭ ମଧ୍ୟରୁ ୨୦୨, ରାୟଗଡ଼ାର ୧୨୦୦ ମଧ୍ୟରୁ ୪୯୮, ସୁବର୍ଣ୍ଣପୁର ଜିଲ୍ଲାର ୨୯,୦୨୫ ଚାଷୀଙ୍କ ମଧ୍ୟରୁ ୧୫୨୪ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି।

୨୦୧୮ ମସିହାରୁ ଭୁବନେଶ୍ବରରୁ ଅନଲାଇନ ଟୋକନ ବ୍ୟବସ୍ଥା ଜାରି ଆରମ୍ଭ ହେଲା। ଏଥି ସହିତ ଚାଷୀ ପଞ୍ଜୀକରଣ କଡ଼ାକଡ଼ି କରାଗଲା। ନଭେମ୍ବରରୁ ମାର୍ଚ ୩୧ ପର୍ଯ୍ୟନ୍ତ ହେଉଥିବା ଖରିଫ ଧାନ ସଂଗ୍ରହ ପାଇଁ ଜୁଲାଇରୁ ଅଗଷ୍ଟ, ମେ’ରୁ ଜୁନ ଶେଷ ପର୍ଯ୍ୟନ୍ତ ହେଉଥିବା ରବି ଧାନ ସଂଗ୍ରହ ପାଇଁ ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ହେଉଛି। ଏହି ସମୟରେ ଚାଷୀଙ୍କୁ ହାରାହାରି କେଉଁ ସମୟରେ ଧାନ ଅମଳ ହୋଇପାରିବ ସେ ସମ୍ପର୍କରେ ସୂଚନା ମଗାଯାଇ ସେହି ଆଧାରରେ ଟୋକନ୍‌ ଦିଆଯାଉଛି। ଅନେକ ସମୟରେ ଚାଷୀ ଦେଇଥିବା ତାରିଖ ଅନୁସାରେ ନ ଦେଇ ଭିନ୍ନ ତାରିଖରେ ମଧ୍ୟ ଧାନ ବିକ୍ରି ଟୋକନ ଦିଆଯାଉଛି। ଖରିଫରେ ଏକ ମାସ ଓ ରବିରେ ୧୫ ଦିନ ପର୍ଯ୍ୟନ୍ତ ଟୋକନ ବୈଧ ରହୁଛି। ଅର୍ଥାତ ଟୋକନ ମିଳିବାର ଏହି ତାରିଖ ସୁଦ୍ଧା ଚାଷୀଙ୍କୁ ଧାନ ବିକ୍ରି ପାଇଁ କୁହାଯାଉଛି। ମାତ୍ର ଚାଷୀଙ୍କ ଅଭିଯୋଗ ଅନୁସାରେ, ଚାଷ ପାଣିପାଗ ଉପରେ ନିର୍ଭରଶୀଳ। ଅଚାନକ ଧାନ ଅମଳ ହୋଇ ଆସିବା ବେଳକୁ ବର୍ଷା ହୋଇଗଲେ ଚାଷୀକୁ ପୁଣି ଧାନ ଶୁଖାଇବାକୁ ପଡ଼ୁଛି। ଓଦା ଧାନ ମଣ୍ଡିକୁ ନେଲେ ବିକ୍ରି ହେବ ନାହିଁ। କେବେ ବର୍ଷା ହେବ ସେହି ବିଷୟରେ ପାଣିପାଗ ବିଶେଷଜ୍ଞ କହିପାରୁ ନ ଥିବା ବେଳେ ଯୋଗାଣ ବିଭାଗ କେଉଁଭଳି ଭାବରେ ପୂର୍ବରୁ ଧାନ ବିକ୍ରି ତାରିଖ ନିର୍ଧାରଣ କରୁଛନ୍ତି? ଏଭଳି ସ୍ଥିତିରେ ଟୋକନ ଲାପ୍‌ସ ହୋଇଯିବା ପରେ କାହିଁକି ପୁନର୍ବାର ଟୋକନ୍‌ ଦିଆଯିବ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

ଦ୍ବିତୀୟତଃ ପର୍ଯ୍ୟାୟକ୍ରମେ ଟାର୍ଗେଟ ଦିଆଯାଉଥିବାରୁ ଅନେକ ସମୟରେ ଚାଷୀ ମଣ୍ଡିରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଏଣ୍ଟ୍ରି କରାଯାଉ ନ ଥିବାରୁ ଏହା ମଧ୍ୟ ଟୋକନ ଲାପ୍‌ସର ଅନ୍ୟତମ କାରଣ। ଏଥି ସହିତ ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଟୋକନ ଲାପ୍‌ସର ଆଉ ଏକ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଦଲାଲମାନେ ଚାଷୀଙ୍କୁ ମିଳୁଥିବା ସରକାରୀ ସୁବିଧା ହଡ଼ପ ନ କରନ୍ତୁ ବୋଲି ଅନ୍‌ଲାଇନ୍‌ ଟୋକନ ଜରିଆରେ ବିକ୍ରି ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ଏଣେ କିନ୍ତୁ ଯୋଗାଣ ବିଭାଗ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଜରିଆରେ ଦଲାଲ ଆରାମରେ ଧାନ ବିକ୍ରି କରୁଛି, ନିୟମରେ ଫସି ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛି।

ଏବେ ୨୦୨୧ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ତେବେ ଟୋକନ୍‌ ଜେନେରେସନ୍‌ ନେଇ ସରକାର ବର୍ତ୍ତମାନ ଠାରୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନ ନେଲେ ପୁଣି ଚାଷୀ ଧାନ ବିକି ନ ପାରି ନିରାଶ ‌ହେବେ।

ସମ୍ବନ୍ଧିତ ଖବର