୨୦୦୬ ଓଏଏସ୍‌ ବିବାଦ: ୨୨ରେ ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି

କଟକ : ଓଡିଶା ପ୍ରଶାସନିକ ସେବା-୨୦୦୬ ପରୀକ୍ଷା ପ୍ରସଂଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ ଅନ୍ୟମାନେ ଦାୟର କରିଥିବା ମାମଲା ଗୁଡିକର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ ହେବ। ଆଜି ଜଷ୍ଟିସ୍ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ାଯାଇଥିଲା। ଖଣ୍ଡପୀଠ ଏଥିପାଇଁ ଅନୁମତି ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଆଉ ସମୟ ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ।

ସୂଚନା ଯୋଗ୍ୟ ଯେ ସୁରଭି ମହାନ୍ତିଙ୍କ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ୩୭୮ଟି ପଦବିରେ ନିଯୁକ୍ତି ପାଇଁ ପ୍ରସ୍ତୁତ ଚୂଡାନ୍ତ ଚୟନ ତାଲିକା ରଦ୍ଦ କରିଥିଲେ। ୨୦୧୪, ଏପ୍ରିଲ ୨୩ର ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲା ଗୁଡିକୁ ବିଚାର ପାଇଁ ଗ୍ରହଣ କରି ସ୍ୟାଟ୍‌ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ସୁରଭି ମହାନ୍ତି, ଓଡିଶା ଲୋକସେବା ଆୟୋଗ(ଓପିଏସସି) ଓ ଅନ୍ୟପକ୍ଷମାନଙ୍କୁ ନୋଟିସ ଜାରି କରିଥିଲେ। ୨୦୦୬ର ବିଜ୍ଞପ୍ତିକୁ ଆଧାର କରି ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଭବିଷ୍ୟତ ବିଚାରାଧୀନ ମାମଲାର ରାୟ ଉପରେ ଲଟକିଥିବା ବେଳେ ଚୂଡାନ୍ତ ପର୍ଯ୍ୟାର ଶୁଣାଣି ଏପ୍ରିଲ ୨୨ରୁ ଆରମ୍ଭ ହେବ।

୨୦୦୬ରେ ଓପିଏସସି ପକ୍ଷରୁ ୩୭୮ଟି ପଦବି ପୂରଣ ପାଇଁ ନିଯୁକ୍ତି ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଲାସ-୨ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ପରବର୍ତ୍ତୀ ସମୟରେ ସରକାର କ୍ୟାଡର ପୁନର୍ଗଠନ କରି କ୍ଲାସ-୨ ପଦବି ଉଚ୍ଛେଦ କରିଥିଲେ। ନିଯୁକ୍ତି ପରୀକ୍ଷା ଓ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସୁରଭି ମହାନ୍ତି ଓ କେତେକ ପ୍ରାର୍ଥୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ ମାମଲାର ବିଚାର କରି ୩୭୮ ପ୍ରାର୍ଥୀଙ୍କ ଚୟନ ରଦ୍ଦ କରିଥିଲେ। ହାଇକୋର୍ଟରେ ପ୍ରତିପକ୍ଷ ସୁରଭି ମହାନ୍ତି ନିଜେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର