୨୦୦୬ ଓଏଏସ୍‌ ବିବାଦ: ହାଇକୋର୍ଟରେ ଶୁଣାଣି ଶେଷ, ମାମଲାର ରା‌ୟ ଉପରେ ନିର୍ଭର କରିବ ୩୭୮ ପ୍ରାର୍ଥୀଙ୍କ ଭାଗ୍ୟ

କଟକ : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) -୨୦୦୬ ପରୀକ୍ଷା ବିବାଦକୁ ନେଇ ବିଚାରାଧୀନ ମାମଲାଗୁଡ଼ିକର ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂକ୍ରାନ୍ତ ୨୦ରୁ ଅଧିକ ମାମଲାର ଏକତ୍ର ଚୂଡ଼ାନ୍ତ ପର୍ଯ୍ୟ‌ାୟ ଶୁଣାଣି ହୋଇଥିଲା।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ୨୦୦୬ରେ ଅନୁଷ୍ଠିତ ଓଏଏସ୍ ପରୀକ୍ଷାକୁ ନେଇ ବିବାଦ ଦେଖା ଦେଇଥିବାବେଳେ ଏ ନେଇ ସୁରଭି ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌) ୩୭୮ଟି ପଦବିରେ ନିଯୁକ୍ତି ପାଇଁ ପ୍ରକାଶିତ ଚୂଡ଼ାନ୍ତ ଚୟନ ତାଲିକାକୁ ରଦ୍ଦ କରିଥିଲେ। ୨୦୧୪, ଏପ୍ରିଲ ୨୩ର ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାଗୁଡ଼ିକୁ ବିଚାର ପାଇଁ ଗ୍ରହଣ କରି ସ୍ୟାଟ୍‌ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ସୁରଭି ମହାନ୍ତି, ଓପିଏସ୍‌ସି ଏବଂ ଅନ୍ୟପକ୍ଷମାନଙ୍କୁ ନୋଟିସ ଜାରି କରିଥିଲେ।

୨୦୦୬ରେ ଓପିଏସ୍‌ସି ପକ୍ଷରୁ ୩୭୮ଟି ପଦବି ପୂରଣ ପାଇଁ ନିଯୁକ୍ତି ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କ୍ଲାସ-୨ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର କ୍ୟାଡର ପୁନର୍ଗଠନ କରି କ୍ଲାସ-୨ ପଦବି ଉଚ୍ଛେଦ କରିଥିଲେ। ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କୁ ଜୁନିୟର କ୍ଲାସ-୧ ପଦବିରେ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଏହି ପ୍ରସଂଗ ବିବାଦ ଘେରରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ସରକାରଙ୍କ ଏପରି ନିଷ୍ପତ୍ତି ସମଗ୍ର ପ୍ରକ୍ରିୟାକୁ ସନ୍ଦେହ ପରିସରକୁ ଆଣିଥିଲା। ନିଯୁକ୍ତି ପରୀକ୍ଷା ଓ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସୁରଭି ମହାନ୍ତି ଓ କେତେକ ପ୍ରାର୍ଥୀ ସ୍ୟାଟ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ ମାମଲାର ବିଚାର କରି ୩୭୮ ପ୍ରାର୍ଥୀଙ୍କ ଚୟନ ରଦ୍ଦ କରିଥିଲେ। ସୁରଭି ମହାନ୍ତି ନିଜେ ହାଇକୋର୍ଟରେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର