୨୦୦୬ ଓଏଏସ୍‌ ନିଯୁକ୍ତି ବିବାଦ: ଅକ୍ଟୋବର ୨୬ ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ୍

କଟକ: ଓଡିଶା ପ୍ରଶାସନିକ ସେବା-୨୦୦୬ ପରୀକ୍ଷା ପ୍ରସଂଗରେ ୨୦୨୧, ଅକ୍ଟୋବର ୨୬ରେ ହାଇକୋର୍ଟ ପ୍ରଦାନ କରିଥିବା ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି। ସୁରଭି ମହାନ୍ତିଙ୍କ ପକ୍ଷରୁ ଏହି ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗକୁ ବିଚାରକୁ ନିଆଯାଇନାହିଁ ଓ ଅକ୍ଟୋବର ୨୬ ରାୟର ପୁନର୍ବିଚାର କରାଯିବା ଆବାଶ୍ୟକ ବୋଲି ଦର୍ଶାଇ ଏହି ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୬, ଅଗଷ୍ଟ ୧୧ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମେ ୨୮୯ଟି ପଦବି ଖାଲିଥିବା ସ୍ପଷ୍ଟ କରାଯାଇଥିଲା। ୨୦୦୬, ସେ‌େପ୍ଟମ୍ବର ୬ରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇ ଖାଲି ପଦବି ସଂଖ୍ୟା ୪୦୧କୁ ବୃଦ୍ଧି କରାଯାଇଥିଲା। ୨୦୦୬, ନଭେମ୍ବର ୧୬ରେ ପୁଣି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇ ପଦବି ସଂଖ୍ୟା ୩୮୦କୁ ହ୍ରାସ କରାଯାଇଥିଲା। ୨୦୦୭, ମେ ୧୧ରେ ଅନୁଷ୍ଠିତ ପ୍ରିଲମିନାରି ପରୀକ୍ଷାରେ ୩୨ ହଜାର ୯୩୬ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ପରୀକ୍ଷା ପାଇଁ ୩ ହଜାର ୭୨୯ ପ୍ରାର୍ଥୀ ଯୋଗ୍ୟତା ହାସଲ କରିଥିଲେ। ୨ ହଜାର ୯୩୧ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେଇଥିବାବେଳେ ୭୫୦ ଜଣ ପର୍ସନାଲିଟି ଟେଷ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲେ। ୭୪୪ ଜଣ କିନ୍ତୁ ପର୍ସନାଲିଟି ଟେଷ୍ଟ ଦେଇଥିଲେ। ୨୦୦୯ରେ ସରକାର ଓଏଏସ୍ ଓ ଅନ୍ୟ ପଦବି ଗୁଡିକର କ୍ୟାଡର ପୁନର୍ଗଠନ କରିଥିଲେ। କ୍ଲାସ-୨ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର କ୍ୟାଡର ପୁନର୍ଗଠନ କରି କ୍ଲାସ-୨ ପଦବି ଉଚ୍ଛେଦ କରିଥିଲେ। ପ୍ରାର୍ଥୀମାନଙ୍କୁ ଜୁନିୟର  କ୍ଲାସ-୧ ପଦବିରେ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ।

ଏହିବିବାଦ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ପହଞ୍ଚି ଥିବାବେଳେ ସାକ୍ଷାତକାର ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରାଯାଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ୨୦୧୦, ମେ ୨୨ରେ ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ପ୍ରାର୍ଥୀ ତାଲିକା ଓପିଏସ୍‌ସି ପ୍ରକାଶ କରିଥିଲା। ଓପିଏସସି ୨୦୧୦, ଜୁନ୍ ୧୧ରେ ୩୭୮ ପ୍ରାର୍ଥୀଙ୍କ ନାଁ ଅନୁମୋଦନ କରି ସାଧାରଣ ପ୍ରଶାସନ ବିଭାଗକୁ ପଠାଇଥିଲା। କ୍ୟାଡର ପୁନର୍ଗଠନ ପରେ ବିଭିନ୍ନ ପଦବିରେ ପ୍ରାର୍ଥୀଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସୁରଭି ମହାନ୍ତି ଓ କେତେକ ପ୍ରାର୍ଥୀ ଦାୟର କରିଥିବା ମାମଲାର ସ୍ୟାଟ ବିଚାର କରି ୩୭୮ ପ୍ରାର୍ଥୀଙ୍କ ଚୟନକୁ ରଦ୍ଦ କରିଥିଲେ। ଏହାପରେ ସୁରଭି ମହାନ୍ତି ମାମଲାରେ ସ୍ୟାଟ୍ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଚାଲେଞ୍ଜ କରାଯାଇଥିଲା। ୨୦୨୧, ସେପ୍ଟେମ୍ବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଅକ୍ଟୋବର ୨୬ରେ ରାୟ ପ୍ରକାଶ ପାଇଥିଲା। ହାଇକୋର୍ଟ ସ୍ୟାଟ୍‌ଙ୍କ ୨୦୧୪, ଏପ୍ରିଲ ୨୩ର ନିର୍ଦ୍ଦେଶକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର