ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପାଖାପାଖି ୭୦୦ କଲରାପତରିଆ ବାଘ ରହିଛନ୍ତି। ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବହୁତ ଅଧିକ। ମହାବଳ ଶୂନ୍ୟ ହୋଇଥିବା ସାତକୋଶିଆ ଅଭୟାରଣ୍ୟରେ ୬୦ରୁ ଅଧିକ କଲରାପତରିଆ ଚଳପ୍ରଚଳ କରୁଛନ୍ତି। ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ସେମାନଙ୍କ ଉପସ୍ଥିତି ରହିଛି। ନୟାଗଡ଼, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଞ୍ଜାମ ପରି ଜିଲ୍ଲାଗୁଡ଼ିକରେ ସଂଯୋଗ କରିଥିବା ଜଙ୍ଗଲରେ କଲରାପତରିଆ ରହିଛନ୍ତି। ରାଜ୍ୟ ବନ ବିଭାଗ ପକ୍ଷରୁ ମେ’ ମାସରେ କରାଯାଇଥିବା କଲରାପତରିଆ ବାଘ ଗଣନା ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଓଡ଼ିଶାରେ କଲରାପତରିଆ ବାଘଙ୍କ ସଂଖ୍ୟା ହ୍ରାସ ପାଇଥିବା ଦର୍ଶାଯାଇଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ରିପୋର୍ଟରେ ସଂଖ୍ୟା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଖୁସି ବ୍ୟକ୍ତ କରିଛନ୍ତି।
ମେ’ ମାସରେ ୪୦ ଦିନ ଧରି ଚାଲିଥିବା କଲରାପତରିଆ ବାଘ ଗଣନାରେ ଟ୍ରାପ୍ କ୍ୟାମେରା ବ୍ୟବହାର ହୋଇଥିଲା। ରାଜ୍ୟର ୫୧ଟି ଡିଭିଜନ୍ରେ ୩,୩୧୨ଟି କ୍ୟାମେରା ଲାଗିଥିଲା। ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଯାଞ୍ଚ କରିବାକୁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା ହେବା ସହ ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟଗୁଡ଼ିକରେ ୨୫ ବର୍ଗ କିଲୋମିଟରରେ ୫ ଯୋଡ଼ା ଟ୍ରାପ୍ କ୍ୟମେରା ଖଞ୍ଜା ଯାଇଥିଲା। ୨୦୨୩ ସେପ୍ଟେମ୍ବର ୧୫ରୁ ଜାନୁଆରି ୩୧ ମଧ୍ୟରେ ରାଜ୍ୟସ୍ତରୀୟ ବାଘ ଗଣନା ପାଇଁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଉତ୍ତୋଳିତ ଚିତ୍ରଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଇ ଏହି ଗଣନା ହୋଇଥିଲା। ଗଣନାରେ ଯେପରି କୌଣସି ପ୍ରକାଶ ତ୍ରୁଟି ନ ହୁଏ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। କ୍ୟାମେରାରେ ଉତ୍ତୋଳିତ ଚିତ୍ରଗୁଡ଼ିକୁ ବାରମ୍ବାର ଯାଞ୍ଚ କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଆହୁରି ଦେଖାଯାଇଛି ଯେ ବାହାର ରାଜ୍ୟର କଲରାପତରିଆ ବାଘ ଓଡ଼ିଶା ଜଙ୍ଗଲକୁ ଆସୁଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଜଙ୍ଗଲର କଲରାପତରିଆ ବାଘ ଓଡ଼ିଶା ମଧ୍ୟକୁ ପଶି ଆସୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି।
ମହାବଳ ଶୂନ୍ୟ ସାତକୋଶିଆରେ ୬୦ କଲରାପତରିଆ
ଶିମିଳିପାଳ, ଡେବ୍ରିଗଡ଼, ସୁନାବେଡ଼ା ଜଙ୍ଗଲରେ ଅଧିକ
ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରରୁ ଓଡ଼ିଶାକୁ ଆସୁଛନ୍ତି
୨୦୨୨ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ କଲରାପତରିଆ ବାଘ ଗଣନା ରିପୋର୍ଟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିଲେ। ୨୦୨୨ରେ ଓଡ଼ିଶାରେ ୫୬୮ଟି କଲରାପତରିଆ ରହିଥିବା ସମ୍ପର୍କରେ ରିପୋର୍ଟରେ କୁହାଯାଇଥିଲା। ଯେତେବେଳେ କି ୨୦୧୮ ଗଣନାରେ ଓଡ଼ିଶାରେ ୭୬୦ଟି କଲରାପତରିଆ ରହିଥିଲେ। ୪ ବର୍ଷ ମଧ୍ୟରେ ୧୯୨ଟି ହ୍ରାସ ପାଇବା ରିପୋର୍ଟକୁ ରାଜ୍ୟ ସରକାର ଖଣ୍ଡନ କରିବା ସହ ନିଜସ୍ବ ଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦେଶରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଥିଲା। ୨୦୧୮ ଗଣନା ବେଳେ ଦେଶରେ ୧୨ ହଜାର ୮୫୨ ରହିଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୩ ହଜାର ୮୭୪ରେ ପହଞ୍ଚିଥିଲା। ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୮ କଲରାପତରିଆ ରହିଥିବା ବେଳେ ମହାରାଷ୍ଟ୍ରରେ ୧୯୮୫, କର୍ଣ୍ଣାଟକରେ ୧୮୭୯, ତାମିଲନାଡ଼ୁରେ ୧୦୭୦ଟି ରହିଛନ୍ତି। ଆନ୍ଧ୍ରପ୍ରଦେଶର ନାଗାର୍ଜ୍ଜୁନ ସାଗର ବ୍ୟାଘ୍ର ଅଭୟାରଣ୍ୟରେ ସର୍ବାଧିକ କଲରାପତରିଆ ରହିଥିଲେ। ଦେଶର ୧୮ଟି ରାଜ୍ୟରେ ସେମାନଙ୍କ ଉପସ୍ଥିତି ରହିଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଓଡ଼ିଶାରେ କଲରାପତରିଆଙ୍କ ସଂଖ୍ୟା ୭୦୦ ପାଖାପାଖି ରହିଛି। ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି ଚାଲିଛି। ଖୁବ୍ଶୀଘ୍ର ତାହା ପ୍ରକାଶ ପାଇବ। କେନ୍ଦ୍ର ସରକାର ଗଣନା ସମୟରେ ସବୁ ଜଙ୍ଗଲରେ କ୍ୟାମେରା ଲଗାଯାଇ ନ ଥିଲା। ତେଣୁ ସଠିକ୍ ରିପୋର୍ଟ ଆସିପାରି ନ ଥିଲା। ତେଣୁ ମେ’ ମାସରେ ପୁଣିଥରେ ଗଣନା କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା।