ପୃଥିବୀ ନିକଟକୁ ଆସିବ ଗ୍ରହାଣୁ, ୨୦୦୮ ଜିଓ-୨୦, ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ । ଏଭଳି ଏକ ଭୟାନକ କଥା ସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ତଥା ଖବରକାଗଜରେ ପ୍ରକାଶିତ ହୋଇଆସିଛି । ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ଏକ ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଚର୍ଚ୍ଚା ଏବେ କିଛି ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଜୋର ଧରିଛି ।

ପ୍ରକୃତରେ ଏବେ ଚର୍ଚ୍ଚା କରାଯାଉଥିବା ଗ୍ରହାଣୁର ନାମ ୨୦୦୮ ଜିଓ-୨୦, ଯାହାକୁ ୨୦୦୮ ମସିହାରେ ଆବିଷ୍କାର କରାଯାଇଥିଲା । ଆସନ୍ତା ଜୁଲାଇ ୨୫ ତାରିଖ ଭାରତୀୟ ସମୟ ପ୍ରାୟ ରାତି ୧୧ଟା ୨୧ ମିନିଟ ସମୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ । ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ରୁ ୧୨ ଗୁଣ ଦୂରତାରେ ରହିବ । ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୨୯୦୦ କିଲୋମିଟର ବା ସେକେଣ୍ଡ ପ୍ରତି ୮ କିଲୋମିଟର ରହିଛି । ଆକଳନ ଅନୁଯାୟୀ ଏହା ମାତ୍ର ୯୭ ମିଟର ଚଉଡ଼ା ଏବଂ ୨୩୦ ମିଟର ଲମ୍ବା ଅଟେ । ଗତ ୨୦୦୮ ମସିହା ଜୁନ ୨୦ ତାରିଖରେ ପୃଥିବୀର ନିକଟତର ହୋଇଥିଲା ଓ ୨୦୩୦ ମସିହା ଜୁଲାଇ ୨୪ ତାରିଖରେ ପୃଥିବୀର ନିକଟତର ହେବ । ଏହି ଗ୍ରହାଣୁ ଏଥର ପୃଥିବୀର ୪୫ ଲକ୍ଷ କିଲୋମିଟର ଦୂରତାରେ ଯିବ ଯାହା ପୂର୍ବରୁ ୧୯୩୫ ମସିହାରେ ୧୮ ଲକ୍ଷ କିଲୋମିଟର ଓ ୧୯୭୭ ମସିହାରେ ୨୯ ଲକ୍ଷ କିଲୋମିଟର ତୁଳନାରେ ବହୁତ ଅଧିକ । ତେଣୁ ଗ୍ରହାଣୁ ୨୦୦୮ ଜିଓ-୨୦ ନିକଟକୁ ଆସୁଥିଲେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର କୌଣସି ସଂଭାବନା ନାହିଁ ।

ଆମେ ଜାଣିଛେ ଯେ, ଅନେକଗୁଡ଼ିଏ ଗ୍ରହାଣୁ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷ ଓ ଆକାରରେ ୧ ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହାଣୁ ଗୁଡ଼ିକ ବେଳୋବେଳେ ପୃଥିବୀ ପୃଷ୍ଟରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ପୋଡ଼ି ପାଉଁଶ ହୋଇଯାଇଥାଏ ।

ଏବେ ବୈଜ୍ଞାନିକମାନେ ୨୩,୪୨୮ରୁ ଅଧିକ ବଡ଼ ଆକାରର ଗ୍ରହାଣୁ ଯାହା ପୃଥିବୀ ନିକଟରେ ରହିଛି, ତାହାର ତାଲିକା ପ୍ରସ୍ତୁତ କରିଛନ୍ତି ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଏଗୁଡ଼ିକ ମଧ୍ୟରୁ ସମ୍ଭାବ୍ୟ ବିପଜ୍ଜନକ ଗ୍ରହାଣୁ ଭାବରେ ମାତ୍ର ୧୦୭୫ଟିକୁ ଶ୍ରେଣୀଭୁକ୍ତ କରାଯାଇଛି । ପୃଥିବୀ ନିକଟକୁ ଆସୁଥିବା ଏପରି ବସ୍ତୁଉପରେ ଅନେକ ସଂସ୍ଥା ନଜର ରଖିଛନ୍ତି । ଏଭଳି ଏକ ମହା ବିପଦରୁ କିପରି ପୃଥିବୀକୁ ସୁରକ୍ଷିତ ରଖାଯାଇପାରିବ, ସେ ବିଷୟରେ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଅନବରତ ପ୍ରୟାସ ଜାରି ରଖିଛନ୍ତି । ସର୍ବଶେଷ ଗଣନା ଅନୁଯାୟୀ ୨୦୬୮ ମସିହା ପର୍ଯ୍ୟନ୍ତ କୌଣସି ବଡ଼ ବସ୍ତୁ ବା ପିଣ୍ଡ ପୃଥିବୀକୁ ଧକ୍କା ଦେବାର ବିପଦ ନାହିଁ । ତେଣୁ ଭୟଭୀତ ହେବାର କିଛି ନାହିଁ ।

ସମ୍ବନ୍ଧିତ ଖବର