ମନ୍ତ୍ରୀଙ୍କ ବାସଭବନ ଘେରିବେ ୨୦୧୨ ବ୍ୟାଚ୍‌ ନନ୍‌ ଓଟିଇଟି ଶିକ୍ଷକ

ଭୁବନେଶ୍ବର : ୨୦୧୨ ବ୍ୟାଚ୍‌ ନନ୍‌ ଓଟିଇଟି ଶିକ୍ଷକ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଆନନ୍ଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଜି ପାର୍କରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ୨୦୧୨ ବ୍ୟାଚ୍‌ର ନନ୍‌ ଓଟିଇଟି ପିଲାଙ୍କ ନିୟମିତ ଦାବିକୁ ନେଇ ଆସନ୍ତା ୧୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିରେ ୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଆମରଣ ଅନଶନରେ ବସିବେ ବୋଲି ନିଷ୍ପତ୍ତି ହୋଇଛି।

ସଂଘର ସମ୍ପାଦକ ପ୍ରଭାକର ସାହୁଙ୍କ କହିବାନୁଯାୟୀ, ନିୟମ ଅନୁଯାୟୀ ୬ ବର୍ଷ କାର୍ଯ୍ୟ କରିବା‌ ପରେ ଜଣେ ଶିକ୍ଷା ସହାୟକ ନିୟମିତ ହେବାର ନିର୍ଦେଶ ରହିଛି। ଏହା ସତ୍ତ୍ବେ ରାଜ୍ୟ ସରକାର ଓଟିଇଟି ଆଳ ଦେଖାଇ ୩ ହଜାର ଶିକ୍ଷା ସହାୟକଙ୍କୁ ନିୟମିତ କରୁନାହାନ୍ତି। ସମସ୍ତ ଶିକ୍ଷକ ସରକାରୀ ତାଲିମପ୍ରାପ୍ତ ସିଟି, ବିଏଡ୍‌ କରିଛନ୍ତି। ୩ବର୍ଷ ଚାକିରି କରିସାରିବା ପରେ ସରକାର ସେମାନଙ୍କୁ କନିଷ୍ଠ ଶିକ୍ଷକ ମାନ୍ୟତା ପ୍ରଦାନ କରିଛନ୍ତି। ଏବେ ସୁଦ୍ଧା‌ ୬ବର୍ଷ ୧୧ମାସ ବିତି ଯାଇଥିଲେ ମଧ୍ୟ ନିୟମିତ ଶିକ୍ଷକଙ୍କ ମର୍ଯ୍ୟାଦା ଦେବାକୁ କୁଣ୍ଠାବୋଧ କରୁଛନ୍ତି। ‌ହେଲେ ୨୦୧୬ରେ ୧୬ହଜାର ଗଣ ଶିକ୍ଷକଙ୍କୁ ବିନା‌ ଓଟିଇଟିରେ ସର୍ତ୍ତମୂଳକ ଭାବେ ନିୟମିତ କରାଯାଇଛି। ସମସ୍ୟା ସମ୍ପର୍କରେ ଗତ ମାସ ୨୧ ତାରିଖରେ ଓପେସା କାର୍ଯ୍ୟାଳୟରେ ବିଭାଗୀୟ ସଚିବଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେ ଭେଟ କରି ନଥିଲେ। ୧୪ତାରିଖ ଭିତରେ କୌଣସି ଠୋସ୍‌ ପଦକ୍ଷେପ ନିଆ ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର