୨୦୧୭ ଗୋଷ୍ଠୀ ସଂଘର୍ଷ ମାମଲା: ୪୩ ଜଣ ଦୋଷୀ ସାବ୍ୟସ୍ତ, ୩ ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜୋରିମାନା

ଖୋର୍ଦ୍ଧା: ୨୦୧୭ରେ ସଦର ଥାନା ଅନ୍ତର୍ଗତ ଗୁଡ଼ୁମ-ଜଗନ୍ନାଥପୁରରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ଖୋର୍ଦ୍ଧା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ୪୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଭିନ୍ନ ଦଫାରେ ଜେଲ ଓ ଜୋରିମାନା ଦଣ୍ଡ ବିଧାନ କରିଛନ୍ତି । ଜୋରିମାନା ଅର୍ଥ ଆକ୍ରମଣରେ ଆହତଙ୍କୁ କ୍ଷତିପୂରଣ ବାବାଦରେ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୧୭, ଫେବ୍ରୁଆରୀ୨୧ ତାରିଖ ରାତି ୧୦ଟା ବେଳେ ବୋତଳମା, ବେଙ୍ଗୀଟାଙ୍ଗୀ, ରାମସିଂହପ୍ରସାଦ, ଦୁର୍ଗାପୁର, ଗୋକୁଳପୁର, ମାନଗୋବିନ୍ଦପୁର, ନରସିଂହପୁରର ପ୍ରାୟ ୫୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଗୁଡ଼ୁମ-ଜଗନ୍ନାଥପୁରରେ ପହଂଚିଥିଲେ । ସେଠାରେ ଗାଁର କେତେକ ଲୋକ ଏକଯୁଟ ହୋଇ ସେମାନଙ୍କୁ ପ୍ରତିବାଦ କରିଥିଲେ । ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ ଗୁଲୁ ସାହୁ, ଅଲେଖ ବେହେରା, ମକର ସାମନ୍ତସିଂହାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ସହ ପ୍ରଦୀପ କୁମାର ସାହୁଙ୍କ ସୁନା ଚେନ, ଏକ ଲକ୍ଷଟଙ୍କା ନଗଦ ସହ ଗାଁରେ ଥିବା ୧୫ଟି ଦୋକାନକୁ ଭାଙ୍ଗି ଦେବା ସହ ଜିନିଷପତ୍ର ଲୁଟିନେଇଥିଲେ ।

ଦାଣ୍ଡରେ ଥିବା ସଂଖ୍ୟାଧିକ ଅଟୋ, ଟାଟା ଏସିଇ, ବୋଲେରୋ, ମୋଟରସାଇକଲ ଆଦି ଭାଙ୍ଗି ଦେଇଥିଲେ । ଏହି ମାମଲାରେ ସଦରଥାନା ପୁଲିସ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୪୭, ୧୪୮, ୧୪୯, ୩୨୩, ୨୯୪, ୩୦୭, ୪୨୭, ୩୭୯, ୪୫୨, ୫୦୬ରେ ୪୧/୨୦୧୭ ନମ୍ବର ମାମଲା ରୁଜୁ କରିଥିଲା । ୨୨ ଫେବ୍ରୁଆରୀ ୨୦୧୭ରେ ସଦର ଥାନା ପୁଲିସ ମାମଲା ରୁଜୁ କରିଥିଲା । ପୁଲିସ ତଦନ୍ତ କରି ସେହିବର୍ଷ ୬ ଜୁଲାଇରେ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା । ୨୩ ଜୁନ୍ ୨୦୨୨ରେ କୋର୍ଟରେ ଏହି ମାମଲାରେ ଶୁଣାଣି ଆରମ୍ଭ ହୋଇଥିଲା ।

ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ଅତରିକ୍ତ ସେସନ୍ସ ଜଜ୍ ଶରତ କୁମାର ଜେନା ଏହି ମାମଲାର ଶୁଣାଣି କରି ଆଜି ସମସ୍ତ ୪୩ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ପିଙ୍ଗଳ କୋଡ୍ର ୩୨୪/୧୪୯ ଧାରାରେ ୩ ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ଜୋରିମାନା ଅନାଦେୟରେ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବୀରେନ୍ଦ୍ର କୁମାର ପ୍ରହରାଜ ଓ ଅରୁଣ କୁମାର ସ୍ୱାଇଁ ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର