ଆସିବ ଓଡ଼ିଶା କୃଷି ନୀତି ୨୦୧୯: ୬ ବର୍ଷ ପରେ ନୂଆ କୃଷି ନୀତି ପ୍ରସ୍ତୁତି ନେଇ ଆଲୋଚନା ବୈଠକ

ବାହାର ରାଜ୍ୟର ବିହନ ପ୍ରସ୍ତାବକୁ ଗ୍ରହଣ କଲେନି ମୁଖ୍ୟ ସଚିବ

0

ଭୁବନେଶ୍ବର: ଦିନଥିଲା ଓଡ଼ିଶାର ଚାଷୀଙ୍କ ଆୟ ଜାତୀୟ ହାରଠାରୁ କମ ଥିଲା। ଏବେ କିନ୍ତୁ ସେ ଅବସ୍ଥା ଆଉ ନାହିଁ। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ବଳକା ରାଜ୍ୟରେ ପରିଗଣିତ ହୋଇଛି। କୃଷି ପାଇଁ ଉନ୍ନତ ଜ୍ଞାନ କୌଶଳ ବିକାଶ ଯୋଗୁଁ ରାଜ୍ୟରେ କୃଷି କ୍ଷେତ୍ରରେ ବିପ୍ଲବ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ ବର୍ଷ ପରେ ପୁଣି ଥରେ ନୂତନ କୃଷି ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ନୀତି-୨୦୧୯ର ଚିଠା ପ୍ରସ୍ତାବ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ଗୁରୁତ୍ବ ଦିଆଯାଇଛି। ଏ ନେଇ ଆସନ୍ତା ଦୁଇ ସପ୍ତାହ ଭିତରେ ସବୁ ସମ୍ପର୍କିତ ବିଭାଗଗୁଡ଼ିକ ନୂତନ କୃଷି ନୀତି ପ୍ରସ୍ତୁତି ପାଇଁ ପ୍ରସ୍ତାବମାନ ପ୍ରଦାନ କରିବେ।ତେବେ ବାହାର ରାଜ୍ୟରୁ ବିହନ ଆଣି ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଗ୍ରହଣ କରିନାହାନ୍ତି। ଏହାସହିତ କୃଷି ସହିତ କ୍ଲଷ୍ଟର କରି ଯେପରି ଚାଷୀଙ୍କ ଆୟକୁ ଦୁଇଗୁଣ କରାଯିବ ସେଥିପାଇଁ ଜୋର ଦିଆଯାଇଛି। ରାଜ୍ୟରେ ଏବେ ଚାଷୀଙ୍କ ଆୟ ମାସିକ ୭ ହଜାର ୭୩୧ ଟଙ୍କା ବୋଲି ସରକାର ଦର୍ଶାଇଛନ୍ତି। ଯାହାକି ଜାତୀୟ ହାରଠାରୁ ଅଧିକ।

ଦୁଇ ସପ୍ତାହ ଭିତରେ ପ୍ରସ୍ତାବ ଦେବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ
ଚାଷୀଙ୍କ ମାସିକ ଆୟ ୭ ହଜାର ୭୩୧ ଟଙ୍କା
ଜାତୀୟ ହାରଠାରୁ ରାଜ୍ୟର ଚାଷୀଙ୍କ ଆୟ ୪.୮% ଅଧିକ
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ

ମଙ୍ଗଳବାର କୃଷି ନୀତି ୨୦୧୯ ଚିଠା ପ୍ରସ୍ତାବ ଆଲୋଚନାରୁ ଜଣାପଡ଼ିଛି, ୨୦୧୩ ମସିହାରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କୃଷି ନୀତିରେ ସରକାର ବ୍ୟାପକ ପରିବର୍ତ୍ତନ ନକରି ଚାଷୀଙ୍କ ଆୟ ଯେପରି ଦୁଇଗୁଣ କରିହେବ ସେଥିପାଇଁ ବଜାର ସୃଷ୍ଟି କରିବା ସହ ବହୁମୁଖୀ ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି। ୨୦୧୩ କୃଷି ନୀତିକୁ ଅପରିବର୍ତ୍ତିତ ରଖି ସେଥିରେ ଠୋସ ପଦକ୍ଷେପ ସଦୃଶ ଅଧିକ କଣ ଯୋଡ଼ାଯାଇପାରିବ ସେଥିପାଇଁ ତୃତୀୟ ପକ୍ଷ ଦ୍ବାରା ପ୍ରସ୍ତୁତ ଚିଠା ନୀତି ଉପରେ ତର୍ଜମା କରାଯାଇଛି। ଉତ୍ପାଦନ ବୃଦ୍ଧି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ବାରା ପ୍ରସ୍ତାବିତ ବାହାର ରାଜ୍ୟର ବିହନକୁ ରାଜ୍ୟର ଚାଷୀଙ୍କୁ ଯୋଗାଇଦେବା ନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଗ୍ରହଣ କରିନଥିଲେ। କହିଥିଲେ, ଏହାଦ୍ବାରା ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବା ସହ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଚାଷୀଙ୍କ ଆୟକୁ ବୃଦ୍ଧି କରିବା ନେଇ ବିଭିନ୍ନ କ୍ଲଷ୍ଟର ଜରିଆରେ କୁକୁଡ଼ା ଚାଷୀ, ଦୁଗ୍ଧ ଚାଷ ପାଇଁ ଗୋପାଳନ, ମତ୍ସ୍ୟ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହିତ ଚାଷୀର ଉତ୍ପାଦକୁ ବିକ୍ରିବଟା କରିବା ପାଇଁ ବଜାର ଉପଲବ୍ଧି ଉପରେ ମଧ୍ୟ କୃଷି ନୀତିରେ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବିଭିନ୍ନ କୃଷି ଉତ୍ପାଦନ ଗୋଷ୍ଠୀ ଜରିଆରେ ଘରୋଇ ପୁଞ୍ଜି ଲଗାଣକୁ ଆକୃଷ୍ଟ କରାଯିବ। ଏଥିପାଇଁ ଚାଷୀଙ୍କ ସହ ସମ୍ପର୍କିତ ଥିବା ସବୁ ବିଭାଗଗୁଡ଼ିକ ସୁଚିନ୍ତିତ ପ୍ରସ୍ତାବ ପ୍ରଦାନ କରିବେ। ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କହିଥିଲେ କୃଷି ନୀତି ପ୍ରସ୍ତୁତ କଲାବେଳେ ଚାଷୀ ଯେପରି ଗୋଟିଏ ଫସଲରେ ସୀମିତ ନରହି ଏକାଧିକ ପ୍ରକାର ଫସଲ ପ୍ରତି ଯେପରି ଆକୃଷ୍ଟ ହେବ ସେଥିପାଇଁ ଧ୍ୟାନ ଦେବା ଉଚିତ। ଏହାସହିତ ଚାଷୀଙ୍କ ଉତ୍ପାଦକୁ ଅଧିକ ମୂଲ୍ୟଯୁକ୍ତ କରିବା ସହିତ ବଜାର ସୁବିଧା ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ରହିବା ଦରକାର। ଏହି ଅବସରରେ କୃଷି ଉତ୍ପାଦ କମିସନର ଗଗନ କୁମାର ଧଳ ପରାମର୍ଶ ଦେଇ କହିଥିଲେ ନୂତନ କୃଷି ନୀତିରେ ପ୍ରାକୃତିକ ଦୁର୍ବିପାକ ସହ୍ୟ କଲାଭଳି ବିହନ ଓ ଚାରାର ବିକାଶ କରାଯିବା ଉଚିତ। କୃଷି ପାଇଁ ସରକାରୀ ପ୍ରୋତ୍ସାହନ ଓ ସହାୟତା ଯୋଗୁଁ ଗତବର୍ଷ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନରେ ଆଶାତୀତ ସଫଳତା ମିଳିଛି। ୨୦୧୮-୧୯ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୧୭ ହଜାର କୋଟିରେ ପହଞ୍ଚିଛି। ରାଜ୍ୟ ସରକାର ସ୍ବତନ୍ତ୍ର କୃଷି ବଜେଟ ଓ ସ୍ବତନ୍ତ୍ର କୃଷି କ୍ୟାବିନେଟ ଏହି ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇପାରିଛନ୍ତି। ଯେଉଁଥିପାଇଁ ୨୦୧୬-୧୭ରେ ୨୫ ଲକ୍ଷ ମେଟ୍ରିକ୍ ଟନ୍ ବଳକା ଚାଉଳ ଉତ୍ପାଦନ ହୋଇଥିବାବେଳେ ମୋଟ ୧୧୭ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବଳକା ଉତ୍ପାଦନ ହୋଇପାରିଛି। ୨୦୦୨-୦୩ରୁ ୨୦୧୫-୧୬ ଭିତରେ ରାଜ୍ୟରେ ଚାଷୀଙ୍କ ଆୟ ଜାତୀୟ ହାର ତୁଳନାରେ ୪.୮% ପ୍ରତିଶତ ବୃଦ୍ଧି ଘଟିଛି। ୨୦୦୨-୦୩ରେ ଚାଷୀଙ୍କ ଆୟ ମାସିକ ୧ ହଜାର ୬୨ ଟଙ୍କା ଥିବାବେଳେ ୨୦୧୫-୧୬ରେ ଚାଷୀଙ୍କ ଆୟରେ ବୃଦ୍ଧି ଘଟି ୭ ହଜାର ୭୩୧ ଟଙ୍କା ହୋଇଛି। ଏହି ସମୟରେ ଜାତୀୟ ସ୍ତରରେ ଚାଷୀଙ୍କ ଆୟ ୧୧.୭% ଥିବାବେଳେ ଓଡ଼ିଶାରେ ଏହା ୧୬.୫%ରେ ପହଞ୍ଚିଛି। ଏ ସମ୍ପର୍କରେ ଗଣମାଧ୍ୟକୁ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ, ଚାଷୀଙ୍କ ନିରନ୍ତର ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପୁଣି ଗୋଟିଏ କୃଷି ନୀତି ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଖୁବଅଳ୍ପ ଦିନ ଭିତରେ ଚିଠା ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦିଆଯିବ।

ପ୍ରକାଶଥାଉକି, ୨୦୧୮ ଜାନୁଆରୀରେ ପ୍ରକାଶିତ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର) ଓ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ୨୦୨୨ ସୁଦ୍ଧା ଓଡ଼ିଶାର ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ କେବଳ ଗୋଟିଏ ଫସଲ ଉପରେ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ପରିବର୍ତ୍ତେ ବିଭିନ୍ନ ଡାଲିଜାତୀୟ ଫସଲ, ଗୋପାଳନ, ଛେଳି, କୁକୁଡ଼ା ଚାଷ, ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷକୁ ଚାଷ ସହିତ ଯୋଡ଼ିବା ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଏହି ବୈଠକରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର