ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରକୋପ ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍ର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଛି। ସମସ୍ତ ଶିକ୍ଷଣ ସଂସ୍ଥାନଗୁଡ଼ିକ ବନ୍ଦ ରହିଛି। ବର୍ତ୍ତମାନ ସୁଦ୍ଧା ବୋର୍ଡ ପରୀକ୍ଷା, ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇପାରିନାହିଁ। ପରୀକ୍ଷା କେବେ ଅନୁଷ୍ଠିତ ହେବ, ଅଦ୍ୟାବଧି ଏହା କହିିବା ସମ୍ଭବ ନୁହେଁ। କରୋନା ଉପରେ ନିୟନ୍ତ୍ରଣ ନ ମିଳିବା ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥାନଗୁଡ଼ିକ ଖୋଲିବା କଷ୍ଟକର ବ୍ୟାପାର ହେବ। ଏମିତିରେ ଶିକ୍ଷାବର୍ଷ ୨୦୨୦-୨୧ କେମିତି ଓ କେବେ ଆରମ୍ଭ ହେବ, ଏହାର ପ୍ରସ୍ତୁତି ଓ ସମ୍ଭାବନାକୁ ନେଇ ବିଶେଷଜ୍ଞ କମିଟି ଦ୍ବାରା ରିପୋର୍ଟ ପ୍ରସ୍ତୁତ କରାଯାଉଛି। ସୂତ୍ର ଅନୁସାରେ, ଶିକ୍ଷାବର୍ଷ ୨୦୨୦-୨୧ ବିଳମ୍ବରେ ଆରମ୍ଭ େହଲେ ପାଠ୍ୟକ୍ରମକୁ କିଛି ମାତ୍ରାରେ କମ୍ କରିବା ପାଇଁ ଏହି କମିଟି ସୁପାରିଶ କରିବ। କେନ୍ଦ୍ରମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ତଥା ଉଚ୍ଚଶିକ୍ଷା ସଂସ୍ଥାନମାନଙ୍କ ପାଇଁ ବିଶେଷଜ୍ଞମାନଙ୍କର ଅଲଗା ଅଲଗା କମିଟି ଗଠନ କରିଛି। ସ୍କୁଲ ସ୍ତରରେ ନର୍ସରୀରୁ ପଞ୍ଚମ ଶ୍ରେଣୀ, ଷଷ୍ଠରୁ ଅଷ୍ଟମ େଶ୍ରଣୀ ତଥା ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ଆଧାରିତ ଶିକ୍ଷାବର୍ଷ ୨୦୨୦ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏଥରେ ସୁନିଶ୍ଚିତ କରାଯିବ କେଉଁ ଶ୍ରେଣୀକୁ କିଭଳି ତଥା କେତୋଟି ବିଷୟ ପଢ଼ାଯିବ ଓ ପରୀକ୍ଷା କିଭଳି କରାଯିବ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମରେ ବିଶେଷ ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି।
ଏନ୍ସିଆର୍ଇଟି ପାଠ୍ୟ ପୁସ୍ତକରେ ସ୍ଥାନ ପାଇପାରେ କରୋନା ଭୂତାଣୁ
ନୂଆଦିଲ୍ଲୀ : ଆଗାମୀ ସପ୍ତାହମାନଙ୍କରେ ଏନ୍ସିଇଆର୍ଟି ପକ୍ଷରୁ ଉଚ୍ଚ ପ୍ରାଥମିକ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀମାନଙ୍କ ପାଇଁ ବୈକଳ୍ପିକ ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରାଯିବ ବୋଲି ନିର୍ଦ୍ଦେଶକ ଡଃ ହୃଷୀକେଶ ସେନାପତି ସୂଚନା ଦେଇଛନ୍ତି। ଡଃ ସେନାପତିଙ୍କ କହିବାନୁସାରେ କୋଭିଡ୍-୧୯ କାରଣରୁ ଲକ୍ଡାଉନ୍ରେ ଯେତେବେଳେ ଅନ୍ଲାଇନ୍ ଜରିଆରେ ଶିକ୍ଷା ଉପରେ ଜୋର ଦିଆଯାଉଛି। ଏମିତିରେ ବୈକଳ୍ପିକ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନ୍ତର୍ଗତ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କର ସହଭାଗିତା ବୃଦ୍ଧି ପାଉଛି। କରୋନା ଭାଇରସ୍ ସଂକ୍ରମଣ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଂଗ ହୋଇଯାଇଛି। ଆସନ୍ତା ପାଠ୍ୟକ୍ରମ ସମୀକ୍ଷା ସମୟରେ କରୋନା ଭୂତାଣୁ ଏବଂ ଏହା ସମ୍ବନ୍ଧିତ ବିଷୟଗୁଡ଼ିକୁ ସାମିଲ କରିବା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍ଡାଉନ୍ ସମୟରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ଯେଭଳି ପ୍ରତିବନ୍ଧକ ନ ଘଟେ, ତେଣୁ ଘରେ ବସି ପାଠପଢ଼ିବା ପାଇଁ ଡଃ ସେନାପତିଙ୍କ ନିର୍ଦ୍ଦେଶରେ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଇଥିଲା।