୨୦୨୧ ସୁଦ୍ଧା ସବୁ ଜିଲ୍ଲାରେ ଆଇସିୟୁ, ୧୩ ଜିଲ୍ଲାରେ ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ୍ ୱାର୍ଡ

ଏସ୍‌ସିବିରେ ହେବ ଟେମ୍ପୋରାଲ ବୋନ୍ ପରୀକ୍ଷାଗାର

ଭୁବନେଶ୍ବର: ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସେବା ଉପଲବ୍ଧ ହେବ। ଆସନ୍ତାବର୍ଷ ମାର୍ଚ ମାସ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଥିବା ବେଳେ ୨୦୨୧ ସୁଦ୍ଧା ସବୁ ଜିଲ୍ଲାକୁ ଏହା ସଂପ୍ରସାରିତ ହେବ। କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦ୍‌ଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜାତୀୟ ଯୋଜନା ଏନ୍‌ପିସିଡିସିଏସ୍‌ ଟାସ୍କଫୋର୍ସ କାର୍ଯ୍ୟକାରୀ ହେଉଛି। ଏହାର ପ୍ରଥମ ରାଜ୍ୟସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବା ସହିତ ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଏବେ ଜୀବନଶୈଳୀରେ ପରିବର୍ତନ ଯୋଗୁଁ ଅନେକ ଲୋକ କର୍କଟ, ମଧୁମେହ ଓ ହୃଦ୍‌ଘାତ ଭଳି ଅଣସଂକ୍ରମିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ସବୁ ରୋଗର ନିୟନ୍ତ୍ରଣ, ନିରାକରଣ ଓ ଚିକିତ୍ସା ପାଇଁ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଜାତୀୟ ଯୋଜନାରେ କେବଳ କନ୍ଧମାଳ ଜିଲ୍ଲାରେ ଶବ୍ଦ ନିରୋଧୀ କୋଠରି ରହିଛି। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ ଜିଲ୍ଲାକୁ ସଂପ୍ରସାରିତ ହେବ। ‌ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ଏସ୍‌ସିବି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଇଏନ୍‌ଟି ବିଭାଗରେ ଦୁଇଟି ଟେମ୍ପୋରାଲ ବୋନ୍ ପରୀକ୍ଷାଗାର ପ୍ରତିଷ୍ଠା ହେବ। ମେଡିକାଲ ଅଫିସର ଓ ଷ୍ଟାଫ୍‌ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡେ-କେୟାର କେମୋଥେରାପି ସେବା ଯୋଗାଇ ଦିଆଯିବ। ଏବେ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଉପଲବ୍ଧ ହେଉଛି। ଚଳିତ ଆର୍ଥିକ ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସା ଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ୍ ୱାର୍ଡ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂପ୍ରସାରିତ ହେବ। ଏବେ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେଉଛି। ସେହିପରି ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟରୋଗୀଙ୍କ ଉପଶମ ସେବା ଉପଲବ୍ଧ ହେବ। ପରବର୍ତୀ ସମୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବ। ଏଥିପାଇଁ କର୍ମଚାରୀମାନଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଲିମ ଦିଆଯିବ। ଏବେ ୧୩ଟି ଜିଲ୍ଲାରେ ତମାଖୁ ମୁକ୍ତି ‌କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୦ଟି ଜିଲ୍ଲାକୁ ଏହାକୁ ସଂପ୍ରସାରିତ କରାଯିବ। ଏହି ଟାସ୍କଫୋର୍ସ ବୈଠକରେ ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ଡା. ହରପ୍ରସାଦ ପଟ୍ଟନାୟକ, ଡିଏମ୍‌ଇଟି ସୋନାମାଲି ବାଗ୍, ଏନ୍‌ଆରସିସିର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦେଶକଙ୍କ ସମେତ ପ୍ରଫେସର ଡା. ବି.ଏନ୍‌ ମହାପାତ୍ର, ପ୍ରଫେସର ଡା. ଚିତ୍ତରଂଜନ କର, ସହଯୋଗୀ ପ୍ରଫେସର ଡା.ଏନ୍‌.କେ ମହାନ୍ତି, ଡା. ମୀନାକ୍ଷି ମହାନ୍ତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର