୨୦୨୧: ଗଞ୍ଜାମ ପାଇଁ ନୂଆ ସମ୍ଭାବନା

ବ୍ରହ୍ମପୁର : ଇତିହାସ ରଚି ବିଦାୟ ନେଇଛି ୨୦୨୦। କରୋନାର କଷଣ ଜନତାଙ୍କ ମନରୁ ଲିଭି ନ ଥିବା ବେଳେ ନୂତନ ଆଶା ଓ ଉଦ୍ଦୀପନା ନେଇ ପାଦ ଥାପିଛି ୨୦୨୧। ନବ ବର୍ଷ ଗଞ୍ଜାମ ପାଇଁ ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ଆଶା କରାଯାଉଛି। ଭିତ୍ତିଭୂମି ବିକାଶ, ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବା ସହ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି।

ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ ସବୁ କ୍ଷେତ୍ରରେ ଗୁରୁତ୍ବ ବହନ କରି ଆସିଛି। ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭି.ଭି.ଗିରିଙ୍କ ପରି ରାଷ୍ଟ୍ରପତି ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଜିଲ୍ଲାରୁ ଦୁଇ ଦଶନ୍ଧି ଧରି ପ୍ରତିନିଧିତ୍ବ କରି ରାଜ୍ୟ ନେତୃତ୍ବ ନେଇ ଆସୁଛନ୍ତି। ଗତ ଦୁଇ ଦଶନ୍ଧିର ରାଜ୍ୟ ଶାସନର ଚିତ୍ରକୁ ଦେଖିଲେ ଏହି ଜିଲ୍ଲାରେ କାର୍ଯ୍ୟ କରିଥିବା ପ୍ରାଶାସନିକ ଅଧିକାରୀମାନେ ପରବର୍ତ୍ତୀ ସମୟରେ ରାଜ୍ୟ ଶାସନରେ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ଏ ସବୁକୁ ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାର ସ୍ବତନ୍ତ୍ରତା ଭିନ୍ନ।

Jagran Josh

ବିଦାୟୀ ବର୍ଷରେ କରୋନାରେ ଜର୍ଜରିତ ଗଞ୍ଜାମର ଲକ୍ଷ ଲକ୍ଷ ପ୍ରବାସୀ କାମଧନ୍ଦା ଛାଡ଼ି ଭିଟାମାଟି ଫେରିଥିଲେ। ୨୫୦ରୁ ଅଧିକ ଜୀବନ ନେଇ ସାରିଛି କରୋନା। ଏ ସବୁ ସତ୍ତ୍ବେ ଗଞ୍ଜାମ କରୋନାକୁ ହରାଇବା କ୍ଷେତ୍ରରେ ମଧ୍ୟ ସମଗ୍ର ଦେଶରେ ରୋଲ୍‌ ମଡେ଼ଲ୍‌ ସାଜିଛି। ଏଥି ସହ ବିଦାୟୀ ବର୍ଷର ଶେଷ ଭାଗରେ ଜିଲ୍ଲାରେ ଦୁର୍ନୀତିର କାୟା ଓ ରାଜନୈତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ଶାସକ ଦଳର ପ୍ରଭାବଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ ଓ ଠକେଇ ଅଭିଯୋଗରେ ଦଳରୁ ବିତାଡ଼ିତ ହେବା ସହ ଜେଲ୍‌ ଗଲେ। ଏହା ରାଜ୍ୟ ରାଜନୀତିରେ ବଡ଼ କମ୍ପନ ସୃଷ୍ଟି କରିଥିଲା। ପୁଣି ଗତ ଦୁଇ ମାସ ମଧ୍ୟରେ ଦୁର୍ନୀତି ନିବାରଣ ସ˚ସ୍ଥା ଜିଲ୍ଲାର ପ୍ରାୟ ୮ଜଣ କୋଟିପତି ଅଧିକାରୀଙ୍କୁ ବାନ୍ଧିବା ଘଟଣା ଜିଲ୍ଲାରେ ଦୁର୍ନୀତି କାୟା କେତେ କବଳିତ ତାହାର ପ୍ରତିଫଳିତ ଦେଖିବାକୁ ମିଳିଛି। ଆଗାମୀ ବର୍ଷରେ ଦୁର୍ନୀତି ବିରୋଧୀ ଅଭିଯାନ ଆହୁରି ତ୍ବରାନ୍ବିତ ହେବ, ତାହା ଗତ ଦୁଇ ମାସରେ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି।

ବିଦାୟୀ ବର୍ଷର ଘଟଣାବଳୀକୁ ପରଖିଲେ ନବବର୍ଷ-୨୦୨୧ ଜିଲ୍ଲା ପାଇଁ କିଛି ନୂଆ ସୁଯୋଗ ସୃଷ୍ଟି କରିବା ସମ୍ଭାବନା ଦେଖାଦେଇଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବନ୍ଧା ହେବା ପରେ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ସ୍ପଷ୍ଟ ହୋଇଛି। ପୌର ନିର୍ବାଚନ ୨୦୨୧ରେ ହେବା ସମ୍ଭାବନା ରହିଛି। ଜିଲ୍ଲାର ୩ ପ୍ରମୁଖ ଦଳ ଏବେ ଘର ସଜଡ଼ା ଆରମ୍ଭ କରିଥିଲେ ହେଁ ନିର୍ବାଚନ ‌ବୈତରଣୀ ପାର ହେବା କାଠିକର ପାଠ ହୋଇପଡ଼ିବ ବୋଲି କୁହାଯାଉଛି। ରାଜ୍ୟ ମନ୍ତ୍ରିମଣ୍ତଳରେ ଗଞ୍ଜାମରୁ ନୂଆ ମୁହଁ ଦେଖିବା ମଧ୍ୟ ଆଶା ରହିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ ପଦ ମିଳିବା ଚର୍ଚ୍ଚା ଏବେ ଜୋର ଧରିଛି। ଜିଲ୍ଲାରେ ଶାସକ ଦଳ ସା˚ଗଠନିକ କାର୍ଯ୍ୟ ଲାଗି ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇପାରେ ବୋଲି କୁହାଯାଉଛି।

Ganjam

କେବଳ ରାଜନୀତି ନୁହେଁ, ଭିତ୍ତିଭୂମି, ଜିଲ୍ଲାର ଅର୍ଥନୈତିକ, ଶିକ୍ଷା, କ୍ରୀଡ଼ା, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ମଧ୍ୟ କିଛି ନୂତନ ଆଶା ସଞ୍ଚାର ହୋଇଛି। ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦର ଭିତ୍ତିଭୂମି ବିକାଶ ଏହାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେଇଛି। ଏହା ଲୋକର୍ପିତ ହେବା ବାକି ଅଛି। ସେହିପରି ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ଦୌଡ଼ରେ ସୁଦୃଶ୍ୟ ଗୋପାଳପୁର ଓ ସୁନାପୁର ବେଳାଭୂମି ରହିଛି। ଏଥିଲାଗି ମଧ୍ୟ ପ୍ରଶାସନ ଗୋପାଳପୁର ବେଳାଭୂମିକୁ ନୂଆ ରୂପ ଦେବାରେ ଲାଗି ପଡ଼ିଲାଣି। ସେଠାରେ ବିଡିଏ ପକ୍ଷରୁ ନିର୍ମାଣାଧୀନ ଥିବା ଇକୋ-ରିଟ୍ରିଟ୍‌ ଏ ବର୍ଷ ଲୋକର୍ପିତ ହେବାର ଅଛି। ଏଥିସହ ବ୍ରହ୍ମପୁର ସହରର ଜଣାଶୁଣା ରାମଲିଙ୍ଗେଶ୍ବର ପୁଷ୍କରିଣୀ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଜନସାଧରଣଙ୍କ ଲାଗି ଉତ୍ସର୍ଗୀକୃତ ହେବାର ରହିଛି।

Twitter

ଜିଲ୍ଲାର କୃଷି ଓ ଜଳସେଚନ କ୍ଷେତ୍ରରେ ବଡ଼ ଆଶା ଉଜ୍ଜୀବିତ ହୋଇଛି। ୨୫ବର୍ଷ ଧରି ପଡ଼ି ରହିଥିବା ପିପଳପଙ୍କା ଡ୍ୟାମ୍‌ ପ୍ରକଳ୍ପ ଫାଇଲ୍‌ ଖୋଲିଛି। ସେହିପରି କ˚ସାରୀଗଣ୍ତ ଓ ଜାନିବିଲି ଠାରେ ବ୍ୟାରେଜ୍‌ ନିର୍ମାଣ ଲାଗି ରାଜ୍ୟ ଜଳସେଚନ ବିଭାଗ ଯୋଜନା ତ୍ବରାନ୍ବିତ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଋଷିକୁଲ୍ୟା ଜଳ ସ˚ରକ୍ଷିତ ହେବା ସହ ଜଳସେଚନ କ୍ଷେତ୍ରରେ ଜିଲ୍ଲାର ଚାଷୀଙ୍କ ଲାଗି ଏହା ସହାୟକ ହେବ। ସେହିପରି ଜିଲ୍ଲାର କ୍ରୀଡ଼ା ଭତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଆଶା ସଞ୍ଚାର ହୋଇଛି। ବିଦାୟୀ ବର୍ଷରେ ଛତ୍ରପୁର ଓ ହିଞ୍ଜିଳିକାଟୁରେ ଦୁଇଟି ଅତ୍ୟାଧୁନିକ ଇନ୍‌ଡୋର ହଲ୍‌ ନିର୍ମାଣ ହୋଇ ଉଦ୍‌ଘାଟିତ ହୋଇଛି। ଖୁବଶୀଘ୍ର ଛତ୍ରପୁରରେ ହକି ଟର୍ଫ ପ୍ରତିଷ୍ଠା ଘୋଷଣା ସରିଛି। ବ୍ରହ୍ମପୁର ଷ୍ଟାଡ଼ିୟମ୍‌ ଏ ବର୍ଷ ପୂର୍ଣ୍ଣାଙ୍ଗ ରୂପ ନେବା ସମ୍ଭାବନା ଯଥେଷ୍ଟ। ବିଦାୟୀ ବର୍ଷରେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକରକମ ଭୁଶୁଡ଼ି ପଡ଼ିଥିବା ବେଳେ ନବ ବର୍ଷରେ ଏହାକୁ ସଜାଡ଼ିବା ବଡ଼ ଚ୍ୟାଲେଞ୍ଜ୍‌ ହୋଇ ଉଭା ହୋଇଛି। କିନ୍ତ ଏ ସବୁ ଭିତରେ ଜିଲ୍ଲାର ପ୍ରତିଷ୍ଠିତ ଏସ୍‌ବିଆର୍‌ଜି ମହିଳା ମହାବିଦ୍ୟାଳୟ ଏକ ବଡ଼ ଭିତ୍ତିଭୂମି ପାଇବାରେ ସକ୍ଷମ ହୋଇଛି। ଶ୍ରେଣୀଗୃହ ସମସ୍ୟା ଦୂର ଲାଗି ବହୁତଳ ପ୍ରାସାଦ ନିର୍ମାଣ ହୋଇଛି। ଏ ସବୁକୁ ଅନୁଧ୍ୟ୍ୟାନ କଲେ ୨୦୨୧ ପ୍ରତିଟି କ୍ଷେତ୍ରରେ ଜିଲ୍ଲା ପାଇଁ ନୂଆ ଆଶା ସଞ୍ଚାର କରି ପାଦ ଥାପିଛି

ସମ୍ବନ୍ଧିତ ଖବର