୨୦୨୧: ଆଶା ଦେଖାଇଛି, ଆହ୍ବାନ ଆଣିଛି : ନୂଆ ଓଡ଼ିଶା, ନୂଆ ସମ୍ଭାବନା

ବେନାମୀ ସଂପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଲୋଡ଼ା
ତିନି ଦଳ ପାଇଁ ଆତ୍ମସମୀକ୍ଷାର ସମୟ ଆସିଛି
ପରିବାରବାଦରେ ଚାପି ହୋଇଯାଉଛି ନୂଆ ନେତୃତ୍ବ

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ୨୦୨୦ ମସିହାକୁ କୋଭିଡ୍ ଏମିତି ପ୍ରଭାବିତ କଲା ଯେ ଗ୍ରୀଷ୍ମର ଉଷ୍ମତା, ବର୍ଷାର ଶୀତଳତା ଏବଂ ଶୀତର ପ୍ରକୋପ ସବୁକିଛି ଯେମିତି ବିପର୍ଯ୍ୟୟର ବିଭୀଷିକା ସାମ୍ନାରେ ନିଷ୍ପ୍ରଭ ମନେ ହେଲା। କୁହାଯାଏ, ବିପର୍ଯ୍ୟୟ ସହିତ ବିକାଶ ସର୍ବଦା ଯୋଡ଼ି ହୋଇଆସେ। ଏଭଳି ଏକ ପୃଷ୍ଠଭୂମିରେ ୨୦୨୧କୁ ନେଇ ରାଜ୍ୟବାସୀ, ରାଜନୈତିକ ଦଳ ଓ ସରକାର ଆଶାବାଦୀ ହୋଇଉଠିଛନ୍ତି। ନୂଆ ସଂକଳ୍ପ, ନୂଆ ନକ୍ସା ଧରି ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତେ ପାଗ ଭିଡ଼ିଲେଣି।

ଏଭଳି ପରିସ୍ଥିତି ଗୋଟିଏ ଗାଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟ ନେତୃତ୍ବ ସାମ୍ନାରେ ଅନେକ ଆହ୍ବାନ ରଖେ। ଆଉ ଯେତେବେଳେ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ଅନୁଭବୀ ନେତା, ଯିଏ କ୍ରମାଗତ ଭାବେ ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି, ତାଙ୍କ ଠାରୁ ରାଜ୍ୟ ଟିକିଏ ଅଧିକ ଆଶା କରିବା ଅପ୍ରାସଙ୍ଗିକ ଆଦୌ ନୁହେଁ।

ହେଲେ ପ୍ରଶ୍ନ ଉଠୁଛି, ସରକାର ୨୦୨୦ ଶେଷରେ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ େଦଇ ଓଡ଼ିଶାକୁ ବିକାଶୋନ୍ମୁଖୀ କରିବା ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେ ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ଦୂରତା କେତେ? ଆଉ କେତେବାଟ ଗଲେ ଏକ ନୂଆ ଓଡ଼ିଶା ଗଠନ ସ୍ବପ୍ନ ସାର୍ଥକ ହେଲା ବୋଲି ରାଜ୍ୟବାସୀ ଅନୁଭବ କରିବେ? ଏହି ବିକାଶ ପ୍ରକ୍ରିୟାରେ କାହାର ଭାଗ କେତେ? ଏଭଳି କିଛି ପ୍ରଶ୍ନ ନୂଆବର୍ଷ ସକାଳୁ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିବା ସ୍ବାଭାବିକ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ସରକାରରେ ଯେବେ ସକ୍ରିୟତା ଦେଖାଯାଏ, ସେବେ ବିରୋଧୀ ରାଜନୈତିକ ଦଳ, ପ୍ରଶାସନ, ନ୍ୟାୟାଳୟ, ସର୍ବୋପରି ଗଣମାଧ୍ୟମର ଦାୟିତ୍ବ ବହୁଗୁଣିତ ହୋଇଥାଏ। ଏଣୁ ସରକାର ବିକାଶର ନକ୍ସା ଧରି ଆଗକୁ ଯିବା ବେଳେ ଧର୍ଯ୍ୟ ଓ ସଂଯମ ରଖିବା ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ଶକ୍ତି ଅତ୍ୟନ୍ତ ସଂଭ୍ରମତାର ସହିତ ଗଠନମୂଳକ ପ୍ରସ୍ତାବ ରଖି ଶାସକଙ୍କ ଭୁଲ ଠିକ୍‌ ବତାଇବା ମଧ୍ୟ ସେତିକି ଅପରିହାର୍ଯ୍ୟ। ଏମିତିରେ ବି ୨୦୨୧ ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ବ ବହନ କରେ। ଚାରିଟି କ୍ଷେତ୍ରରେ ନିର୍ବାଚନ ବା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତିର ସମ୍ଭାବନା ରଖୁଛି। ବର୍ଷ ଆରମ୍ଭରୁ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ। ୨୦୨୦ରେ ସରକାର ଉଭୟ ସମବାୟ ଓ ପୌର ନିର୍ବାଚନକୁ ଏଡ଼ାଇ ଯାଇଛନ୍ତି।

ଏବର୍ଷ ଏହି ନିର୍ବାଚନ ରାସ୍ତା ନ ଖୋଲିଲେ, ନେତୃତ୍ବର ଦୁର୍ବଳତା ପଦାରେ ପଡ଼ିବାର ଭୟ ରହିଛି। ୨୦୨୨ ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏବର୍ଷ ଉଭୟ ଶାସକ, ବିରୋଧୀ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିବେ।

ଏସବୁ କାରଣରୁ ସମ୍ଭବତଃ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ମୋଡ଼ ବଦଳାଇଛନ୍ତି। ହେଲେ ଯେଉଁ କଥାଟି ରାଜନୈତିକ ସମୀକ୍ଷକଙ୍କୁ ବିସ୍ମିତ କରୁଛି, ତାହା ହେଲା ପ୍ରଶାସନରେ ଭ୍ରଷ୍ଟାଚାର ଓ ଅପରାଗତା ବିରୋଧରେ ଦଣ୍ଡବିଧାନ ରାସ୍ତା ଖୋଲିଥିବା ନବୀନ ନିଜ କ୍ୟାବିନେଟ୍ ସହଯୋଗୀଙ୍କ ପ୍ରଦର୍ଶନକୁ ଏଡ଼ାଇ ଯାଉଛନ୍ତି କି? ହାତଗଣତି ଦୁଇ ତିନିଜଣଙ୍କୁ ଛାଡ଼ିଦେଲେ ମନ୍ତ୍ରିମଣ୍ଡଳ ଏତେ ଦୁର୍ବଳ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ଯେ ନୂଆ କାର୍ଯ୍ୟକ୍ରମ କଥା ଦୂରେ ଥାଉ ବର୍ଷକ ଭିତରେ ନିଜ ବିଭାଗର ଖର୍ଚ୍ଚ ହିସାବ ଦେଖିବାକୁ ବି ସମର୍ଥ ହୋଇପାରିଲେନି। ଏଣୁ ନୂଆବର୍ଷ ଏକ ସଶକ୍ତ ମନ୍ତ୍ରିମଣ୍ଡଳକୁ ଅପେକ୍ଷା କରୁଛି ଯିଏ ପ୍ରଶାସନର କାନିତଳେ ନୁହେଁ, ବରଂ ନିଜ ପାରଦର୍ଶିତା ଓ ଦୂରଦର୍ଶିତାରେ ରାଜ୍ୟକୁ ବିକାଶ ଆଡ଼କୁ ଠେଲିବାର ସାହାସ ରଖୁଥିବ।

ନବୀନଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଅବଶ୍ୟ ଗୁରୁତ୍ବ ରଖୁଛି। ଆଖିରେ ଦେଖାଯାଉଥିବା ସଂପତ୍ତିକୁ କାଗଜପତ୍ରରେ ପ୍ରକାଶ କରିବା ଏକ ବଡ଼ ନିଷ୍ପତ୍ତି। ହେଲେ ଯେତେବେଳେ ଶାସନରେ ଥିବା କିଛି ଅଫିସର ଓ ନେତା ଭ୍ରଷ୍ଟାଚାରୀ ବୋଲି ଜନଗଣଙ୍କ ସନ୍ଦେହ ହୁଏ, ସେବେ ସରକାରଙ୍କ ଦାୟିତ୍ବ ଆହୁରି ଅଧିକ ହୋଇଯାଏ। ଏଣୁ ପ୍ରକାଶ୍ୟ ସଂପତ୍ତି ସହିତ ଅଫିସର, ନେତାଙ୍କ ବେନାମୀ ସଂପତ୍ତି ଠାବ ନିର୍ଦେଶ ଦେବା ରାଜ୍ୟସରକାରଙ୍କ ଦୁର୍ନୀତିମୁକ୍ତ ଚେହେରାକୁ ଦେଶ ସାମ୍ନାରେ ଅଧିକ ପ୍ରଭାବୀ ଢଙ୍ଗରେ ପ୍ରକଟିତ କରିବ ବୋଲି ବିଶ୍ବାସ କରାଯାଉଛି।

ସମୀକ୍ଷକଙ୍କ ଆକଳନ ଆହୁରି କହୁଛି ଯେ ନବୀନ ସରକାରଙ୍କ ସଫଳତା ଯେତିକି କୋଳାହଳ ସୃଷ୍ଟି କରୁଛି, ଅଫିସରମାନଙ୍କ ଆଚରଣ ଓ ଉଚ୍ଚାରଣ ଲୋକପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ସେତିକି ସଙ୍କୁଚିତ କରିଦେଉଛି। ଏଭଳି ପରିସ୍ଥିତିରେ ସୁଧାର ସହିତ ଶାସନର ଦୃଷ୍ଟିଭଙ୍ଗୀରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ନୂଆ ଓଡ଼ିଶା ଗଠନରେ ବିଶେଷ ସହାୟକ ହେବ।

ଏମିତିରେ ବି ନିର୍ବାଚନ ବର୍ଷ ହୋଇଥିବାରୁ ନୂଆବର୍ଷ କିଛି ଆଶ୍ୱସ୍ତି ସହିତ ଆସିପାରେ। ବିରୋଧୀ ଦଳ ପଟୁ ମଧ୍ୟ ଅସମ୍ଭାଳ ଚାପ ସୃଷ୍ଟି ହୋଇପାରେ। ବର୍ଷ ଶେଷ ବେଳକୁ ବିରୋଧୀ ଦଳଗୁଡିକର ଦଣ୍ଡ ବୈଠକ ଏବଂ ସମରସଜ୍ଜା ଏହି ସମ୍ଭାବନାକୁ ଇସାରା କରୁଛି। ସେହିଭଳି ଅର୍ଥନୀତି କ୍ଷେତ୍ରରୁ ମଧ୍ୟ ସରକାରଙ୍କୁ ଅଧିକ ଦୁଶ୍ଚିନ୍ତା ମିଳିପାରେ ନୂଆବର୍ଷରେ। ଆର୍ଥିକ ଦୁଃସ୍ଥିତି ନବୀନଙ୍କ ସ୍ବପ୍ନର କାର୍ଯ୍ୟାନ୍ବୟନ ବେଳେ ସଙ୍କଟ ଆଣିପାରେ। ଏଣୁ ରାଜ୍ୟରେ ନିଜସ୍ବ ରୋଜଗାର ବୃଦ୍ଧି ପାଇଁ ବିକଳ୍ପ ରଣନୀତି ନିର୍ଧାରଣ ଯେଭଳି ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି, ଠିକ୍ ସେହିଭଳି ବେରୋଜଗାରୀର ବିଲୋପ ଏକ ଆହ୍ବାନ ପାଲଟିଲାଣି। ଉଭୟ ଅର୍ଥନୀତି ଏବଂ ନିର୍ବାଚନ ରଣନୀତିର ଏହା ଡଙ୍କ ମୋଡ଼ିଦେବାର କ୍ଷମତା ରଖିଛି। ସେହିଭଳି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ଗୁଣାତ୍ମକ ବିକାଶକୁ ଅଣଦେଖା କରି ଯେତେ ଲୋକପ୍ରିୟ ନିଷ୍ପତ୍ତି ନିଆଗଲେ ମଧ୍ୟ ତାହା ସରକାରଙ୍କ ଆଭିମୁଖ୍ୟ ପ୍ରତି ଆଙ୍ଗୁଳି ଉଠାଇବ। ଆଇନଶୃଙ୍ଖଳା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଚାର କରାଯାଉଛି। ଏଇଥିପାଇଁ ଯେ ପୁଲିସ ବିଶ୍ବସନୀୟତା ଫେରିପାଉନି। ‘୫ଟି’ ଛାଟ ବାଜିବା ପରେ ବି ପରୀ, ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପିଏ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇନପାରିବା କ୍ଷେତ୍ରରେ ବିଫଳତାର ବୋଝ ସରକାରଙ୍କ ମୁଣ୍ଡରେ ଗଲା।

ଅନ୍ୟପକ୍ଷରେ ୨୦୨୧ ରାଜନୈତିକ ଦଳ ଓ ରାଜନେତାଙ୍କ ପ୍ରତି ବିଶେଷ ଆହ୍ବାନ ରଖୁଛି। ଓଡ଼ିଶାରେ ନେତୃତ୍ବ ସଙ୍କଟ ଏବେ ଜଳ ଜଳ। ରାଜ୍ୟରେ ସର୍ବମାନ୍ୟ ଓ ଜନଗଣଙ୍କ ମନ ଜିତିବା ଭଳି ନେତାଙ୍କ ଅଭାବ ବେଶ୍ ପରିଦୃଷ୍ଟ ହେଲାଣି। ବିଶେଷକରି ଯୁବ ବର୍ଗରେ ଏହା ଉତ୍କଟ ସ୍ଥିତିରେ ରହିଛି। ସମସ୍ତଙ୍କ ସାମ୍ନାରେ ଏ ଉଦାହରଣ ରହିଛି ଯେ ଏକଦା ରାଜନୀତିରେ ପରିବାରବାଦକୁ ବିରୋଧ କରି ଓଡ଼ିଶାବାସୀ ମତଦାନ କରିଥିଲେ। ସମ୍ଭବତଃ ଭ୍ରଷ୍ଟାଚାର ସହିତ କଂଗ୍ରେସ ବିରୋଧରେ ଥିବା ଏହି ଅଭିଯୋଗ ଆଜିଯାଏ ମଳିନ ପଡ଼ିନଥିବା କାରଣରୁ ଦଳ ତୃତୀୟ ସ୍ଥାନରେ। ହେଲେ ଅନ୍ୟମାନଙ୍କୁ ଏହା ଏଯାଏ ସତର୍କ କରିପାରିନି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉତ୍ତରାଧିକାରୀ ନିର୍ଣ୍ଣୟ ଦାୟିତ୍ବ ରାଜ୍ୟବାସୀଙ୍କ ଉପରେ ଛାଡ଼ିଛନ୍ତି। ଅଥଚ ବିଜେଡିରେ ପରିବାରବାଦ ବଢିଚାଲିଛି। ନେତାଙ୍କ ପୁଅକୁ ନେତା ବାଛିବାର ନିଷ୍ପତ୍ତି ତୃଣମୂଳସ୍ତରରେ ଅନେକ ନେତୃତ୍ବର ତଣ୍ଟିଚିପି ଦେଉଛି। ଏସବୁ ବିଜେଡି ନିର୍ବାଚନ ଜିତିବା ପ୍ରକ୍ରିୟାକୁ ହୁଏତ ସହଜ କରୁଥାଇପାରେ, କିନ୍ତୁ ନବୀନ ଲିଗାସି ଏହାଦ୍ବାରା ଦୁର୍ବଳ ହେଉଛି। ସଂକ୍ଷେପରେ କହିବାକୁ ଗଲେ, ଅନ୍ୟ ଦଳ ତୁଳନାରେ ଶାସକ ଦଳର ନେତାଙ୍କୁ ‘ପୁଅ ରୋଗ’ (ଯେନତେନ ପ୍ରକାରେ ପୁଅକୁ ରାଜନୀତିରେ ଥଇଥାନ କରିବାର ମାନସିକତା) ଟିକିଏ ଅଧିକ ଗ୍ରାସିଛି। ପୁରୀଠାରୁ ଜୟପୁର ଯାଏ, ଗଞ୍ଜାମରୁ ବାଲେଶ୍ବର ସବୁଠି ଏବେ ଏହା ରାଜନୈତିକ ବିବାଦର ଗୋଟିଏ ପ୍ରମୁଖ କାରଣ।

କଂଗ୍ରେସ ଓ ବିଜେପିର ଶକ୍ତି ବୃଦ୍ଧି ନ ହେବା ପଛରେ ବି ଶୀର୍ଷ ନେତୃତ୍ବର ପରିବାରବାଦ ଅନ୍ୟତମ କାରଣ ବୋଲି କୁହାଯାଇପାରେ। ସରକାରୀ ଦଳ ଭଳି ବିରୋଧୀ ଦଳର ନେତାମାନେ ମଧ୍ୟ ଭୋଟରଙ୍କ ସନ୍ଦେହରେ ଉର୍ଧ୍ବରେ ନାହାନ୍ତି। ଧୈର୍ଯ୍ୟ, ସହନଶୀଳତା, ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା, ବିରୋଧ କରିବା ଖାତିରରେ ବିରୋଧ ନ କରି ଗଠନମୂଳକ ସମାଲୋଚନା ଲାଗି ସାମର୍ଥ୍ୟ ଯୋଗାଡ କରିବା କ୍ଷେତ୍ରରେ ସେମାନଙ୍କର ବିଫଳତା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। କ୍ଷମତାପାଇଁ ଆଶାୟୀ ବିଜେପିରେ ଗୋଷ୍ଠୀକନ୍ଦଳ ଯେଭଳି ଉତ୍କଟ ହେଲାଣି, ଅତି ଉଗ୍ର ବିରୋଧ ମାନସିକତା, ନେତାମାନଙ୍କର ଉଦ୍ଭଟ ଯୁକ୍ତି ବି ସେମାନଙ୍କ ଗ୍ରହଣୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଉଛି। ଗୋଟିଏ ଧାଡ଼ିରେ କହିଲେ ରାଜ୍ୟ ବିେଜପିରେ ବୌଦ୍ଧିକ ଲଢେଇ କ୍ରମଶଃ ଜୋର ଧରିଲାଣି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଓଡ଼ିଶାର ସ୍ବାର୍ଥ ସଂପର୍କିତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅସ୍ପଷ୍ଟ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆସିଲେ, ବିଜେପି ୨୦୨୧ରେ ଆଗକୁ ବଢ଼ିବା କଷ୍ଟକର ହୋଇପାରେ ବୋଲି ସମୀକ୍ଷକ ଆକଳନ କରୁଛନ୍ତି।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏହିବର୍ଷ ଅତ୍ୟନ୍ତ ମହତ୍ବ ରଖୁଛି। କଂଗ୍ରେସ ମୁଣ୍ଡିଆଳ େହବାରେ ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ େଶଷ ସୁେଯାଗ େହାଇପାରେ। ଅଣ ଜନତା ଦଳ େଭାଟ୍‌ର ଏକମାତ୍ର ଉତ୍ତରାଧିକାରୀ େହଉଛି କଂଗ୍ରେସ। ଏକଥା ସମ୍ଭବତଃ ସେମାନେ ହେଜିନାହାନ୍ତି।

ସମ୍ବନ୍ଧିତ ଖବର