ସବୁ ରାଜନୈତିକ ଦଳ ନିର୍ବାଚନ ପରୀକ୍ଷା ଦେବେ
ପ୍ରଶାସନ ଓ ମନ୍ତ୍ରିମଣ୍ଡଳର ନବକଳେବର ହେବ
୨୦୨୪ ନିର୍ବାଚନ ପାଇଁ ଭିତ୍ତିଭୂମି ପଡିବ
ଭୁବନେଶ୍ୱର,(ଭବାନୀ ଶଙ୍କର ତ୍ରିପାଠୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ। ସମ୍ଭବତଃ ଫେବ୍ରୁଆରି ମାସକୁ ଆଖେଇଛନ୍ତି ନିର୍ବାଚନ କମିସନ। ଜାନୁଆରି ଦ୍ବିତୀୟ ସପ୍ତାହରେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବ। ତା’ ପରେ ପରେ ହେବ ପୌର ନିର୍ବାଚନ। ଅନ୍ୟପକ୍ଷରେ ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଗୁରୁବାର ଦିନ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ଘଟିଛି। ନିୟମ ଅନୁସାରେ, ଖାଲି ପଡ଼ିଥିବା ଏହି ଆସନ ଲାଗି ୬ମାସ ମଧ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାବ୍ୟତୀତ ଜୁଲାଇ ପହିଲାରେ ତିନିଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ଡ. ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି। କେବଳ ସେତିକି ନୁହେଁ, ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ଓ ଅଗଷ୍ଟ ମାସରେ ଉପ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।
ଏତେ ସବୁ ନିର୍ବାଚନ ସହିତ ୨୦୨୨ ମସିହା ଓଡ଼ିଶାକୁ ଛୁଇଁବାକୁ ଯାଉଛି। ସ୍ବାଭାବିକ ଭାବେ ଏସବୁ ନିର୍ବାଚନର ଫଳାଫଳ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଭାଗ୍ୟ ନିର୍ଣ୍ଣୟ କରିବ। ବିଜେଡି ସରକାରର ଲୋକପ୍ରିୟତା ବଢ଼ିଛି ନା କମିଛି, ଦୁଇ ନମ୍ବର ଆସନକୁ କଂଗ୍ରେସ ଫେରିବ ନା ତୃତୀୟ ସ୍ଥାନରେ ରହିବ; ସର୍ବୋପରି ବିଜେପିର ଉତ୍ତରଣ ହେବ ନା ପୂର୍ବାପେକ୍ଷା ଦଳ ଖରାପ ପ୍ରଦର୍ଶନ କରିବ, ଏସବୁ ରାଜ୍ୟବାସୀଙ୍କ ସାମ୍ନାକୁ ଆସିବ। ଏସବୁ ନିର୍ବାଚନ ଫଳାଫଳକୁ ହାତରେ ଧରି ତିନି ପ୍ରମୁଖ ରାଜନୈତିକ ଦଳ ୨୦୨୪ ମସିହା ସାଧାରଣ ନିର୍ବାଚନକୁ ଅବଶ୍ୟ ଦେଖିବେ। ସରଳ ଭାବେ କହିଲେ, ପରବର୍ତ୍ତୀ ନିର୍ବାଚନ ପାଇଁ ଏହିବର୍ଷ ଠାରୁ ସମର ସଜ୍ଜା ଆରମ୍ଭ ହେବ। ନବୀନ ସରକାର ବି ନୂଆ ମୁଖ୍ୟ ସଚିବଙ୍କ ସହିତ ପ୍ରଶାସନିକ ଓ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ବାଧ୍ୟ ହେବେ।
ରାଜନୈତିକ ମହଲ ୨୦୨୨କୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରୁଛନ୍ତି। ବିଶେଷକରି ବିଜେଡି ପାଇଁ ଆହ୍ବାନ ହେଲା; ଏକ ନୂଆ ଓଡ଼ିଶା ଗଠନର ସ୍ବପ୍ନ ଦେଖାଇ ୨୦୦୦ ମସିହାରେ ନବୀନ କ୍ଷମତା ଚୌକିରେ ବସିଥିଲେ। ଯେବେ ୨୦୨୨ ମସିହାରୁ ସେ ୨୦୨୪ ମସିହା ଅର୍ଥାତ୍ ପରବର୍ତ୍ତୀ ସାଧାରଣ ନିର୍ବାଚନ ବର୍ଷକୁ ନଜର ପକାଉଥିବେ, ସେବେ ରାଜ୍ୟବାସୀଙ୍କ ସାମ୍ନାରେ ସେ ରଖିଥିବା ଲକ୍ଷ୍ୟ ବା ପ୍ରତିଶ୍ରୁତି ଏବଂ ବାସ୍ତବତା ମଧ୍ୟରେ କେତେ ଦୂରତା ରହିଛି ସେ ନେଇ ତାଙ୍କୁ ଜବାବ ରଖିବାକୁ ପଡ଼ିବ। ଆଉ କେତେ ବାଟ ଗଲେ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ଗଣାଯିବ ଏକଥା କହିବାକୁ ହେବ। ଯେହେତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡକୁ ଛାତ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହେଲା କି ନାହିଁ, ଏକଥା ରାଜ୍ୟବାସୀ ଅବଶ୍ୟ ପଚାରିପାରନ୍ତି।
ଆଜି ୨୦୨୨ ଜାନୁଆରି ପହିଲାରେ ପୂରା ବିଶ୍ବ ସହିତ ଓଡ଼ିଶାରେ ବି ସମସ୍ତେ ନୂଆବର୍ଷକୁ ଶୁଭେଚ୍ଛା ଜଣାଇବେ। ସେବେ ରାଜ୍ୟର ପ୍ରାୟ ପ୍ରତ୍ୟେକ ସଚେତନ ନାଗରିକ ସକାଳୁ ହିସାବ ନିକାସ କରିବେ ଯେ ଏହି ବର୍ଷ ସେମାନଙ୍କ ପାଇଁ କେମିତି କଟିବ? ରାଜ୍ୟପାଇଁ କି କି କି ଆହ୍ବାନ ରହିଛି?ଆହୁରି ଗୋଟିଏ ବଡ଼ ପ୍ରଶ୍ନ ହେଲା, ଯେବେ କରୋନାର ତୃତୀୟ ଲହର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଆକ୍ତାମାକ୍ତା କରିବାକୁ ବସିଛି, କରୋନାର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣକୁ ନେଇ ଲୋକେ ନାନା ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି, ସେବେ ଓଡ଼ିଶା ଏହାର ମୁକାବିଲା ପାଇଁ ଯଥେଷ୍ଟ ପ୍ରସ୍ତୁତି କରିଛି ତ? ଏକଥା ବି ସମସ୍ତଙ୍କ ମନକୁ ଆସିବା ଅସ୍ବାଭାବିକ ନୁହେଁ।
୨୦୦୦ ମସିହାରେ ନବୀନ ସରକାର ଶାସନକୁ ଆସିବା ବେଳେ ଦୁର୍ବଳ ଅର୍ଥନୀତିର ଚାଦର ଘୋଡେଇ ରଖିଥିଲା ଅର୍ଥମନ୍ତ୍ରୀଙ୍କ ବଜେଟ୍ ବାକ୍ସକୁ। ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନଥିଲେ। କିଛି ଜିଲ୍ଲା ଅର୍ଧାହାର ବା ଅନାହାର ଭଳି କଳଙ୍କ ମୁଣ୍ଡାଇ ବୁଲୁଥିଲା। ଆଉ କିଛି ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ ଅବସ୍ଥାରେ ପହଞ୍ଚିଥିଲା। କେତେକ ଜିଲ୍ଲାରେ ନକ୍ସଲମାନେ ସମାନ୍ତରାଳ ଶାସନ ଲାଗି ସଜବାଜ ଚଳାଇଥିଲେ। ସେହିପରି ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନ ଥିଲା। ସେ ସମୟର ସ୍ବାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ସଡକ ଓ ରେଳ ପରିବହନ ଆଦି କ୍ଷେତ୍ରର ଚେହେରାକୁ ଏକ ସୁସ୍ଥ ଚେହେରା ବୋଲି କୁହାଯାଇପାରିବ ନାହିଁ।
ଆଜି ଦିନରେ ଓଡ଼ିଶାର ଚେହେରାରେ ବଡ଼ ପରିବର୍ତ୍ତନ ଘଟିଛି। ଅର୍ଥନୀତି ଏବେ ବେଶ ସୁଦୃଢ। ଅର୍ଥନୀତି ବିଶେଷଜ୍ଞ କହିବା କଥା ହେଉଛି, ବେକାରୀ ସମସ୍ୟା ଏବେ ମଧ୍ୟ ଉତ୍କଟ ରହିଛି। ଦାଦନ ଖଟିବାକୁ ଯାଉଥିବା ୧୧ଟି ଜିଲ୍ଲାର ଲୋକଙ୍କ ହାତକୁ ରାଜ୍ୟ ଭିତରେ କାମ ଦିଆଯାଇପାରିବ କି ନାହିଁ, ତାହା ସରକାରଙ୍କ ପାଇଁ ଆହ୍ବାନ ରଖିବ। ଯାଜପୁର କଳିଙ୍ଗନଗର କୋଳରେ ଲୁଚି ରହିଥିବା ନଗଡାମାନଙ୍କୁ ସରକାର ସମାଜର ମୁଖ୍ୟ ସ୍ରୋତକୁ ଟାଣିପାରିବେ କି ନାହିଁ, ତାହା ବି ଦେଖିବାର କଥା।
ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଛନ୍ତି ଯେ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଅବଶ୍ୟ ଉପାଦେୟ ହେବ। କିନ୍ତୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସାଧାରଣ ଲୋକକୁ ସେବା ପହଞ୍ଚାଇବା, ସର୍ବୋିପରି ଏମ୍ସ ପ୍ଲସ ଅନୁଷ୍ଠାନ ସ୍ବପ୍ନ ପୂରଣ ନେଇ ସରକାରଙ୍କ ପ୍ରତିଶ୍ରୁତି ଆଗକୁ ବଢୁଛି କି ଫାଇଲ ଭିତରେ ଶଢୁଛି, ତାହା ରାଜ୍ୟବାସୀ ଲକ୍ଷ୍ୟ କରିବେ। ସେହିଭଳି ଶିକ୍ଷାବିତଙ୍କ କହିବା କଥା ହେଉଛି, ସରକାର ୨୦୨୧ ମସିହାରେ ସ୍ମାର୍ଟ ସ୍କୁଲର ପରିକଳ୍ପନା କରୁଛନ୍ତି। ହେଲେ ଏସବୁ ସ୍କୁଲର ପାଠପଢ଼ା ସ୍ମାର୍ଟ ହେଉଛି ନା ନାହିଁ, ଓଡ଼ିଶାରୁ ଅଧିକ ମେଧାବୀ ଉତ୍ତୀର୍ଣ୍ଣ ହେଉଛନ୍ତି ନା ନାହିଁ, ତାହା ଆସନ୍ତାବର୍ଷ ଓଡ଼ିଶା ପାଇଁ ଗୋଟିଏ ଚ୍ୟାଲେଞ୍ଜ ହେବ।
ସଂପ୍ରତି ଚାଷୀ ଆନ୍ଦୋଳନ ଦେଶକୁ ଦୋହଲାଇ ଦେଇଛି। ଓଡ଼ିଶାରେ ବି ଚାଷୀ ନେତାଙ୍କ ମନରେ ଅନେକ ପ୍ରଶ୍ନ। କାରଣ, ଧାନ ଚାଷରେ ରାଜ୍ୟ ଆଗରେ ଥିଲେ ସୁଦ୍ଧା ଫଳ, ପନିପରିବା ଉତ୍ପାଦନକୁ ସାଇତି ରଖି ନିଜ ଲୋକଙ୍କୁ ଦେବାରେ ଓଡ଼ିଶା ଅକ୍ଷମ। ଶୀତଳଭଣ୍ଡାର ନେଇ ସରକାରଙ୍କ ସବୁ କୌଶଳ କେବଳ ଭାଷଣବାଜିରେ ରହିଯାଇଛି। ଏ କ୍ଷେତ୍ରରେ ସୁଧାର ଆଣିବା, ଚାଷୀର ଆୟକୁ ଦ୍ବିଗୁଣ କରିବା, ସର୍ବୋପରି ଚାଷୀକୁ ତାର ପ୍ରାପ୍ୟ ଠିକ୍ ଭାବେ ମିଳିବା ଦିଗରେ ସରକାରଙ୍କୁ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିପାରେ।
ପୂର୍ବତନ ପ୍ରଶାସକ ଯେବେ ୨୦୨୨ ସଂପର୍କରେ ନିଜର ମତ ରଖୁଛନ୍ତି, ସେବେ ସୁରକ୍ଷା ପ୍ରସଙ୍ଗ ପ୍ରମୁଖତା ଲାଭ କରୁଛି। ସେମାନଙ୍କ ମତରେ ରାଜ୍ୟରେ ନକ୍ସଲ ହିଂସା ନିୟନ୍ତ୍ରଣକୁ ଆସିଲାଣି। ସୁଦୃଢ ଭିତ୍ତିଭୂମି ସତ୍ତ୍ବେ ଆଇନଶୃଙ୍ଖଳା କିନ୍ତୁ ପୂର୍ବାପେକ୍ଷା ବିଗୁଡୁଛି। ନୂଆବର୍ଷରେ ନୂଆ ପୁଲିସ ମୁଖିଆ କାମ ଆରମ୍ଭ କରିଛନ୍ତି। ରାଜ୍ୟରେ ରାଜନୈତିକ ଅପରାଧ, ନିଶା କାରବାର, ସଡକ ଦୁର୍ଘଟଣା କମାଇବା ଦିଗରେ ସେ କେତେ ସଫଳ ହେଉଛନ୍ତି, ତାହା ୨୦୨୨ ଡିସେମ୍ବର ୩୧ ତାରିଖର ପରିସଂଖ୍ୟାନ ବୟାନ କରିବ।
ସେହିଭଳି ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋସ୍କୋ ଇଣ୍ଡିଆ, ମିତ୍ତଲକୁ ଓଡ଼ିଶା ହାତଛଡା କରିଥିଲା। ଏବେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ପୁଣି ରାଜ୍ୟକୁ ଫେରିଛି। ସେପଟେ ପ୍ରସ୍ତାବିତ ପୋସ୍କୋ ସ୍ଥାନରେ ଜେଏସଡବ୍ଲୁ ସଂଘର୍ଷର ସାମ୍ନା କଲାଣି। ଶକ୍ତି କ୍ଷେତ୍ରରେ ବଳକା ବୋଲି ଦାବି କରୁଥିଲେ ହେଁ ଓଡ଼ିଶାରେ ବିଦ୍ୟୁତ କିନ୍ତୁ ମହଙ୍ଗା। ସୌରଶକ୍ତି ଆଦିରୁ ବିଦ୍ୟୁତ ଉତ୍ପାଦନରେ ରାଜ୍ୟ ପଡୋଶୀଙ୍କ ତୁଳନାରେ ପଛରେ ଏବଂ ଜଳବିଦ୍ୟୁତ କ୍ଷେତ୍ରରେ ଗୋଟିଏ େମଗାଵାଟ ବି ଯୋଡାଯାଇପାରିଲା ନାହିଁ। ଏସବୁ ଆହ୍ବାନ ସରକାରଙ୍କ ପାଇଁ ରହିବ।
ସାମାଜିକ କର୍ମୀ କିନ୍ତୁ କିଛି ପ୍ରସଙ୍ଗକୁ ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ମତରେ ଚିଟ୍ଫଣ୍ଡ ଦୁର୍ନାମ ଆଜି ଆଲୋଚନାରେ ନାହିଁ। କିନ୍ତୁ ଜମାକାରୀ ଅର୍ଥ ଫେରି ପାଇବା ଲାଗି ତଥାପି ରାଜରାସ୍ତାରେ ଯୁଝୁଛନ୍ତି। ବାରମ୍ବାର ବିପର୍ଯ୍ୟୟ ସାମ୍ନା କରୁଥିବା ଓଡ଼ିଶା ସ୍ଥାୟୀ ମୁକାବିଲା ପାଇଁ ଯେମିତି ସଂଘର୍ଷ ଜାରି ରଖିଛି, ଠିକ୍ ସେମିତି ଓଡ଼ିଶା ସୀମାର ସୁରକ୍ଷା ଓ ନଦୀନାଳ ପାଇଁ ବି ମାମଲା ଲଢୁଛି। ଏସବୁ କ୍ଷେତ୍ରରେ ନ୍ୟାୟ ମିଳିବ ତ?
ସଂସ୍କୃତି ବିଶେଷଜ୍ଞଙ୍କ ମତରେ, ଓଡ଼ିଶା ତାହାର କଳାସଂସ୍କୃତି ଓ ପର୍ଯ୍ୟଟନ ସମ୍ଭାବନା ଦୃଷ୍ଟିରୁ ପ୍ରମୁଖ ସ୍ଥାନ ହାସଲ କରିଛି। ହେଲେ କେନ୍ଦ୍ରୀୟ ଅବହେଳା ଏ କ୍ଷେତ୍ରରେ ଜଳ ଜଳ। ରାଜ୍ୟ ସରକାରଙ୍କ ନିଷ୍ଠାର ମଧ୍ୟ ଅଭାବ ରହିଛି, ଏକଥା ଆଉ କାହାକୁ ଅବୁଝା ନାହିଁ। ଏଥିରେ ପୂର୍ଣ୍ଣଛେଦ ପଡିବା ଦରକାର ଏବଂ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାର ଆଗକୁ ଆସିବା ଉଚିତ୍।
ଏସବୁ ସତ୍ତ୍ବେ ଆଶ୍ବସ୍ତର କଥା ହେଲା; ସାଂପ୍ରଦାୟିକ ଶାନ୍ତିରକ୍ଷା, କ୍ରୀଡା ବିକାଶ ଏବଂ ଐତିହ୍ୟର ସୁରକ୍ଷା ସହ ରାଜନୈତିକ ସ୍ଥିରତା ଆଣିବା େକ୍ଷତ୍ରରେ ନବୀନ ପଟ୍ଟନାୟକ ନିଜ ପାଇଁ ରାଜ୍ୟ ଭିତରେ ଓ ପୂରା ଦେଶ ସାମ୍ନାରେ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଭାବେ ପ୍ରତିଷ୍ଠା ଲାଭ କରିପାରିଛନ୍ତି। ଉଭୟ ‘୫ଟି’ ଓ ‘ମୋ ସରକାର’ ଯୋଜନା ସରକାରୀ କଳକୁ ସକ୍ରିୟ କରିଛି। ଯଦି ଭାଗ୍ୟ ଦେଇଥିବା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଶାସନ କଳ ଅଙ୍ଗୀକାରବଦ୍ଧତା ସହ ଉପଯୋଗ କରନ୍ତି ତେବେ ବିକଶିତ ଓଡ଼ିଶା ବେଶି ଦୂର ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ମତ ପ୍ରକାଶ କରନ୍ତି।