ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍: ଧର୍ମେନ୍ଦ୍ର

୨୦୨୩-୨୪ ବଜେଟ୍‌ ପ୍ରତିକ୍ରିୟା

ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତବର୍ଷ ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗ ପାଇଁ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି। ଏନ୍‌ଇପିକୁ କ୍ରିୟାନ୍ୱୟନ କରିବାରେ ଶିକ୍ଷକ ମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ। ଏଥିପାଇଁ ବଜେଟରେ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ତଥା ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବା ଭଳି ଡାଏଟ(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁସନ ଫର୍ ଏଜ୍ୟୁକେସନ ଆଣ୍ଡ୍ ଟ୍ରେନିଂ)କୁ ଅପଗ୍ରେଡେସନ କରାଯାଇଛି। ଶିଶୁଙ୍କ ଜ୍ଞାନ ବଢ଼ାଇବା ପାଇଁ ଏବଂ ସମଗ୍ର ଭାରତବର୍ଷର ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରିର କଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆମ ଦେଶର ଲକ୍ଷାଧିକ ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ କ୍ଷେତ୍ରରେ କୁଶଳୀ କରାଯିବ। ୩୦ଟି ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ। ୧୫୭ଟି ମେଡିକାଲ କଲେଜରେ ୧୫୭ଟି ନର୍ସିଂ କଲେଜ୍ ସ୍ଥାପନ ହେବ। ଦେଶରେ ୭୪୦ଟି ଏକଲବ୍ୟ ସ୍କୁଲ ଗୁଡ଼ିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ।

ସେହିପରି ୱାନ୍‌ ଡିଷ୍ଟ୍ରିକ୍ଟ- ୱାନ୍ ପ୍ରଡକ୍ଟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ୍ ନିର୍ମାଣ ହେବ। ସବୁଜ ଅର୍ଥନୀତିକୁ ଗୁରୁତ୍ୱ, ଏମ୍‌ଏସ୍‌ଏମ୍‌ଇ ଓ କର୍ପୋରେଟ୍ କ୍ଷେତ୍ର ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ। ଗ୍ରାମୀଣ ଓ କ୍ଷୁଦ୍ର ସହରକୁ ଗତି ଦେଲା ଭଳି ବଜେଟ୍ ହୋଇଛି।

ସମସ୍ତଙ୍କ ପାଇଁ ହୋଇଥିବା ଏହି ବଜେଟ୍ ଗରିବଙ୍କୁ ସଶକ୍ତ କରିବ ଏବଂ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଲାଭ ପହଞ୍ଚିବ। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଅର୍ଥନୀତି ଏବଂ ରୋଜଗାର କ୍ଷେତ୍ରକୁ ମଜଭୂତ କରିବା ଭଳି ବଜେଟ୍। ଏହି ବଜେଟ୍ ଭାରତ ପାଇଁ ଏକ ଦାୟିତ୍ୱବାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଦେଶକୁ ଟେକ୍ନୋଲୋଜି ଭିତ୍ତିରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ। କେବଳ ଏତିକି ନୁହେଁ, ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ହୋଇଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏହି ବଜେଟ୍ ବିକଶିତ ଭାରତର ମୂଳଦୁଆ ପକାଇଛି। ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳାମାନଙ୍କୁ ବ୍ୟବସାୟ ସହ ଯୋଡ଼ିବା ଏବଂ ସଶକ୍ତ ଓ ଆତ୍ମନିର୍ଭର କରିବା ଦିଗରେ ଧ୍ୟାନ ଦିଆଯାଇଛି। ଏକବିଂଶ ଶତାବ୍ଦୀର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି। ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଟିକସ ରିହାତି ନିମ୍ନ ଓ ମଧ୍ୟବିତ୍ତଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରିବ। ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି। ଚ୍ୟାଲେଞ୍ଜିଂ ଆଧାରରେ ୫୦ଟି ଅତିରିକ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ହେବା ଦ୍ୱାରା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର