ବାଜିରେ ୨୦୨୪; ସବୁ ନିୟମ ଛତ୍ରଛାଳ

ପଦ୍ମପୁର, (ଅରବିନ୍ଦ ଦାସ): ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟ ପରେ ଯାହା ଆଶା/ଆଶଙ୍କା କରାଯାଉଥିଲା, ଠିକ୍ ତାହା ହିଁ ହେଲା। ପଦ୍ମପୁର ଉପନିର୍ବାଚନର ଉଷ୍ମତା, ପୂର୍ବର ସବୁ ଉପନିର୍ବାଚନକୁ ଟପିଗଲା। ପ୍ରାୟ ଦୁଇ ସପ୍ତାହ ହେଲା ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଦୃଶ୍ୟପଟ୍ଟ ଏହିପରି:- ମାଳମାଳ ଏସ୍‌ୟୁଭି ଗାଡ଼ି, ସେଥିରେ ପ୍ରତି ୧୦ଟିରୁ ୭/୮ଟି OD-02 ନମ୍ବର ଗାଡ଼ି। ଅର୍ଥାତ୍ ଏଇ ହାଇ ପ୍ରଫାଇଲ୍ ନିର୍ବାଚନରେ ଭୁବନେଶ୍ବରର ରାଜନେତା ଓ କର୍ମୀ ବହୁ ସଂଖ୍ୟାରେ ମାଡ଼ିଆସିଛନ୍ତି। ଯୁଆଡ଼େ ଗଲେ ମାଳମାଳ ଚିହ୍ନାଅଚିହ୍ନା ଛୋଟବଡ଼ ସାମ୍ବାଦିକ। ପଦ୍ମପୁର, ବରଗଡ଼, ପାଟଣାଗଡ଼ ଓ ନୂଆପଡ଼ାର କୌଣସି ହୋଟେଲରେ ଆଉ ଜାଗା ନାହିଁ। ରାଜ୍ୟ ପୁଲିସ ଓ ଗ୍ରାମରକ୍ଷୀଙ୍କ ଉପସ୍ଥିତିକୁ ବଳିଯାଉଛି ଛକଛକରେ ବନ୍ଧୁକଧାରୀ କେନ୍ଦ୍ରୀୟ ଫୋର୍ସର ଉପସ୍ଥିତି। ପୋଷ୍ଟର୍, ବ୍ୟାନର୍ ଓ ହୋର୍ଡ଼ିଂରେ ଆଚ୍ଛାଦିତ ହୋଇଯାଇଛି ସାରା ନିର୍ବାଚନମଣ୍ଡଳୀ। ସୋହେଲା, ନୂଆପଡ଼ା ଓ ପାଟଣାଗଡ଼ ରାସ୍ତାରେ ସହସ୍ର ସଂଖ୍ୟାରେ କର୍ମୀମାନଙ୍କ ପାଇଁ ଭୋଜିଭାତ ଚାଲିଛି। ଦଳପିଛା ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ନିର୍ବାଚନ ଅୟୋଗଙ୍କ ଅଙ୍କୁଶକୁ କିଏ ପଚାରେ! ଶହଶହ କୋଟିର କାରବାର।

ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ମତଦାତାମାନେ ୨୦୧୯ ସାଧାରଣ ନିର୍ବାଚନରେ ପରିପକ୍ବତା ଦେଖାଇସାରିଛନ୍ତି। ସବୁ ବିଧାନସଭା ଖଣ୍ଡରେ ବିଜେଡି ବିଧାୟକ, ଅଥଚ ସାଂସଦ ବିଜେପିର। ତେଣୁ ସମଗ୍ର ରାଜ୍ୟବାସୀଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିବା ଏହି ନିର୍ବାଚନରେ ସେମାନେ କିପରି ପଛୁଆ ହୁଅନ୍ତେ! ସାମ୍ବାଦିକମାନେ କିଛି ଟେର୍ ପାଇପାରୁନାହାନ୍ତି। କିଏ ଜିତିବ ବା କିଏ ଆଗୁଆ ବୋଲି ଯାହାକୁ ପ୍ରଶ୍ନ କଲେ ପ୍ରାୟ ସେଇ ସମାନ ଉତ୍ତର। ଉନ୍ନିଶ୍-ବିଶ୍। ଆହୁରି ଗୁଡ଼େଇତୁଡ଼େଇ ପ୍ରଶ୍ନକଲେ ଉତ୍ତର ମିଳିବ, ପଏସା ଆସୁ ଜନାପଡ଼୍‌ବା। ଏତେ ବଡ଼ବଡ଼ ପ୍ରସଙ୍ଗ ଥିବା ସତ୍ତ୍ବେ ମତଦାତାମାନେ ସେ ନେଇ ବିଶେଷ ଚିନ୍ତିତ ଥିବାଭଳି ଲାଗୁନାହିଁ। ପଡ଼ୋଶୀ ବିଜେପୁର ଉପନିର୍ବାଚନର ପୂର୍ବ ପ୍ରଭାବ ଏଥର ଏଠି ସ୍ପଷ୍ଟ ଅନୁଭୂତ ହେଉଛି।

India Today

ପଦ୍ମପୁର ଉପନିର୍ବାଚନର ଫଳାଫଳ ଓଡ଼ିଶାରେ ୨୦୨୪ ନିର୍ବାଚନକୁ ପ୍ରଭାବିତ କରିବା ସ୍ପଷ୍ଟ। ଏନେଇ ଉଭୟ ବିଜେଡି-ବିଜେପି ସଚେତନ। ଧାମନଗର ବିଜୟ ପରେ ସ୍ବାଭାବିକ ଭାବେ ବିଜେପି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି। ସେମାନେ ଜାଣନ୍ତି, ବିଜେଡିର ଏଇ ୱିକେଟ୍‌ଟି ପକାଇପାରିଲେ ବିଜେଡି ଦୋହଲିଯିବ।

 

ଅନେକ ରାଜେନ୍ଦ୍ର ଦାସ ବାହାରିବେ। ଶାସନରୁ ବିଜେଡିକୁ ହଟାଇବା ଯେ ସମ୍ଭବ, ଅନ୍ତତଃପକ୍ଷେ ଏଭଳି ଏକ ବାର୍ତ୍ତା ଯିବ। ଆହୁରି ମଧ୍ୟ, ନିଜ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅପେକ୍ଷାକୃତ ଢେର୍ ଦକ୍ଷ। ତେଣୁ ବିଜେଡିକୁ ମାତ୍ ଦେବାପାଇଁ ଏପରି ସୁଯୋଗକୁ ହାତଛଡ଼ା କରିବାକୁ ଚାହିବନି ଦଳ। ପୂର୍ବରୁ ପଞ୍ଚାୟତ ନିର୍ବାଚନ ଓ ଉପନିର୍ବାଚନ ଗୁଡ଼ିକରେ ଦଳ ବିଜେଡିକୁ ଏକରକମ ୱାକ୍‌ଓଭର୍ ଦେଇଆସୁଥିଲା। ତେବେ ଧାମନଗରଠୁ ଦଳ ଆନ୍ତରିକତାର ସହ ଲଢ଼ିବା ଆରମ୍ଭ କରିଛି। ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ପଡ଼ୋଶୀ ଛତିଶଗଡ଼ର ସାଂସଦଙ୍କୁ ଆଣି ପ୍ରଚାରରେ ସାମିଲ କରିଛି ଦଳ। ରାଜ୍ୟରେ ଦଳର ଶୀର୍ଷନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟତମ ଜନପ୍ରିୟ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଗୋଟିଏ ମଞ୍ଚକୁ ଆଣିବାରେ ଦଳ ଏକରକମ ବିଫଳ ହୋଇଥିବା ସତ୍ତ୍ବେ ସମସ୍ତେ ଦଳକୁ ଜିତାଇବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତୃତ୍ବ ମଧ୍ୟ ଭଲଭାବେ ଜାଣନ୍ତି, ଏହି ନିର୍ବାଚନ ହାରିଗଲେ ଦଳକୁ ସମ୍ଭାଳିବା ମୁସ୍କିଲ ହୋଇଯିବ। ତେଣୁକରି ଦଳ ମୁଖ୍ୟମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି। ବିଜେପି ଜିତୁ କି ନ ଜିତୁ ଏହା ଦଳର ଏକ ପ୍ରାରମ୍ଭିକ ସଫଳତା ବୋଲି ସମୀକ୍ଷକମାନେ କହିବା ଆରମ୍ଭ କଲେଣି।

Image Courtesy of India Today

ପୂର୍ବରୁ ଯେତେ ନିର୍ବାଚନ ହୋଇଛି, ବିଜେଡିର ବିଜୟକୁ ଅବଧାରିତ ଓ ଅବଶ୍ୟମ୍ଭାବୀ ବୋଲି ସମସ୍ତେ ଧରିନେଉଥିଲେ। କେବଳ ବିଜୟ ବ୍ୟବଧାନକୁ ନେଇ ଚର୍ଚ୍ଚା ହେଉଥିଲା। ୨୦-୩୦ ହଜାର ତଳକୁ କେହି କଥା ହେଉନଥିଲେ। କ୍ରମାଗତ ଫଳାଫଳ ମଧ୍ୟ ସେପରି ଆସ୍ଫାଳନକୁ ବଳ ଦେଉଥିଲା। ଏଥର କିନ୍ତୁ ବିଜେଡି ନେତାମାନେ ମଧ୍ୟ ସେପରି ବାହାସ୍ଫୋଟ ମାରିବାକୁ ସାହସ କୁଳାଇ ପାରୁନାହାନ୍ତି। ବ୍ଲକ୍‌ ପିଛା ୨-୩ ହଜାର ଓ ପୂରା ନିର୍ବାଚନମଣ୍ଡଳୀରେ ୫-୧୦ ହଜାର ବ୍ୟବଧାନରେ ଗଳିଆସିବୁ ବୋଲି କହୁଛନ୍ତି। ଚୂଡ଼ାନ୍ତ ପରିଣାମ ଯାହା ହେଉନା କାହିଁକି କିଛି ଏପରି ଫ୍ୟାକ୍ଟର୍ ରହୁଛି ଯେଉଁଥିରେ ବିଜେଡି ବ୍ୟାକ୍‌ଫୁଟ୍‌ରେ ରହିବାକୁ ବାଧ୍ୟ ହୋଇଛି। ପ୍ରାର୍ଥୀଚୟନକୁ ନେଇ ଦଳରେ ସହମତି ନଥିବା ଜଳଜଳ ଦିଶୁଛି। କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀଚୟନରେ ତ୍ରୁଟି କରିବା କିମ୍ବା ଖାମଖିଆଲି ନୀତି ଆପଣାଇବା ଯୋଗୁଁ ଶାସକ ଦଳର ଅହଂକାର ପ୍ରତିଫଳିତ ହେଉଥିବା ନେଇ ତଥ୍ୟାଭିଜ୍ଞ ମହଲ ଆଲୋଚନା କରୁଛନ୍ତି। ଭଲ ପ୍ରାର୍ଥୀ ଦେଇଥିଲେ ବିଜେଡିକୁ ଏତେ କସରତ କରିବା ପାଇଁ ପଡ଼ିନଥା’ନ୍ତା କି ବିଦେଶିନୀ ପ୍ରସଙ୍ଗ ଉଠାଇବାକୁ ଅପରାଜିତା ସୁଯୋଗ ପାଇନଥା’ନ୍ତେ ବୋଲି ହେଉଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଅମୂଳକ କହାଯାଇପାରିବ ନାହିଁ। ଆଚରଣବିଧି ଲାଗୁ ହେବା ପୂର୍ବରୁ ପଦ୍ମପୁର ପାଇଁ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ସହ ପରୋକ୍ଷ ଭାବେ ଜିଲ୍ଲାଗଠନର ସୂଚନା ଦେବା ସତ୍ତ୍ବେ ଦଳ ସ୍ପଷ୍ଟ ଭାବେ ସୁବିଧାଜନକ ସ୍ଥିତିରେ ନରହିବା ଭିନ୍ନ କିଛି କହୁଛି।

କେବଳ ବ୍ୟୟବହୁଳ ନୁହେଁ, ଏହି ନିର୍ବାଚନ ଆହୁରି ଅନେକ ଦୃଷ୍ଟିରୁ ଖରାପ ପରମ୍ପରା ସୃଷ୍ଟି କରୁଛି। ଓଡ଼ିଶାରେ ସାଧାରଣତଃ ଜାତି ଭିତ୍ତିରେ ନିର୍ବାଚନ ହୁଏନାହିଁ। ଜାତିକୁ ନେଇ ଏତେ ଖୋଲାଖୋଲି କାର୍ଡ ଖେଳାଯିବା ଓଡିଶାରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏପଟେ ଦୁଇଟି ସମାଜ ପାଇଁ ପ୍ୟାକେଜ୍ ଘୋଷଣା ଓ ସେପଟେ ପୂର୍ବତନ ସାଂସଦଙ୍କୁ ଦଳରେ ସାମିଲ କରି ଏକ ନିର୍ଦ୍ଦିଷ୍ଟ ଜାତିକୁ ପ୍ରଲୋଭିତ କରିବା ପ୍ରକରଣ -ଏଣିକି ପ୍ରତି ନିର୍ବାଚନରେ ଉଦାହରଣ ଭାବେ କାର୍ଯ୍ୟ କରିବ। ସେହିପରି ଜିଲ୍ଲା ଗଠନକୁ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାସ୍ତିବାଣୀ, ସାଂସଦ ସସ୍ମିତ ଓ ବିଧାୟକ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ କଥା କଟାକଟି ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଆଉ ପାଦେ ଆଗେଇଯାଇ ୨୦୨୩ରେ ପଦ୍ମପୁର ଜିଲ୍ଲା ହେବା ନେଇ ଘୋଷଣା କରିଛନ୍ତି। ଏଗୁଡ଼ିକୁ ଏଇଥି ପାଇଁ ବିଜେଡିର ମାଷ୍ଟରଷ୍ଟ୍ରୋକ୍ ବୋଲି କହାଯିବ, ଆଚରଣବିଧି ଉଲ୍ଲଂଘନ ସତ୍ତ୍ବେ ବିଜେପି ଅକଳିଆ ପରିସ୍ଥିତିରେ ପଡ଼ୁଛି। କାରଣ ଭୋଟ୍ କଟିବା ଆଶଙ୍କାରେ ଏଗୁଡ଼ିକ ବିରୋଧରେ ନିର୍ବାଚନ ଆୟୋଗକଙ୍କ ନିକଟରେ ଫେରାଦ ମଧ୍ୟ ହୋଇପାରିବ ନାହିଁ। ସେହିପରି ସାଂସଦ ସୁରେଶ ପୂଜାରୀ ଓ ପୂର୍ବତନ ବିଧାୟକ ସୁଶାନ୍ତ ସିଂହଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ରାଜନୀତିର ଶାଳୀନତା ଉଲ୍ଲଂଘନ ହେଉଥିବା ସ୍ପଷ୍ଟ।

ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ତିନୋଟି ସ୍ଥାନରେ ତାଙ୍କ ସଭା ଆୟୋଜନରେ ବିଜେଡିର ସାଙ୍ଗଠନିକ ଦକ୍ଷତା ପ୍ରତିଫଳିତ ହୋଇଛି। ଏହି ନିର୍ବାଚନକୁ ଦଳ କେତେ ବ୍ୟବସ୍ଥିତ ଢଙ୍ଗରେ ଲଢୁଛି କେବଳ ଗୋଟିଏ ଉଦାହରଣରୁ ଜାଣିହେବ। ପଦ୍ମପୁର ଏନ୍ଏସିର ୮ଓ ୯ ନମ୍ବର ୱାର୍ଡ ଦାୟିତ୍ୱରେ ରାଉରକେଲା ବିଧାୟକ ସାରଦା ନାୟକ ଓ ୨ ନମ୍ବର ୱାର୍ଡ ଦାୟିତ୍ୱରେ ବରିଷ୍ଠ ନେତା ପ୍ରଭାତ ଆଦିତ୍ୟ ମିଶ୍ର ଦାୟିତ୍ୱରେ ରହିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଭାରେ ବାହାର ଅଞ୍ଚଳରୁ ସହସ୍ର ସଂଖ୍ୟରେ ଲୋକ ଆଣିଥିଲେ ମଧ୍ୟ ଏକ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଦଳ। ବେଶ୍ କିଛି ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଛନ୍ତି। ୨୦୨୪ରେ ଦୁଇ ଦଳ ପରସ୍ପର ବିରୋଧରେ ଭଲଭାବେ ଲଢ଼ିବାର ସୂଚନା ମିଳୁଛି। ଶନିବାର ପ୍ରଚାରର ଶେଷ ଦିନ ଧର୍ମେନ୍ଦ୍ରଙ୍କ ରୋଡ଼୍‌-ଶୋ’ ପରେ ଦୁଇ ଦଳର ସ୍ଥିତି ତଥା ଆଭିମୁଖ୍ୟକୁ ନେଇ ଦୃଶ୍ୟପଟ୍ଟ ଆହୁରି ସ୍ପଷ୍ଟ ହୋଇଯିବ।

କଂଗ୍ରେସ ୨୦୧୯ ନିର୍ବାଚନରେ ପାଇଥିବା ୩୨ ହଜାର ଭୋଟକୁ ଦଳର ଟାର୍ଗେଟ୍ ନ ଭାବି ଗତ ପଞ୍ଚାୟତ ନିର୍ବାଚନରେ ପାଇଥିବା ପ୍ରାୟ ୧୦ ହଜାର ଭୋଟକୁ ଦଳ ଟାର୍ଗେଟ୍ ଧରିନେବା କଥା ହିଁ ଦଳର ସ୍ଥିତିକୁ ସୂଚାଉଛି।

ସମ୍ବନ୍ଧିତ ଖବର