ବେଙ୍ଗାଲୁରୁ ଇଟା ଭାଟିରୁ ଉଦ୍ଧାର ହେଲେ ୨୦୪ ଶ୍ରମିକ

ଓଡ଼ିଶା ଶ୍ରମ ବିଭାଗର ପଦକ୍ଷେପ

ଭୁବନେଶ୍ବର : ଶ୍ରମିକଙ୍କ ପ୍ରତି ସମ୍ବେଦନଶୀଳ ହୋଇଛନ୍ତି ସରକାର। ଶ୍ରମିକ ଚାଲାଣରେ ରୋକ ଲଗାଇବା ସହ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ‌ ଯୋଗାଇ ଦେବା ପାଇଁ ରାଜ୍ୟ ଶ୍ରମ ବିଭାଗ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ବିଭାଗ ପକ୍ଷରୁ ବେଙ୍ଗାଲୁରୁର ଉପାନ୍ତ ଅଞ୍ଚଳରେ ଇଟା ଭାଟିରେ ଅତି ଦୟନୀୟ ଭାବେ ଜୀବନ ଜିଉଁଥିବା ୪୩ ଜଣ ଶିଶୁ ଶ୍ରମିକଙ୍କ ସମେତ ମୋଟ୍‌ ୨୦୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି। ଜାନୁଆରି ୩୦ ତାରିଖରେ ‘ମୋ ସରକାର’ କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ହେବା ପରେ ଶ୍ରମ ବିଭାଗର ଏହା ଏକ ପ୍ରମୁଖ ସଫଳତା।

ଉଦ୍ଧାର କରାଯାଇଥିବା ଶ୍ରମିକମାନେ ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ଏଇ ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ମଙ୍ଗଳବାର କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଉତ୍ତର ସବଡିଭିଜନ ଅନ୍ତର୍ଗତ ବିଲାକେରେ ଓ ୟେଲହାଙ୍କା ଅଞ୍ଚଳରେ ଏକକାଳୀନ ଚଢ଼ଉ ପରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଥମ ଦଫାରେ ୧୫୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବ‌େଳେ ଦ୍ବିତୀୟ ପର୍ଯ୍ୟାୟରେ ୫୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଏଇ ମାମଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁକ୍ତିଭିତ୍ତିକ ଶ୍ରମିକ ପ୍ରଥା (ବିଲୋପନ) ଆଇନ୍‌ ଧାରା ୧୬, ୧୭, ୧୮, ଶିଶୁ ଶ୍ରମିକ ନିରୋଧ ଓ ଅଧିନିୟମ ଆଇନ ଧାରା ୧୪ ଏବଂ ଆଇପିସିର ଧାରା ୩୪, ୩୭୦ ଓ ୩୭୪ ଅନୁସାରେ ଏତଲା କରାଯାଇଛି। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି।
ଉଦ୍ଧାର ହୋଇଥିବା ଶ୍ରୀଦେବୀଙ୍କ କହିବା ମୁତାବକ, ସେମାନଙ୍କ ପରିବାରର ୩ ଜଣ ସେଠାରେ ଭାତ ତୋରାଣି ପିଇ ପଡ଼ି ରହି କାମ କରୁଥିଲେ। କେବଳ ମଧ୍ୟାହ୍ନ ଓ ରାତିରେ ହିଁ ଦୁଇ ଓଳା ଏଇଭଳି ଖାଇବାକୁ ଦିଆଯାଉଥିଲା। ସବୁବେଳେ ସେଇ ସମାନ ଓ ନିର୍ଦିଷ୍ଟ ପରିମାଣର ଖାଦ୍ୟ ଦିଆଯାଉଥିଲା। ତେଣୁ ଅନେକ ସମୟରେ ଭୋକକୁ ମାରି ରହିବାକୁ ପଡ଼ୁଥିଲା। ମୋ ୩ ବର୍ଷର ପୁଅକୁ ମଧ୍ୟ ଏସବୁ ଖାଇବାକୁ ପଡ଼ୁଥିଲା ବୋଲି ଶ୍ରୀଦେବୀ କହିଛନ୍ତି।

ଏକ ଡାକ୍ତରୀ ଓ ନର୍ସ ଦଳ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥିସହ ଶିଶୁମାନଙ୍କୁ ବିଭିନ୍ନ ପ୍ରତିଷେଧକ ଟିକା ଦିଆଯାଇଛି। ସେମାନେ ଆଜି ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି।

ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଭଳି ୪ଟି ଜିଲ୍ଲା ଅନ୍ତର୍ଗତ ୨୦ଟି ବ୍ଳକର ୪ଶହରୁ ଊର୍ଧ୍ବ ପଞ୍ଚାୟତରୁ ଯାଇ ଦାଦନ ଶ୍ରମିକ ଭାବେ ଜୀବିକା ନିର୍ବାହ କରୁଥିବା ଶ୍ରମିକମାନଙ୍କ ପାଇଁ ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଥିଲେ। ରାଜ୍ୟ ବାହାରେ ବିଭିନ୍ନ ପ୍ରଦେଶରେ ରହୁଥିବା ଶ୍ରମିକଙ୍କ ନିମନ୍ତେ ‘ଇ-ଶ୍ରମିକ ସମାଧାନ’ ମଧ୍ୟ ଲୋକାର୍ପିତ ହୋଇଥିଲା। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ନେଇ ଶ୍ରମିକଙ୍କ ନିମନ୍ତେ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଥିବା ବେଳେ ଦାଦନ ଖଟିବାକୁ ଚାଲିଯାଉଥିବା ଓଡ଼ିଆ ଶ୍ରମିକଙ୍କ ନିରାପତ୍ତା ଓ କଲ୍ୟାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ଶ୍ରମିକଙ୍କ କ୍ଷେତ୍ରରେ ଏହାକୁ ଗୁରୁତ୍ବ ଦିଆଯାଇଛି।

ଦାଦନ ଶ୍ରମିକଙ୍କ ଜୀବନ ଧାରଣର ମାନ ଅଭିବୃଦ୍ଧି ସହ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଶ୍ରମ ବିଭାଗ ପକ୍ଷରୁ ଇ-ଶ୍ରମିକ ସମାଧାନର ବ୍ୟବସ୍ଥା ଥିବା ବ‌େଳେ ୨୪ ଘଣ୍ଟିଆ ଶ୍ରମିକ ସହାୟତା ହେଲପଲାଇନ ଓ ସ୍ବତନ୍ତ୍ର ପ୍ୟାକେଜ୍‌ମାନ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର