କଟକ: ରାଜ୍ୟରେ ସମ୍ପତ୍ତି ଜନିତ ଆପରାଧିକ ମାମଲାରେ ଲୁଟ୍ ହେଉଥିବା ଟଙ୍କା, ସୁନା ଅଳଙ୍କାର ଓ ମୂଲ୍ୟବାନ୍ ସାମଗ୍ରୀ ଜବତ କରିବା କ୍ଷେତ୍ରରେ ଓଡ଼ିଶା ପୁଲିସ ଏତେ ଦୁର୍ବଳ ଯେ ଏହାକୁ ଚୋରଖଣ୍ଟ ଖାଇଯାଉଛନ୍ତି। ଗଲା ୯ ବର୍ଷ ଭିତରେ ଓଡ଼ିଶାରେ ୨ ହଜାର ୬୩ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ଏଥିରୁ ମାତ୍ର ୩୪୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଅବଶିଷ୍ଟ ୧ହଜାର ୭୨୦ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରଖଣ୍ଟଙ୍କ ହାବୁଡ଼ରୁ ପୁଲିସ ଉଦ୍ଧାର କରିପାରିନାହିଁ। ଜବତ ହାର ମାତ୍ର ୧୭ ପ୍ରତିଶତ। ଏଭଳି ସଂଗିନ ଚିତ୍ର ଏବେ ଓଡ଼ିଶା ପୁଲିସ ଅଧିକାରୀଙ୍କ ତଦନ୍ତ ଦକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି କରିଛି।

Advertisment

ଓଡ଼ିଶା ପୁଲିସର ତଥ୍ୟ ମୁତାବକ, ରାଜ୍ୟରେ ୨୦୧୪ରେ ୨୦୨ କୋଟି ୪୦ ଲକ୍ଷ ଟଙ୍କାର ମୂଲ୍ୟବାନ ସମ୍ପତ୍ତି ଚୋରି ହୋଇଥିଲା ବେଳେ ସେଥିରୁ ୩୩ କୋଟି ୯୦ ଲକ୍ଷ ଜବତ ହୋଇଛି। ଅର୍ଥାତ୍‌ ମାତ୍ର ୧୬.୭ ପ୍ରତିଶତ ସମ୍ପତ୍ତି ସେହି ବର୍ଷ ଜବତ ହୋଇଛି। ୨୦୧୫ରେ ୧୧୧ କୋଟି ୪୦ ଲକ୍ଷ ଚୋରି ହୋଇଥିବା ବେଳେ ସେଥିରୁ ୩୫କୋଟି, ଅର୍ଥାତ୍‌ ୩୧.୪ ପ୍ରତିଶତ ଜବତ ହୋଇଛି। ୨୦୧୬ରେ ୧୧୧ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ୨୮ କୋଟି ୪୦ ଲକ୍ଷ ଜବତ ହୋଇଥିଲା; ଯାହା ୨୫.୫ ପ୍ରତିଶତ। ୨୦୧୭ରେ ୧୩୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ଜବତ ହୋଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। ଯାହା ମୋଟ ଚୋରିର ମାତ୍ର ୨୯.୬ ପ୍ରତିଶତ। ୨୦୧୮ରେ ୧୧୯ କୋଟି ୩୦ ଲକ୍ଷ ଲୁଟ୍‌ ଟଙ୍କାରୁ ଜବତ ହୋଇଛି ୩୪ କୋଟି ୪୦ ଲକ୍ଷ ଟଙ୍କା ବା ୨୮.୮ ପ୍ରତିଶତ। ୨୦୧୯ରେ ୧୨୯ କୋଟି ୭୦ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ଜବତ ହୋଇଛି ୪୦ କୋଟି ୫୦ ଲକ୍ଷ ଟଙ୍କା ବା ଚୋରି ସମ୍ପତ୍ତିର ୩୧.୨ ପ୍ରତିଶତ। ସେହିପରି ୨୦୨୦ରେ ମୋଟ ୧୩୭ କୋଟି ୩୦ ଲକ୍ଷ ଟଙ୍କାର ଚୋରି ସମ୍ପତ୍ତିରୁ ମାତ୍ର ୪୦ କୋଟି ୩୦ ଲକ୍ଷ ଜବତ ହୋଇଛି, ଯାହା ମୋଟ ଚୋରି ପରିମାଣର ୨୯.୩ ପ୍ରତିଶତ। ୨୦୨୧ରେ ୮୪୭ କୋଟି ୫୦ ଲକ୍ଷ ଟଙ୍କାରୁ ୪୩ କୋଟି ୧୦ ଲକ୍ଷ ଟଙ୍କା ବା ମୋଟ ଚୋରି ସମ୍ପତ୍ତିର ମାତ୍ର ୫.୧ ପ୍ରତିଶତ ଜବତ ହୋଇଛି। ୨୦୨୨ରେ ୨୭୧ କୋଟି ୪୦ ଲକ୍ଷ ଟଙ୍କାର ଚୋରି ସମ୍ପତ୍ତିରୁ ୪୮ କୋଟି ୧୦ ଲକ୍ଷ ଟଙ୍କା ବା ଚୋରି ହୋଇଥିବା ସମ୍ପତ୍ତିର ୧୭.୭ ପ୍ରତିଶତ ଜବତ ହୋଇଛି। 

୯ ବର୍ଷରେ ଲୁଟିଛନ୍ତି ୨୦୬୩.୪ କୋଟି
ମିଳିଛି ମାତ୍ର ୩୪୩ କୋଟି ୧୦ ଲକ୍ଷ
ସମ୍ପତ୍ତି ଜବତରେ ଓଡ଼ିଶା ପୁଲିସ ଦୁର୍ବଳ
ଜବତ ହାର ମାତ୍ର ୧୭ ପ୍ରତିଶତ

ମୋଟାମୋଟି ୯ ବର୍ଷର ଚିତ୍ର ଉପରେ କହିବାକୁ ଗଲେ ଲୁଟ୍ ସମ୍ପତ୍ତିର ମାତ୍ର ୧୬.୬୨ ପ୍ରତିଶତ ସମ୍ପତ୍ତି ଜବତ ହୋଇଥିବା ବେଳେ ଅବଶିଷ୍ଟ ୮୩.୩୮ ପ୍ରତିଶତ ସମ୍ପତ୍ତିର ପତ୍ତା ମିଳିପାରିନାହିଁ। ଜବତ ହେଉଥିବା ସମ୍ପତ୍ତିର ପ୍ରତିଶତ କ୍ରମାଗତ ଭାବେ କମି କମି ଯାଉଥିବାରୁ ଏହା ତଦନ୍ତକାରୀ ଅଧିକାରୀଙ୍କ ଦୁର୍ବଳତା ସାମ୍‌ନାକୁ ଆଣୁଥିବା କୁହାଯାଉଛି। ଏହି ପ୍ରସଙ୍ଗରେ ଅବସରପ୍ରାପ୍ତ ପୁଲିସ ଡିଜି ଗୋପାଳ ନନ୍ଦଙ୍କ କହିବା ଅନୁଯାୟୀ, ସମ୍ପତ୍ତିଜନିତ ଆପରାଧିକ ମାମଲା ପ୍ରତି ଯେତିକି ସମୟ ଦେବା କଥା ସେତିକି ସମୟ ତଦନ୍ତକାରୀ ଅଧିକାରୀ ଦେଇପାରୁ ନାହାନ୍ତି। ଥାନାମାନଙ୍କରେ ଯେତିକି ଅଫିସର ଓ କନେଷ୍ଟବଳ ଅଛନ୍ତି, ସେଥିରେ ଲୋକଙ୍କ ପୁଲିସ ପ୍ରତି ଥିବା ଆଶା ପୂର୍ଣ୍ଣ କରିବା କଷ୍ଟକର। ଥାନା ଅଧିକାରୀ ଅନ୍ୟ କାର୍ଯ୍ୟରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ ମନଲଗାଇ ପାରୁନାହାନ୍ତି। ପ୍ରତିଦିନ ଆଇନଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ରହୁଛି। ଏଥିରେ ବି ପୁଲିସ ନିୟୋଜିତ ହେଉଛି। ସିବିଆଇରେ ତଦନ୍ତକାରୀ ଅଧିକାରୀ ବାର୍ଷିକ ତିନିଟି ମାମଲାରୁ ଅଧିକ ନିଅନ୍ତି ନାହିଁ। କିନ୍ତୁ ଓଡ଼ିଶାର ଥାନାଗୁଡ଼ିକରେ ବାର୍ଷିକ ପାଖାପାଖି ୩୦ ମାମଲା ତଦନ୍ତକାରୀ ଅଧିକାରୀ ନେଉଛନ୍ତି। ଗୁଣାତ୍ମକ ତଦନ୍ତ ନହେଲେ କୋର୍ଟରେ ବିଫଳ ହେବେ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।