ରାୟଗଡ଼ାରେ ଜଟିଳ ହେଉଛି କରୋନା ସ୍ଥିତି, ୭୫ ଦିନରେ ୨୦୬୬ ଆକ୍ରାନ୍ତ, ୧୪ ଜଣଙ୍କ ମୃତ୍ୟୁ 

୪୮ ଘଣ୍ଟାରେ ଚିହ୍ନଟ ହେଲେ ୨୫୬, ୨ ଜଣଙ୍କ ମୃତ୍ୟୁ, ଅଗଷ୍ଟ ଶେଷ ସୁଦ୍ଧା ୩ ହଜାର ଟପିବ ସଂକ୍ରମିତଙ୍କ ସଂଖ୍ୟା

ରାୟଗଡ଼ା: ଜୁନ୍ ୩ରେ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ। ଠିକ୍ ମାସକ ପରେ ଜୁଲାଇ ୩ରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିଲା ୧୧୫ରେ। ଜୁଲାଇ ୨୦ରେ ସଂଖ୍ୟା ୨୪୩ ଥିଲା। ଜୁଲାଇ ୩୧ରେ ବୃଦ୍ଧି ପାଇ ସଂଖ୍ୟା ୭୩୩କୁ ଛୁଇଁଥିଲା। ମାତ୍ର ୧୦ ଦିନରେ ୪୯୦ ଆକ୍ରାନ୍ତ ଚିହ୍ନଟ ପରଠୁ ସ୍ଥିତିରେ ଆଉ ପରିବର୍ତ୍ତନ ଆସିପାରୁନି। ଅଗଷ୍ଟ ୧ରୁ ୧୬ ମଧ୍ୟରେ ରେକର୍ଡ ୧୩୩୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୪୮ ଘଣ୍ଟାରେ ୨୫୬ ଆକ୍ରାନ୍ତ ଚିହ୍ନଟ ହେବା ସହ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ସରକାରୀ ଭାବେ ଘୋଷଣା ହୋଇନି।

ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ଭାବେ ତାଲିକାରେ ଶେଷରେ ସାମିଲ୍ ହୋଇଥିବା ରାୟଗଡ଼ାରେ ୭୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍ କରି ୨୦୬୬ରେ ପହଞ୍ଚିଛି। ଆଣ୍ଟିଜେନ୍ କିଟ୍ ମାଧ୍ୟମରେ ରାପିଡ୍ ଟେଷ୍ଟିଂକୁ ଗୁରୁତ୍ବ ଦିଆଯାଉଥିବାରୁ ଅଗଷ୍ଟ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିପାରେ। ସେହିପରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି କରୋନାର ଶିକାର ହେବା ପରେ ଆଉ ସୁସ୍ଥ ହୋଇନପାରି ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ରାୟଗଡ଼ା ସହରର ଜଣେ ବ୍ୟବସାୟୀଙ୍କ ବାପା ଏବଂ ଆଜି ପୂର୍ବତନ କାଉନସିଲର୍ କରୋନା ଯୁଦ୍ଧରେ ହାରି ମୃତ୍ୟୁବରଣ କରିଛନ୍ତି। ଉଭୟଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇନି। ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ମୁକାବିଲା ନେଇ ଚିନ୍ତାପ୍ରକଟ କରିଛି ଜିଲ୍ଲା ପ୍ରଶାସନ।

ଇତି ମଧ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୪ ରହିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କରୋନା ଯୋଦ୍ଧାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ କରୋନା ନିଜର ଶିକାର ବନାଇଛି। ଅଗଷ୍ଟ ୧୫ ତାରିଖରେ ଜିଲ୍ଲାରୁ ୧୪୦, ଆଜି ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାମନାଗୁଡାରୁ ସର୍ବାଧିକ ୩୭, ରାୟଗଡ଼ା ସହରରୁ ୧୯, ରାୟଗଡ଼ା ବ୍ଲକରୁ ୧୯, କୋଲନରାରୁ ୧୪, ଗୁଣପୁର ସହରାଞ୍ଚଳରୁ ୭, ଚନ୍ଦ୍ରପୁରରୁ ୬, ମୁନିଗୁଡାରୁ ୬, କଲ୍ୟାଣସିଂହପୁରରୁ ୩, ବିଷମକଟରୁ ୨ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଛି।

ରାମନାଗୁଡାର ପଡାଲପଦର ଗ୍ରାମରୁ କେବଳ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କରୋନା ମୁକାବିଲା ନେଇ ଲକଡାଉନ୍, ସଟଡାଉନ୍ ଅବଧି ୫ ମାସରେ ପହଞ୍ଚି ଥିବାରୁ ଏଣିକି ସ୍ବେଚ୍ଛାକୃତ ଭାବେ ଲୋକେ ନୀତି, ନିୟମକୁ ମାନି ଚଳିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବିଷମକଟକ, ଗୁଣପୁର, ତାଡ଼ମାରେ ଥିବା କୋଭିଡ଼୍ କେୟାର ସେଣ୍ଟରରେ ୧୪୩୦ ଶର୍ଯ୍ୟା ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ୨୦୬୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୬୯ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୫୬୧ ଆକ୍ରାନ୍ତ ଘରେ ରହି ଚିକିତ୍ସା ହେଉଛନ୍ତି। ଗତକାଲି ସୁସ୍ଥ ହୋଇଥିବା ୯୩ ଆକ୍ରାନ୍ତ ଘରେ ଥାଇ ଡାକ୍ତରଙ୍କ ପରାମର୍ଶ ମାନି ଭଲ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର