ବାଲେଶ୍ବର / ଭଦ୍ରକ / ସୋର / ବାହାନଗା : ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ବେଙ୍ଗାଲୁରୁରୁ ହାୱଡା ଯାଉଥିବା ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼‌ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦୭ ଜଣ ଯ‌ାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଡାଉନ୍ ଲାଇନ୍‌ରେ ବାଙ୍ଗାଲୁରୁରୁ ହାୱଡ଼ା ଯାଉଥିବା  ସୁପରଫାଷ୍ଟ ଟ୍ରେନ୍ (ନଂ ୧୨୮୬୪)ର ୨ଟି ବଗି ବାହାନଗା ଷ୍ଟେସନ୍‌ ଉତ୍ତର କ୍ୟାବିନ୍ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ସମୟରେ ଅପ୍‌ ଲାଇନରେ ଆସୁଥିବା ଶାଲିମାର
ହାୱାଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସ‌ପ୍ରେସ (ଟ୍ରେନ ନଂ ୧୨୮୪୧) ସହ ଧକ୍କା ହୋଇ ତା’ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ କରମଣ୍ଡଳ ଟ୍ରେନ୍‌ର ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୪ରୁ ଅଧିକ ବଗି ଲାଇନ୍‌ରୁ ଖସି ପାଖ ଟ୍ରାକ୍‌ରେ ଥିବା ଯଶୋବନ୍ତପୁର ଟ୍ରେନ୍ ବଗି ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ଶତାଧିକ ଯାତ୍ରୀ ବଗି ଭିତରେ ଚାପି ହୋଇ ରହିଥିବା ବେଳେ ୧୨୦ ଯାତ୍ରୀଙ୍କର ମୃତ୍ୟୁଦେହ ଉଦ୍ଧାର କର‌ାଯାଇଛି ବୋଲି ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମ​ବେଦନା
ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡାଉନ୍ ଲାଇନ୍‌ରେ କୋଲାକାତା ଯାଉଥିବା ସୁପରଫାଷ୍ଟର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇ ପାଖ ଟ୍ରାକକୁ ଖସି ଯାଇଥିଲା। ଯୋଉ ଟ୍ରାକ୍‌ରେ ଆସୁଥିଲା କରମଣ୍ଡଳ। ସେତେବେଳକୁ ଟ୍ରେନର ବେଗ ଘଣ୍ଟା ପ୍ରତି ପାଖାପାଖି ୮୦ ଉପରେ ଥିବା କୁହାଯାଉଛି। କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଦ୍ରୁତଗାମୀ କରମଣ୍ଡଳ ଟ୍ରାକ୍‌ରୁ ଖସି ଯାଇଥିବା  ବଗିକୁ ଧକ୍କା ଦେଇ ଅନ୍ୟ ଟ୍ରାକ୍‌ରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା ହେବା ପରେ କରମଣ୍ଡଳ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା। ଇଞ୍ଜିନ୍‌ ସହିତ ଜେନେରାଲ ଓ ଏସି ବଗି ଓଲଟି ପଡ଼ିବା ସହ ବଗି ଉପରେ ବଗି ଚଢ଼ି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିରେ ଅନେକଙ୍କର ହାତଗୋଡ଼, ମୁଣ୍ଡ ଛିଣ୍ଡି ପଡ଼ିଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ଅନ୍ଧାର ରାତି ଓ ଅଧା କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରୁ ବିନା ଅତ୍ୟାଧୁନିକ ଉପକରଣ ସହାୟତାରେ ଉଦ୍ଧାର କରିବା ଏତେଟା ସହଜସାଧ୍ୟ ନଥିଲା। ତଥାପି କିଛି ଯାତ୍ରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଉଦ୍ଧାର କରି ଡାକ୍ତରଖାନା ନେବା ସହ ପ୍ରଶାସନକୁ ଖବର ଦେଇଥିଲେ। ପରେ ୧୦୦ଟି ଆମ୍ବୁଲାନ୍ସ ଓ ୫୦ଟି ବସ୍ ଯୋଗେ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ କିଛି ଯାତ୍ରୀଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିବା ବେଳେ ଭୁବନେଶ୍ବର ଏମ୍‌ସକୁ ମଧ୍ୟ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

publive-image

ମୃତାହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେବା ପରେ ଘଟଣାସ୍ଥଳରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ୍‌ କମିସନର ସତ୍ୟବ୍ରତ ସାହୁ, ଅଗ୍ନିଶମ ବିଭାଗର ଡିଜି ଡ.ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେ, ଏସ୍‌ପି ସାଗରିକା ନାଥ, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସିଡିଏମ୍‌ଓ ଦୁଲାଲସେନ୍ ଜଗଦ୍ଦେବ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦର, ଏସ୍‌ପି ବରୁଣ ଗୁଣ୍ଠୁପାଲି, ଭଦ୍ରକ ସିଡିଏମ୍‌ଓ ଡାକ୍ତର ସନ୍ତୋଷ ପାତ୍ରଙ୍କ ସମେତ ୫୦ରୁ ଅଧିକ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଆହତ ଯାତ୍ରୀମାନଙ୍କୁ ଆଶୁ ଚିକିତ୍ସା ଯୋଗାଇବା ଲାଗି କଟକ ଏସ୍‌ସିବି, ବାଲେଶ୍ବର ମେଡିକାଲ କଲେଜ, ଭଦ୍ରକ ଓ ଯାଜପୁର ଡାକ୍ତରଖାନା ସମେତ ଆଖପାଖ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଲେଖାଯିବା ବେଳକୁ କଟକ ଏସସିବିରୁ ୩୦ ଜଣିଆ ବିଶେଷଜ୍ଞ ଟିମ୍‌ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି। ବାଲେଶ୍ବର ମେଡିକାଲ କଲେଜ ହାସପାତାଳରେ ୨୦୦ରୁ ଅଧିକ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସୋର ଡାକ୍ତରଖାନା ଓ ଭଦ୍ରକ ଡାକ୍ତରଖାନାରେ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ଖବର ମିଳିଛି।

ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌, ଓଡ୍ରାଫ୍‌ର ୪ଟି ଟିମ, ୫୦ରୁ ଅଧିକ ଅଗ୍ନିଶମ ଟିମ୍‌, ୧୦୦ରୁ ଅଧିକ ଆମ୍ବୁଲାନ୍ସ, ରେଳ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଆସ୍କା ଲାଇଟ୍‌ ଓ ଗ୍ୟାସ କଟର୍‌ ଯୋଗେ ବଗିଗୁଡ଼ିକୁ କଟାଯାଇ ଯାତ୍ରୀମାନଙ୍କୁ ବାହାର କରାଯାଉଛି। ଖଡ଼ଗପୁର ଓ ଭଦ୍ରକରୁ ରେଳ ବିଭାଗର ରିଲିଫ୍‌ ଟ୍ରେନ୍ ମଧ୍ୟ ପହଞ୍ଚିଛି। ଘଟଣାସ୍ଥଳରେ ଅନେକ ଯାତ୍ରୀଙ୍କର ଅଙ୍ଗପ୍ରତ୍ୟଙ୍ଗ ଛିଣ୍ଡି ବାହାରେ ପଡ଼ିଥିବା ବେଳେ ବଗି ଭିତରେ ଚାପି ହୋଇ ରହିଥିବା ଯାତ୍ରୀମାନଙ୍କ ଆର୍ତ୍ତନାଦ ଚିତ୍କାର ହୃଦୟବିଦାରକ ପରିସ୍ଥିତି ସୃଷ୍ଟି କରିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗଭୀର ଦୁଃଖପ୍ରକାଶ କରିଛନ୍ତି। ମୃତାହତଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ପଶ୍ଚିମବଙ୍ଗ ସରକାରଙ୍କ ସ୍ବତନ୍ତ୍ର ଟିମ୍‌ ଓ ଡାକ୍ତରୀ ଦଳ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି।

publive-image

ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ରେଳ ବିଭାଗର ବରିଷ୍ଠ ପଦାଧିକାରୀ ବାଲେଶ୍ବର ଆସୁଥିବା ଖବର ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ମୃତାହତଙ୍କ ପରିବାରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ଯାତ୍ରୀମାନଙ୍କ ସଂପର୍କରେ ଜାଣିବା ଲାଗି ରେଳବାଇ ପକ୍ଷରୁ ହେଲପ୍‌ ଲାଇନ୍ ଜାରି କରାଯାଇଥିବା ବେଳେ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।