୨୦୮ ଲିଟର ନକଲି ବିଦେଶୀ ମଦ ଜବତ, ମହିଳା ଗିରଫ

ନାମୀଦାମୀ କମ୍ପାନି ଲେବୁଲ୍‌ ଲଗାଇ ବିକ୍ରି ହେଉଥିଲା

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ତିଲେଇମାଲର ଏକ ଘରେ ବୁଧବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୦୮ ଲିଟର ବିଭିନ୍ନ ନାମୀ କମ୍ପାନିର ନକଲି ମଦ ଜବତ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ଗ୍ରାମର ସୁରେଖା ଘାସିଙ୍କ ଘରେ ଚଢ଼ଉ କରାଯାଇଥିଲା। ଅବକାରୀ ଆଇଆଇସି ନରୋତ୍ତମ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ବ୍ଲକ୍‌ରକ୍‌ ୭୫୦ ଏମ୍‌ଏଲ୍‌ର ୧୩୨ ବୋତଲ, ଡିପ୍ଲୋମାଟ୍‌ ୭୫୦ ଏମ୍‌ଏଲ୍‌ର ୩୫ ବୋତଲ, ବିନା ଲେବୁଲ୍‌ର ୬୭ଟି ବୋତଲ, ରାୟଲ ଷ୍ଟାଗ୍‌ ବ୍ରାଣ୍ଡ୍‌ର ୧୮୦ ଏମଏଲ୍‌, ୩୭୫ ଏମ୍‌ଏଲ୍‌ର ୧୨୯ ବୋତଲ, ଅଫିସର୍ସ ଚଏସ୍‌ର ୧୮୦ ଏମ୍‌ଏଲ୍‌ର ୧୫ଟି ବୋତଲ, ଏମ୍ପରିଅମ୍‌ ବ୍ଲୁ ୧୮୦ ଏମ୍‌ଏଲ୍‌ର ୩୦ ବୋତଲ, ୭୫୦ ଏମଏଲର ବିନା ବ୍ରାଣ୍ଡର କିଛି ପ୍ଲାଷ୍ଟିକ୍‌ ବୋତଲ, ଅଫିସର୍ସ ଚଏସ୍‌ ୯୧୩ ଠିପି, ସିଗ୍ରାମ୍‌ର ୧୭୭୩ଟି ଠିପି ଜବତ ହୋଇଥିଲା। ଅଭିଯୋଗରେ ସୁରେଖାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ଜଣକ ଝାଡ଼ଖଣ୍ଡରେ ମିଳୁଥିବା କମ୍‌ ମୂଲ୍ୟର ବିଦେଶୀ ମଦ ଆଣି ବିଭିନ୍ନ ବ୍ରାଣ୍ଡର ବୋତଲରେ ଭର୍ତିକରି ବିକ୍ରି କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି। ଓଡ଼ିଶାରେ ପ୍ଲାଷ୍ଟିକ୍‌ ବୋତଲରେ ମଦ ବିକ୍ରି ହେଉ ନଥିବା ଅବକାରୀ ଇନ୍‌ସପେକ୍ଟର ଶ୍ରୀ ମିଶ୍ର କହିଛନ୍ତି। ଏମାନେ ବାର, ହୋଟେଲ ଆଦିରୁ ଖାଲି ବୋତଲ ସଂଗ୍ରହ କରି ସେଥିରେ ଝାଡ଼ଖଣ୍ଡରେ ମିଳୁଥିବା କମ ଦାମର ବିଦେଶୀ ମଦ ଭର୍ତିକରି ବିକ୍ରି କରୁଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେ ବାବଦରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଚଢ଼ଉରେ ଅବକାରୀ ନିରୀକ୍ଷକ ବିନୟ ତିର୍କୀ, ଉପ ନିରୀକ୍ଷକ ଦେବେନ୍ଦ୍ର ପ୍ରହରାଜ ଓ ଅବକାରୀ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର