ଭୁବନେଶ୍ବର : ଶନିବାର ଦିନ ରାଜ୍ୟ ସରକାର ୨୦୯ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି। ଏନେଇ ଲୋକସେବା ଭବନ କନଭେନସନ୍ ହଲ୍ରେ ଆୟୋଜିତ ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫-ଟି ଉପକ୍ରମର ପ୍ରୟୋଗ କରିବା ଦରକାର। ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳର ଅର୍ଥନୀତିର ଉନ୍ନତି କ୍ଷେତ୍ରରେ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡ଼ିଶାର ଚାଷୀଙ୍କ ଜୀବିକାରେ ବିବିଧତା ଆଣି ଅଧିକ ରୋଜଗାର ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାର ବି ପ୍ରାଣୀଧନ ଚାଷୀଙ୍କର ଜୀବିକାର ଉନ୍ନତି ପାଇଁ ନୀତି ପ୍ରସ୍ତୁତି କରିବା ସହ ଅନେକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଓ ଉଦ୍ୟୋଗୀଙ୍କୁ ନୂତନ ୟୁନିଟ୍ ସ୍ଥାପନ କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ମିସନ ଶକ୍ତିର ମା’ମାନଙ୍କୁ ମଧ୍ୟ ଏଥିପାଇଁ ଆର୍ଥିକ ସହାୟତା ଦିଆଯାଉଛି। ମିସନ ମୋଡ୍ରେ ପ୍ରାଣୀ ସମ୍ପଦର ଟୀକାକରଣ କରାଯାଉଛି। ୩,୬୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଜରିଆରେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଯୋଡ଼ିହୋଇ ସୋମାନଙ୍କ ଉତ୍ପାଦ ବିକ୍ରୟ କରିପାରୁଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣା ରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୧୫ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କରିଥିଲେ। ଏଥିରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ ଜିଲ୍ଲାର ୧୪୨୨୮ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ମୋଟ୍ ୨୧.୩୪କୋଟିର ସହାୟତା ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହି ସହାୟତା ରାଶି ୭,୫୦୦ଟଙ୍କା ଥିବାବେଳେ ଚଳିତବର୍ଷ ଏହାକୁ ୧୫ହଜାର ଟଙ୍କାକୁ ବଢ଼ାଯାଇଛି।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ସଚିବ ପି.କେ ଜେନା ଯୋଗଦେଇଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ ଏବଂ ମତ୍ସ୍ୟଜୀବୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।