ଭୁବନେଶ୍ବର: ଓଡ଼ିଶାରେ ହୋଇଥିବା ହାତୀ ଗଣନା ରିପୋର୍ଟ ଆଜି ପ୍ରକାଶ ପାଇଛି। ଏବେ ଓଡ଼ିଶା ଜଙ୍ଗଲରେ ୨୦୯୮ଟି ହାତୀ ରହିଛନ୍ତି। ଅର୍ଥାତ୍ ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୧୨୨ଟି ହାତୀ ବଢ଼ିଛନ୍ତି। ଶେଷ ଥର ପାଇଁ ୨୦୧୭ରେ ହୋଇଥିବା ହାତୀ ଗଣନା ସମୟରେ ଓଡ଼ିଶାରେ ୧୯୭୬ଟି ହାତୀ ରହିଥିଲେ। ଚିହ୍ନଟ ହୋଇଥିବା ୨୦୯୮ଟି ହାତୀଙ୍କ ମଧ୍ୟରୁ ୪୭୪ଟି ଅଣ୍ଡିରା ହାତୀ ରହିଥିବା ବେଳେ ୧୦୩୦ଟି ମାଈ ହାତୀ ରହିଛନ୍ତି। ୫୯୪ଟି ହାତୀ ଛୁଆ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍ରେ ଆଖିଦୃଶିଆ ଭାବେ ହାତୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି।
ଅନୁଗୁଳ ସର୍କଲରେ ଏବେ ସର୍ବାଧିକ ୭୭୯ଟି ହାତୀ ରହିଛନ୍ତି। ଯେତେବେଳେ କି ବାରିପଦାରେ ୪୩୧ ଓ ରାଉରକେଲା ସର୍କଲରେ ୩୧୧ଟି ହାତୀ ଅଛନ୍ତି। ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ବର, ରାଇରଙ୍ଗପୁର, ବଲାଙ୍ଗୀର, ପାରଳାଖେମୁଣ୍ଡି ସମେତ ଆଉ କିଛି ଡିଭିଜନ୍ରେ ହାତୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନୁଗୁଳ, ରାଉରକେଲା ଓ ବାରିପଦା ସର୍କଲରେ ହାତୀମାନେ ଅଧିକ ଚଳପ୍ରଚଳ କରୁଥିବା ନଜରକୁ ଆସିଛି। ଦକ୍ଷିଣ ମହାନଦୀ ତୁଳନାରେ ଉତ୍ତର ମହାନଦୀ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଅଧିକ ରହିଛି। ୨୦୧୭ରେ ଅଣ୍ଡିରା ହାତୀଙ୍କ ସଂଖ୍ୟା ୩୪୪, ମାଈ ହାତୀଙ୍କ ସଂଖ୍ୟା ୧୦୩୦ ଏବଂ ହାତୀଛୁଆ ସଂଖ୍ୟା ୫୯୪ ରହିଥିଲା। ପୂର୍ବଥର ଅପେକ୍ଷା ଏଥର ଅଣ୍ଡିରା ହାତୀ ସଂଖ୍ୟା ବୃଦ୍ଧି ପାଇଛି। ଛୁଆ ହାତୀଙ୍କ ସଂଖ୍ୟା ମଧ୍ୟ ଗତଥର ଅପେକ୍ଷା ୯୨ଟି ବଢ଼ିଛନ୍ତି। ଗଣନା ସମୟରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚଳପ୍ରଚଳ କରୁଥିବା ହାତୀଙ୍କୁ ଏହି ଗଣନାରେ ସାମିଲ କରାଯାଇଥିଲା। ୩ଟି ହାତୀ ଅଭୟାରଣ୍ୟରେ ୫୮୪ଟି ହାତୀ ରହିଥିବା ଗଣନା ସମୟରେ ଦେଖିବାକୁ ମିଳିଥିଲା, ଯାହାକି ମୋଟ ସଂଖ୍ୟାର ୨୮%। ହାତୀଙ୍କ ସଂଖ୍ୟା ବୃଦ୍ଧି ୩% ହୋଇଛି। ଗତ ୫ ବର୍ଷ ମଧ୍ୟରେ ହାତୀଙ୍କ ମୃତ୍ୟୁହାର ୩%ରୁ ୪.୫% ମଧ୍ୟରେ ରହିଛି। ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶା ଜଙ୍ଗଲକୁ ୨୧୦୦ରୁ ୨୨୦୦ ହାତୀ ବ୍ୟବହାର କରିଥାନ୍ତି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ହାତୀ ପଲ ଏଠାକୁ ଆସିଥାନ୍ତି। ଓଡ଼ିଶା ଜଙ୍ଗଲକୁ କେତେ ହାତୀ ବ୍ୟବହାର କରନ୍ତି ତାହା ଜାଣିବାକୁ ନଭେମ୍ବର ୧୪ରୁ ୧୬ ମଧ୍ୟରେ ପୁଣିଥରେ ଗଣନା କରିବାକୁ ପ୍ରସ୍ତାବ ରହିଥିବା ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି।
ଶ୍ରୀ ନନ୍ଦଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ହାତୀଙ୍କ ସଂଖ୍ୟା ବଢ଼ିଛି। ଓଡ଼ିଶା ଜଙ୍ଗଲରେ କ୍ଷମତା ଅନୁସାରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି। ତେବେ ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେତେବେଳେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱରରେ ପୁଣି ଥରେ ହାତୀ ଗଣନା କରାଯିବ। ତେବେ ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀ ମରିଛନ୍ତି। ଅର୍ଥାତ୍ ବର୍ଷକୁ ମାତ୍ର ୩ରୁ ୪% ହାତୀ ମରୁଛନ୍ତି, ଯାହାକି ସ୍ୱାଭାବିକ ରହିଛି। ଗତବର୍ଷ ମାତ୍ର ୬୬ ହାତୀଙ୍କର ମୃତ୍ୟୁ ହୋଇଛି। ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବହାର ପାଇଁ ଯୋଜନା ହୋଇଛି। ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ମେ’ ୨୨ରୁ ୨୪ ମଧ୍ୟରେ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ହାତୀ ଗଣନା କରାଯାଇଥିଲା। ହାତୀଙ୍କ ସଂଖ୍ୟା ଅନୁଯାୟୀ ସେମାନଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ରହିଛି କି ନାହିଁ ସେବିଷୟରେ ଜାଣିବା ପାଇଁ ଏହି ସର୍ଭେ ହୋଇଛି। ୧୨୧୪ଟି ମଞ୍ଚା ନିର୍ମାଣ କରାଯିବା ସହ ୧୯୦୫ଟି ୟୁନିଟ୍ରେ ୫୭୦୦ରୁ ଅଧିକ ଲୋକ ଏହି ଗଣତି କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାବ୍ୟତୀତ ବନ୍ୟପ୍ରାଣୀ ପ୍ରେମୀ, ଏନ୍ଜିଓ, ରିସର୍ଚ୍ଚ ସ୍କଲାର, ଏକାଡେମିସିଆନ୍ ପ୍ରମୁଖ ଭାଗ ନେଇଥିଲେ। ଗଣନା ପୂର୍ବରୁ ରାଜ୍ୟ, ସର୍କଲ, ଡିଭିଜନ୍ ଓ ରେଞ୍ଜ ସ୍ତରରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ଡିଭିଜନ୍ ଓ ସର୍କଲ ସ୍ତରରେ ଏସିଏଫ୍କୁ ନୋଡାଲ ଅଧିକାରୀମାନେ ନିୟୋଜିତ କରାଯାଇ ସେମାନଙ୍କୁ ଗଣନା କାର୍ଯ୍ୟର ତଦାରଖ ଦାୟିତ୍ବ ଦିଆଯାଇଥିଲା।