୨୦ରୁ ଯୁକ୍ତ୩ ନାମଲେଖା ଆବେଦନ: ୪ ଯାଏ ଆବେଦନ, ୯ରେ ମେଧା ତାଲିକା

ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା‌ ସହ ୧୪ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଛାତ୍ରଛାତ୍ରୀ ସାମ୍‌ସ ପୋର୍ଟାଲରେ ନାମଲେଖା ଫି’ ଦାଖଲ କରିପାରିବେ। ୧୧ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲଟ୍‌ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ସେପ୍ଟେମ୍ବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ୨୨ରୁ ୨୫ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ଏହାପରେ ବି ଖାଲି ପଡ଼ୁଥିବା ସିଟ୍‌ ପୂରଣ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରବର୍ତୀ ସମୟରେ ନିୟମାବଳୀ ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିସନ ହେଲ୍‌ପଲାଇନ୍‌ ନମ୍ବର (୧୫୫୩୩୫/୧୮୦୦୩୪୫୬୭୭୦) ଜାରି ହୋଇଛି।

ନାମଲେଖା ସମୟରେ ସତର୍କତା ଅବଲମ୍ବନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯୁକ୍ତ୨ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ ତଥା ସମର କୋର୍ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ଯୁକ୍ତ୨ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ଆଦି ସଂଗ୍ରହ କରିଥାନ୍ତି। ଏଭଳି ପ୍ରଲୋଭନରୁ ଛାତ୍ରଛାତ୍ରୀ ଦୂରେଇ ରୁହନ୍ତୁ। ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର କୌଣସି ଶିକ୍ଷାନୁଷ୍ଠାନକୁ ଦିଅନ୍ତୁ ନାହିଁ। ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିବାକୁ ହେଉଥିବାରୁ କୌଣସି ବ୍ୟକ୍ତିଙ୍କୁ ନାମଲେଖା ବାବଦରେ ଟଙ୍କା ନ ଦେବାକୁ ପରାମର୍ଶ ଦିଆଯାଇଛି। ସିଏଏଫ୍‌ ଅନ୍‌ଲାଇନ୍‌ରେ ଦାଖଲ କରିବା ସମୟରେ ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡକୁ ସୁରକ୍ଷିତ ରଖନ୍ତୁ। ସଠିକ୍‌ ଫୋନ୍‌ ନମ୍ବର, ଇ-ମେଲ୍‌ ତଥା ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଆଦି ବ୍ୟବହାର କରନ୍ତୁ। ଫୋନ୍‌ ନମ୍ବର ଓ ବ୍ୟଙ୍କ ସମ୍ବନ୍ଧୀୟ ତଥ୍ୟକୁ ନାମଲେଖା ପ୍ରକ୍ରିୟା ନ ସରିବା ପର୍ଯ୍ୟନ୍ତ ବଦଳ ବା ବନ୍ଦ କରିବେ ନାହିଁ।

ଚଳିତ ଶିକ୍ଷାବର୍ଷରୁ ଆନେକ୍ସ-୭ ଓ ଅଟୋ ସ୍ଲାଇଡ୍‌ ଅପ୍‌ ନିୟମ ପ୍ରକ୍ରିୟା ଉଚ୍ଛେଦ କରାଯାଇଛି। ସ୍ଲାଇଡ୍‌ ଅପ୍‌ ପଦ୍ଧତି କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ଗୋଟିଏ କଲେଜରେ ନାମଲେଖା ପରେ ଯଦି ଛାତ୍ରଛାତ୍ରୀ ଉପର ପସନ୍ଦ କଲେଜକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ଫର୍ମ ପୂରଣ କରିବାକୁ ପଡ଼ିବ। ନ ହେଲେ ସ୍ଲାଇଡ୍‌ ଅପ୍‌ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ସ୍ଲାଇଡ୍‌ ଅପ୍‌ ପଦ୍ଧତିରେ ସମ୍ମତି ପ୍ରଦାନ କରିସାରିବା ପରେ ଉପର ପସନ୍ଦ କଲେଜରେ ନାମଲେଖାଇବାକୁ ବାଧ୍ୟ। ସ୍ଲାଇଡ୍‌-ଅପ୍‌ କଲେଜରେ ନାମ ନ ଲେଖାଇଲେ, ପ୍ରଥମେ ନା‌ମ ଲେଖାଇଥିବା କଲେଜରୁ ବି ତାଙ୍କ ନାମ କଟିଯିବ। ଫଳରେ ସେମାନେ ଚୟନ ଓ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ। ଇ-ଆଡମିସନ ସମ୍ପର୍କିତ ସୂଚନା ପାଇଁ ଏସ୍‌ଏମ୍‌ଏସ୍‌, ଇମେଲ୍‌ ଓ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌କୁ ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ନିୟମିତ ଭାବେ ଯାଞ୍ଚ କରନ୍ତୁ। ସିଏଏଫ୍‌ ପୂରଣ ପୂର୍ବରୁ କମନ୍‌ ପ୍ରସ୍‌ପେକ୍ଟସ୍‌ରେ ଦର୍ଶାଯାଇଥିବା ନାମଲେଖା ସମ୍ପର୍କିତ ସୂଚନାବଳୀକୁ ଭଲ ଭାବେ ପଢ଼ିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର