ଭୁବନେଶ୍ବର: ରାଜନୀତିରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଦେଶ ଓ ରାଜ୍ୟରେ ଶାସନର ମଙ୍ଗ ଧରିଲେଣି । ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚିକିତ୍ସା, ସାହିତ୍ୟ, ଗବେଷଣା, ସମାଜସେବା ଆଦି କେତେ କ୍ଷେତ୍ରରେ ନାଁ କଲେଣି ଓଡ଼ିଆ ଝିଅ। କିନ୍ତୁ ଆଜି ବି ରାଜ୍ୟର ୨୧.୩ ପ୍ରତିଶତ ଝିଅ ସ୍କୁଲରେ ପାଠ ପଢି ଭବିଷ୍ୟତ ଗଢିବା ବୟସରେ ବିବାହ କରି ଘର ସଂସାର କରୁଛନ୍ତି। ପିଲା ବୟସରେ କାଖରେ ପିଲା ଧରି ବୁଲୁଛନ୍ତି। ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଗଜପତିରେ ବାଲ୍ୟ ବିବାହ ହାର ୨୬ ପ୍ରତିଶତରୁ ଅଧିକ ହୋଇଥିବା ବେଳେ କନ୍ଧମାଳ, ବୌଦ୍ଧ, ସୋନପୁର, ଦେବଗଡ଼, ଢେଙ୍କାନାଳ, ବାଲେଶ୍ବର, କଳାହାଣ୍ଡିର ଏହା ୨୧ ପ୍ରତିଶତରୁ ଅଧିକ ରହିଛି। ମହାମାରୀ ସମୟରେ ଅନାଥ, ବାପା କିମ୍ବା ମା ଛେଉଣ୍ଡଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବାଲ୍ୟ ବିବାହ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି।

Advertisment

ମହିଳା ଶିଶୁ କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ; ୨୦୧୭ ମସିହାରେ ୩୨୪, ୨୦୧୮ରେ ୪୧୧, ୨୦୧୯ ରେ ୬୫୭, ୨୦୨୦ ମସିହାରେ ୧୧୦୮ ବାଲ୍ୟ ବିବାହ ଘଟଣାକୁ ପ୍ରଶାସନ ପକ୍ଷରୁ ରୋକ‌ାଯାଇଥିଲା। ଅର୍ଥାତ ଏହାଠାରୁ ଅଧିକ ସଂଖ୍ୟାରେ ବାଲ୍ୟ ବିବାହ ହେଉଛି। ୨୦୨୧ ମସିହା ମେ’ ମାସ ୨୧ ତାରିଖ ସୁଦ୍ଧା କରୋନା ସମୟରେ ସର୍ବାଧିକ ବାଲ୍ୟ ବିବାହ ହେଉଥିବା ୧୫ଟି ଜିଲ୍ଲାରେ ୭୨୬ ବାଲ୍ୟ ବିବାହକୁ ଭଣ୍ଡୁର କରାଯାଇଛି। ଏଥିମଧ୍ୟରେ କୋରାପୁଟରେ ୬୩, କନ୍ଧମାଳରେ ୯୯, ଗଞ୍ଜାମରେ ୨୭, ଢେଙ୍କାନାଳରେ ୧୯, ନୟାଗଡ଼ରେ ୨୬, ରାୟଗଡ଼ାରେ ୪୮, ବୌଦ୍ଧରେ ୬୩, ଦେବଗଡ଼ରେ ୯, ଗଜପତିରେ ୧୨, ମାଲକାନଗିରିରେ ୯୦, ନବରଙ୍ଗପୁରରେ ୧୧୧, ସୁବର୍ଣ୍ଣପୁରରେ ୫୩, ବାଲେଶ୍ବରରେ ୧୯, କେନ୍ଦୁଝରରେ ୩୫, ମୟୂରଭଞ୍ଜରେ ୪୯ ଜଣଙ୍କ ବାଲ୍ୟ ବିବାହ ବନ୍ଦ କରାଯାଇଛି।
ସାମାଜିକ କାର୍ଯ୍ୟକର୍ତ୍ତା ଘାସିରାମ ପଣ୍ଡାଙ୍କ କହିବା ଅନୁସାରେ ଦାରିଦ୍ର୍ୟ, ଶିକ୍ଷାର ଅଭାବ, ପୁରୁଷତାନ୍ତ୍ରିକ ମାନସିକତା, ଶରଣାର୍ଥୀ, ଶୀଘ୍ର ବିବାହ କରିବାର ସଂସ୍କୃତି, ବିବାହ ଆଳରେ ରାଜସ୍ଥାନ, ଛତିଶଗଡ଼ ଭଳି ରାଜ୍ୟକୁ ଝିଅ ଚାଲାଣ, କିଶୋର ବୟସରେ ପୁଅ, ଝିଅ ଘରୁ ପଳାଇବା ଆଦି ବାଲ୍ୟ ବିବାହର ବିଭିନ୍ନ କାରଣ ରହିଛି। ନବରଙ୍ଗପୁରରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟ କରୁଥିବା ଫକୀର ରାଉତ, ଆଦିବାସୀ ପ୍ରଭାବିତ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ଯେଉଁ ଚିତ୍ର ଦିଅନ୍ତି ଏହା ହତବାକ୍‌ କରି ଦିଏ।

ସେ କହନ୍ତି; ନବରଙ୍ଗପୁରର ଆଦିବାସୀ ଶ୍ରେଣୀର ଗରିବ ଭତ୍ରା, ଜାନି ସମାଜ, ବାଂଲାଦେଶର ଶରଣାର୍ଥୀ, ରାଇଘରରେ ରହୁଥିବା ସ୍ବଚ୍ଛଳ ବର୍ଗର ବଙ୍ଗାଳୀ ପରିବାରରେ ସର୍ବାଧିକ ବାଲ୍ୟ ବିବାହ ହେଉଛି। ଉଭୟ ସମ୍ପ୍ରଦାୟରେ ମାତ୍ର ୧୫ ବର୍ଷରେ ଝିଅଙ୍କୁ ବିବାହ କରିଦିଆ ଯାଏ। ଲୋକଙ୍କ ମାନସିକତା ଏଭଳି ଯେ, ୨୦ ବର୍ଷ ପରେ ତ ଝିଅ ପାଇଁ ବିବାହ ପାଇଁ ପ୍ରସ୍ତାବ ହିଁ ଆସେ ନାହିଁ। ଅଷ୍ଟମ ଶ୍ରେଣୀରୁ ହିଁ ଝିଅଙ୍କ ପାଠପଢା ବନ୍ଦ କରି ଦିଆଯାଏ। ସରକାରୀ ତଥ୍ୟ ଅନୁସାରେ ଏହି ଜିଲ୍ଲାରେ ମାତ୍ର ୧୦ ପ୍ରତିଶତ ଝିଅ ମାଟ୍ରିକ ପାସ୍‌ କରିଛନ୍ତି। ଏକର-ଏକର ମକା ଚାଷ କରୁଥିବା ସ୍ବଚ୍ଛଳ ବଙ୍ଗାଳୀ ଚାଷୀ ଠାରୁ ସରକାରୀ କର୍ମଚାରୀମାନେ ମଧ୍ୟ ନାବାଳିକା ଝିଅଙ୍କୁ ବିବାହ କରାଇ ଦେଉଛନ୍ତି। ଏହି ଜିଲ୍ଲାରେ ରାସ୍ତାରେ ଶିଶୁଙ୍କୁ ଫିଙ୍ଗିବା ଘଟଣା ମଧ୍ୟ ସର୍ବାଧିକ ରହିଛି। ଝିଅମାନେ କମ୍‌ ବୟସରେ ପିଲା ଜନ୍ମ କରୁଥିବାରୁ ଅପପୁଷ୍ଟି ମଧ୍ୟ ସର୍ବାଧିକ ରହିଛି। ଏ ସମ୍ପର୍କରେ ପ୍ରଶାସନ, ସାମାଜିକ ସଙ୍ଗଠନ ପକ୍ଷରୁ ସଚେତନ କରାଗଲେ ବି ପଞ୍ଚାୟତ ସ୍ତରରେ ନେତାଙ୍କ ସମର୍ଥନ ମିଳେ ନାହିଁ। ବରଂ ବିବାହ ଅଟକାଇବାକୁ ଆସୁଥିବା ବ୍ୟକ୍ତିମାନେ ସେମାନଙ୍କ ସଂସ୍କୃତି ନଷ୍ଟ କରୁଥିବା ଅଭିଯୋଗ ହେଉଛି।