ପୁରୀ: ରଥ ନିର୍ମାଣର ଆଜି ଥିଲା ୩୦ତମ ଦିବସ। ତିନି ରଥର ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅଖ ନିର୍ମାଣ ପରେ ଅନୁକୂଳ ପୂଜା ହୋଇ ଆଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ତିନିରଥ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ତିନିରଥ ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ସହ ପାଞ୍ଚ ଦଣ୍ଡା ଚଉପଟ ନିମନ୍ତେ କାଠ ସାଇତା କାର୍ଯ୍ୟ ମୁଖ୍ୟ ମହାରଣାମାନଙ୍କ ତଦାରଖରେ ସମ୍ପନ୍ନ ହୋଇଥିଲା। ପରମ୍ପରା ମୁତାବକ, ପବିତ୍ର ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ ଓ ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ। ଆଜି ଅପରାହ୍‌ଣରେ ତିନି ରଥର ମୁଖ୍ୟ ମହାରଣା ସେବକମାନେ ଅନୁକୂଳ ପୂଜା ସହ ସାଥୀ ମହାରଣା ସେବକମାନେ ୪୦ ଫୁଟିଆ ଦଣ୍ଡା କାଠର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ଏଥି ସହ ଆଜି ବାକି ଥିବା ତିନି ରଥର ୪ଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ଚାରି ନାହାକାର ଉଭୟ ପାର୍ଶ୍ବ ସାଲ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଦୁଇଟି ଲେଖାଏଁ ଗରଗରାର ଉଭୟ ପାର୍ଶ୍ବ ବିନ୍ଧ ପରେ ବାକି ଥିବା ଅଖଗୁଡ଼ିକର ଦୁଇପାର୍ଶ୍ୱର ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ମୁଖ୍ୟ ରୂପକାର ସେବକମାନେ ସିଂହାସନ ମୁହାଁଟିର ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟ ରୂପକାର ସେବକମାନେ ସାଲ ଗୁଜଗୁଡ଼ିକରେ ଶେଷ ସ୍ପର୍ଶ ଦେଇଛନ୍ତି। କରତୀ ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରି ନନ୍ଦିଘୋଷ ରଥର ୪୦ଫୁଟିଆ ଧଉରା କାଠର ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକ ଦଣ୍ଡା ପାଇଁ ଦଣ୍ଡା ବିଡ଼ିଆ କଣ୍ଟା ଓ ଗୟଳ କଣ୍ଟା ସହ ଗରଗରା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ପାହି ମହାରଣାମାନେ ଦୋଳବେଦିଠାରେ ଅଣସର ତଥା ରଥଯାତ୍ରାରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।